ଜମିରୁ କମୁନି ପାଣି, ଚିନ୍ତାରେ ଚାଷୀ

ବନ୍ତ,(ଚାନ୍ଦିନୀ ମହାନ୍ତି): ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକର ଶହ ଶହ ହେକ୍ଟର ଚାଷ ଜମିରେ ପାଣି ଜମି ରହିଥିବା ଯୋଗୁ ଧାନ ରୁଆ କାର୍ଯ୍ୟ ଆଗେଇ ପାରୁନଥିବା ଜଣାଯାଇଛି l ଫଳରେ ଚାଷୀ ମାନେ ଚିନ୍ତା ପ୍ରକଟ କରିଛନ୍ତି l ପ୍ରତି ବର୍ଷ ଅଗଷ୍ଟ ୧୫ ସୁଦ୍ଧା ପ୍ରାୟ ୭୦ରୁ ୮୦ ପ୍ରତିଶତ ଜମିରେ ଧାନ ରୁଆ କାର୍ଯ୍ୟ  ଶେଷ ହୋଇଥାଏ l ମାତ୍ର ଚଳିତ ବର୍ଷ ବାରମ୍ବାର ବର୍ଷା ଓ ବନ୍ତ ବ୍ଲକ ମଧ୍ୟ ଦେଇ ପ୍ରବାହିତ କପାଳୀ, ରେବ ଓ ସରୁ ସାଗର ନଦୀରେ ବନ୍ୟା ଆସିବା ଯୋଗୁ ବହୁ ଜମିରେ ଧାନ ତଳି ନଷ୍ଟ ହୋଇଥିଲା l ଚାଷୀ ମାନେ ଭାଙ୍ଗି ନପଡି ବିଳମ୍ବ ହେଲେ ମଧ୍ୟ ୨ରୁ ୩ ଥର ତଳି ପକାଇଥିଲେ l ଏବେ ଧାନ ତଳି ରୋଇବା ପାଇଁ ହୋଇଯାଇଥିବା ବେଳେ ଜମିରେ ଅତ୍ୟଧିକ ପାଣି ଥିବା ଯୋଗୁ ଧାନ ରୋଇବାରେ ବିଳମ୍ବ ହେଉଛି l ଅପରପକ୍ଷେ ବ୍ଲକରେ ମୋଟ ୧୮ ହଜାର ୯ ଶହ ୫୫ ହେକ୍ଟର ଜଳ ସେଚିତ ଚାଷ ଜମି ରହିଛି l ସେଥିମଧ୍ୟରୁ ଚଳିତ ଖରିଫ ଋତୁରେ ୧୩ ହଜାର ୮ ଶହ ୭୧ ହେକ୍ଟର ଜମିରେ ଧାନ ଚାଷ ହୋଇଛି l ଚଳିତ ବର୍ଷା ଓ ବନ୍ୟା ଯୋଗୁ ୫୦ ହେକ୍ଟର ଜମିରେ ଧାନ ତଳି ନଷ୍ଟ ହୋଇଛି l ବର୍ତ୍ତମାନ ସୁଦ୍ଧା ୬ ହଜାର ୫ ଶହ ହେକ୍ଟର ଜମିରେ ଧାନ ରୁଆ ସରିଥିବା ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କ ଠାରୁ ସୂଚନା ମିଳିଛି l ତେବେ ସମଗ୍ର ବ୍ଲକରେ ଆହୁରି ୭ ହଜାର ୩ ଶହ ୭୧ ହେକ୍ଟର ଜମିରେ ଧାନ ରୋଇବାକୁ ବାକି ରହିଛି l ଯାହାକି ଗତ ଖରିଫ ଋତୁ ତୁଳନାରେ ଚଳିତ ଖରିଫ ଋତୁରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ପ୍ରତିଶତ ଧାନ ରୁଆ କାର୍ଯ୍ୟ କମ ହୋଇଥିବା ଅନୁମାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ