ଚିକିତ୍ସା ଅଭାବରୁ ଏକ ଗାଇର ମୃତ୍ୟୁକୁ ନେଇ ଗଜପତିରେ ଉତ୍ତେଜନା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପଶୁ ଡାକ୍ତରଙ୍କ ଅନୁପସ୍ଥିତ ରହିବା ଯୋଗୁଁ ଆବଶ୍ୟକ ଚିକିତ୍ସା ନ ପାଇ ଏକ ଗାଇର ଶୋଚନୀୟ ମୃତ୍ୟୁ ଘଟିଛି. ଏହାକୁ ନେଇ ଗଜପତି ଜିଲ୍ଲାରେ ଚାଷୀମାନଙ୍କ ଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଅବରୋଧ କରାଯାଇଥିବା ସୂଚନା ମିଳିଛି. ଏହି ଜିଲ୍ଲାର ଗୋଷାଣୀ ବ୍ଳକ ଅନ୍ତର୍ଗତ ଉପଲଡା ଗ୍ରାମ ନିକଟରେ ଏକ ଗାଈର ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଛି। ଏହି ଗାଇଟି ସେହି ଗ୍ରାମର ଚାଷି ବାଲାଶ୍ରୀରାମୁଲୁଙ୍କର ଅଟେ. ନିଜ ଗାଇ ଅସୁସ୍ଥ ଯୋଗୁଁ ଚିକିତ୍ସା ପାଇଁ ଆଜି ସେ ଉପଲୋଡା ଠାରେ ଥିବା ପଶୁଧନ ଚିକିତ୍ସାଳୟକୁ ନେଇଥିଲେ। ଚାଷୀଙ୍କ କହିବା ଅନୁଯାୟୀ, ଗାଈଟି ଅସୁସ୍ଥ ହେବା ପରେ ତାହାର ଚିକିତ୍ସାକୁ ନେଇ ସମସ୍ୟା ଦେଖାଦେଇଥିଲା। ଉପଯୁକ୍ତ ସମୟରେ ଡ଼ାକ୍ତରଙ୍କ ଅନୁପସ୍ଥିତି ହେତୁ ଚିକିତ୍ସା ମିଳିନଥିବାରୁ ଗାଈଟିର ମୃତ୍ୟୁ ହୋଇଥିଲା. ଏହି ଖବର ପ୍ରଚାର ହେବା ପରେ ସମ୍ପୃକ୍ତ ଅଞ୍ଚଳର ଚାଷୀମାନଙ୍କ ଠାରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଖା ଦେଇଥିଲା. ଏହାର ପ୍ରତିବାଦରେ ଚାଷୀମାନେ ରାସ୍ତା ଅବରୋଧ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ଦିନ 11 ଘଣ୍ଟା ସମୟରେ ଉପଲୋଡା ଗ୍ରାମର ଛକରେ ମୁଖ୍ୟ ରାସ୍ତା ଅବରୋଧ କରିବା ଯୋଗୁଁ ଯାତାୟାତ ସମ୍ପୂର୍ଣ ବନ୍ଦ ହେବାସହ ସମସ୍ତ ବସ ଓ ସବୁ ପ୍ରକାର ଯାନବାହାନ ଅଟକି ରହିଥିଲା. ଏହି ଖବର ପାଇ ଗୁରାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ପରେ ପାରଳାଖେମୁଣ୍ଡି ଠାରୁ ପ୍ରାଣୀ ଚିକିତ୍ସାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉପଯୁକ୍ତ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ହେବାସହ 1 ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା.


