୮୦ତମ ସ୍ୱାଧୀନତା ଦିବସ ପାଳିତ
ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା, ନାଉଗାଁ ବ୍ଳକରେ ଶନିବାର ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଡିଓ ନିରଞ୍ଜନ ପରିଡା, ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଶରତ ପରିଡା, ଥାନା ପରିସରରେ ଥାନାଧିକାରୀ ଦେବାଶୀଷ ପଣ୍ଡା, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସଂଗ୍ରାମ ମହାନ୍ତି ପତାକା ଉତୋଳନ କରିଥିଲେ। ସେହିପରି ନାଉଗାଁସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ଗଙ୍ଗଦାହାଟସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟ, ଦେବୀଦୋଳସ୍ଥିତ ମା’କୁତାମଚଣ୍ଡୀ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ପତାକା ଉତୋଳନ କରିଥିଲେ। ସେହିପରି ବିଭିନ୍ନ ରାଜନୈତକ ଦଳ ପକ୍ଷରୁ ପତାକା ଉତୋଳନ କରାଯାଇଥିଲା। ନାଉଗାଁ ବଜାରରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତୀ ଓ ଗଙ୍ଗଦାହାଟରେ କଂଗ୍ରେସ ଦଳ ପକ୍ଷରୁ ବ୍ଲକ କଂଗ୍ରେସ କମିଟି ସଭାପତି ବିଚିତ୍ରାନନ୍ଦ ଲେଙ୍କା,ବିଜେପି ପକ୍ଷରୁ ଗଂଗଦାହାଟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ ପତାକା ଉତୋଳନ କରିଥିଲେ। ବ୍ଳକରେ ଥିବା ସମସ୍ତ ବିଦ୍ୟାଳୟ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର,ଓଡିଶା ଆଦର୍ଶ ବିଦ୍ୟାଳୟ ଆଦିରେ ପତାକା ଉତୋଳନ କରାଯିବା ସହ ନାଚ,ଗୀତ,କୁଇଜ ଆଦି ପ୍ରତିଯୋଗିତା କରାଯାଇଥିଲା। ସେହିପରି ବ୍ଳକରେ ଥିବା ୧୬ଟି ପଂଚାୟତ କାର୍ଯ୍ୟାଳୟ, ଶିଶୁବିକାଶ କାର୍ଯ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଆଦିରେ ପତାକା ଉତୋଳନ କରାଯାଇ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା।


