ଘର କାନ୍ଥକୁ କେନ୍ଦ୍ରକରି ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗାଁ ରକ୍ତରଞ୍ଜିତ ହୋଇଛି। ଗ୍ରାମର ଢ଼ିମିରା ସାହି ରେ ସ୍ବର୍ଗତ ବିଜୟ ବେହେରା ଙ୍କ ସ୍ତ୍ରୀ ସଞ୍ଜୁ ବେହେରା ଏବଂ ତାଙ୍କ ପଡୋଶୀ ଆର୍. ହରି ପାତ୍ର ସରକାରୀ ଜାଗା ରେ ଘର କରି ରହୁଛନ୍ତି। ଉଭୟ  ପରିବାର ମଧ୍ୟରେ କାନ୍ଥ ନିର୍ମାଣ କୁ କେନ୍ଦ୍ରକରି ଶତ୍ରୁତା ଲାଗି ରହିଥିଲା।ସୋମବାର ରାତି ପ୍ରାୟ ୧୧ ଟାରେ ଉଭୟ ପରିବାର ଲୋକଙ୍କ ମଧ୍ୟରେ ସାମାନ୍ୟ ବଚସା ରୁ ହିଂସାକାଣ୍ଡ ଉଗ୍ରରୂପ ନେଇଥିଲା। ସଞ୍ଜୁ ଙ୍କ ଭାଇ ସୁଦର୍ଶନ ବେହେରା(୩୨) ଙ୍କୁ  ପଡୋଶୀ ହରି ଓ ତାଙ୍କ ପୁଅ ରାମକୃଷ୍ଣ ଆଉ ଜଣେ ନାବାଳକ ପୁଅ ଏବଂ ତାଙ୍କ  ସାଙ୍ଗ ଶୁଭମ୍ ଗୌଡ଼ ଟାଙ୍ଗିଆ ରେ ହାଣି ହତ୍ୟା କରିଥିଲେ। ମଙ୍ଗଳବାର ସକାଳେ   ସଞ୍ଜୁ ଏନେଇ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୩୪୧/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଆଇଆଇସି ସଦଳବଳେ ପୋଡ଼ାମାରି ଗାଁ ରେ ପହଞ୍ଚି ୩ ଅଭିଯୁକ୍ତ ଙ୍କୁ ଗିରଫ କରି ସନ୍ଧ୍ୟାରେ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସେହିପରି ସମ୍ପୃକ୍ତ ନାବାଳକ ଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ରେ ହାଜର କରାଯିବା ପରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।ସୋମବାର ରାତି ପ୍ରାୟ ୧୧ ଟାରେ ହରି ଏବଂ ତାଙ୍କ ୨ ପୁଅ ପଡୋଶୀ ସଞ୍ଜୁ ଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ମାଡ଼ ମାରିଥିଲେ। ଖବରପାଇ ସାହିରେ ରହୁଥିବା ସଞ୍ଜୁ ଙ୍କ ଭାଇ ସୁଦର୍ଶନ ସେଠାରେ ପହଞ୍ଚି ହରି ଏବଂ ତାଙ୍କ ୨ ପୁଅ ଙ୍କୁ ନିଶାସକ୍ତ ଅବସ୍ଥାରେ ଗାଳି କରିଥିଲେ।ହରି ଙ୍କ ନାବାଳକ ପୁଅ  ଗ୍ରାମର ବଜାର ସାହି ରେ ରହୁଥିବା ତାଙ୍କ ସାଙ୍ଗ ଶୁଭମ୍ ଙ୍କୁ ଫୋନ କରି ଘରକୁ ଡ଼କାଇଥିଲେ। ସେ ପହଞ୍ଚିବା ପରେ ସମସ୍ତେ ସଂଘବଦ୍ଧ ଭାବେ ସୁଦର୍ଶନ ଙ୍କୁ ଚାରିପଟୁ ଘେରିଯାଇ ଠେଙ୍ଗା ଓ ଟାଙ୍ଗିଆ ରେ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟ ରେ ସୁଦର୍ଶନ ଗୁରୁତର ହୋଇ ତଳେ ପଡିଯିବାରୁ ସେମାନେ ସେଠାରୁ ପଳାଇଥିଲେ। ସୁଦର୍ଶନ ଙ୍କୁ ରକ୍ତାକ୍ତ ଅବସ୍ଥାରେ ସମ୍ପର୍କୀୟ ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋର ରେ ତାଙ୍କ ମୃତ୍ୟୁ ଘଟିଥିଲା।  ପୋଲିସ ଉପସ୍ଥିତି ରେ ସାଇଣ୍ଟିଫିକ୍ ଟିମ୍ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ରକ୍ତଭିଜା ଲୁଗା ଜବତ କରିଥିଲେ।ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ପୋଲିସ ହତ୍ୟାକାଣ୍ଡ ରେ ବ୍ୟବହୃତ ରକ୍ତ ଲାଗିଥିବା ଠେଙ୍ଗା ହରି ଙ୍କ ଠାରୁ ଜବତ କରିଛନ୍ତି।ବୁଧବାର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିବା ସହ ସବିଶେଷ ତଦନ୍ତ କରି ଫେରିଥିବା ଆଇଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ