ବିଜ୍ଞାନ ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ। ୧୫/୮/୧୯୭୯ ତାରିଖରେ ପ୍ରତିଷ୍ଠା ହୋଇଥିବା ବେଳେ ଏହାର ୪୮ ତମ ପ୍ରତିଷ୍ଠା ଦିବସ ଅଗଷ୍ଟ ୧୫ ତାରିଖ ଦିନ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନସ୍ପାଲ ଡ଼କ୍ଟର ଭଗବାନ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂଜ୍ୟ ପୂଜା ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ବରିଷ୍ଠ ଆଇନଜୀବି ଡ଼ଃ ଜ୍ୟୋତିର୍ମୟ ପଟ୍ଟନାୟକ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରତିଷ୍ଠାତା ସ୍ୱର୍ଗତ କାହ୍ନୁ ଚରଣ ନାୟକଙ୍କ ସ୍ମୃତିଚାରଣ କରି କଲେଜର ସଂଘର୍ଷ ପୂର୍ଣ୍ଣ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବରେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ରୁଦ୍ର ପ୍ରସାଦ ଗୌଡ଼, ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ମନୋଜ କୁମାର ସାହୁ, ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ପ୍ରତିଷ୍ଠା ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼ଃ ବିରଞ୍ଚି ନାରାୟଣ ରଥ, ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପିକା ଲେଫ୍ଟନାଣ୍ଟ ବିନତା କୁମାରୀ ଦାଶ, ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଦେବାଶିଷ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ମହତ୍ତ୍ୱ ସମ୍ପର୍କରେ ଦିଗଦର୍ଶନ ପ୍ରଦାନ କରିଥିଲେ। ପ୍ରତିଷ୍ଠା ଦିବସ ଅବକାଶରେ ସଂଗୀତ, ଏକକ ନୃତ୍ୟ, ତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଙ୍କ ସହ ବେଷ୍ଟ ଏନସିସି କ୍ୟାଡେଟ ଓ ଏନଏସଏସ ସ୍ବେଚ୍ଛାସେବୀଙ୍କୁ ଅତିଥି ବୃନ୍ଦଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ଦେବାଶିଷ ସ୍ୱାଇଁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସେକ ଫରିଦ, ଡ଼ଃ ହରିଶ୍ଚନ୍ଦ୍ର ପାଇକ, ବସନ୍ତ କୁମାର ପାଣି, ମିଡ଼ିଆ ସଂଯୋଜିକା ପିଙ୍କି ପ୍ରଧାନ ପ୍ରମୁଖ ବିଚାରକ ଭାବ ଦାୟିତ୍ୱ ସମ୍ପାଦନ କରିଥିଲେ। ଶେଷରେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


