ତେଲୁଗୁ ଓଡ଼ିଆ ସାରସ୍ୱତ ସମନ୍ଵୟ ସମାବେଶ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ସାହିତ୍ୟ ଅନୁଷ୍ଠାନ ସିଦ୍ଧାନ୍ତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ଠାରେ ତେଲୁଗୁ -ଓଡ଼ିଆ ଉଭୟ ଭାଷାଭାଷୀଙ୍କୁ ନେଇ ଏକ ଭବ୍ୟ ସାରସ୍ୱତ ସମନ୍ଵୟ ସମାବେଶ ଅନୁଷ୍ଠିତ ହୋଇଯାଇଛି. ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ରେଭେନ୍ୟୁ କମିଶନର ସଂଗ୍ରାମ ମହାପାତ୍ର ଏବଂ ତାଙ୍କ ଧର୍ମପତ୍ନୀ ଧରିତ୍ରୀ ପଟ୍ଟନାୟକ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଡି.ଏନ୍. ରାଓ, ଡ. ଶିବରାମ କ୍ରୀଷ୍ଣା, ବି. କମଳାଙ୍ଗୀ, ଡ. ଅନ୍ନପୂର୍ଣ୍ଣା ଦେବୀ, ଡ. ଲି. ମହାନ୍ତି ଏବଂ ‘ଉପାନ୍ତ ପ୍ରହରୀ’ର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସଂଗ୍ରାମ ମହାପାତ୍ରଙ୍କ ରଚିତ ‘ଜୀବନ ସଂଗ୍ରାମ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହ ଶ୍ରୀ ଲାଜର ଲିମାଙ୍କ ରଚିତ ‘ମୁକ୍ତିର ସନ୍ଧାନ’ ପୁସ୍ତିକା ଏବଂ ଘନଶ୍ୟାମ ଜେନାଙ୍କ ରଚିତ ‘ପଲ୍ଲୀ ଗୀତିକା’ ଓ ‘ଚଉତିଶା ମାଳା’ ପୁସ୍ତିକା ମଧ୍ୟ ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ଆର୍.ଡି.ସି. ସଂଗ୍ରାମ ମହାପାତ୍ର (ଆଇଏଏସ୍) ଏବଂ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ (ଆଇଏଏସ୍)ଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ‘ମୁକ୍ତିର ସନ୍ଧାନ’ ପୁସ୍ତିକା ଏହା ଆଜିର ଯୁବପିଢ଼ିଙ୍କ ଚରିତ୍ର ଗଠନ, ଧାର୍ମିକ ଭାବନାର ବିକାଶ ଏବଂ ଏକ ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହେବ। ସାହିତ୍ୟ ମାଧ୍ୟମରେ ଯୁବସମାଜକୁ ନୈତିକତା, ମାନବିକତା ଓ ସୁସଂସ୍କାରର ବାର୍ତ୍ତା ପ୍ରଦାନ କରିବା ଏଭଳି ରଚନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ ପାଇଥିଲା। ସାରସ୍ୱତ ସମାବେଶରେ ସାହିତ୍ୟିକ, ଲେଖକ, ଗବେଷକ ଓ ସାହିତ୍ୟପ୍ରେମୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ସାରଗର୍ଭିତ କରିଥିଲେ l


