ଜନବସତି ନଥିବା ଗାଁକୁ ପାଣି ଯୋଗାଣ ଅଭିଯୋଗ

କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ପାନୀୟଜଳ ଯୋଗାଣକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଜନବସତି ନଥିବା ବୋଲି ଅଭିଯୋଗ ହେଉଥିବା ସ୍ଥାନକୁ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବିଶୁଦ୍ଧ ପାଣି ଯୋଗାଣ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଯଦି ସତ୍ୟ ହୁଏ, ତେବେ ଯୋଜନାର ପ୍ରସ୍ତୁତିଠାରୁ ଆରମ୍ଭ କରି ଅନୁମୋଦନ, କାର୍ଯ୍ୟାଦେଶ, ମାପବହି ଓ ବିଲ୍‌ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିବ। ତେଣୁ ଘଟଣାର ନିରପେକ୍ଷ ତଦନ୍ତ ସହ ଭିଜିଲାନ୍ସ ତଦନ୍ତ ଦାବି ଜୋର ଧରିଛି। ଥୁଆମୂଳ ରାମପୁର ବ୍ଲକରେ ୨୪ଟି ଗ୍ରାମ ପଞ୍ଚାୟତ ରହିଛି। ସରକାରୀ ତଥ୍ୟ ଅନୁସାରେ ଏହି ପଞ୍ଚାୟତଗୁଡ଼ିକ ଅଧୀନରେ ଶତାଧିକ ଗାଁ ରହିଛି। ୨୦୧୧ ଜନଗଣନା ଅନୁସାରେ ବ୍ଲକର ମୋଟ ଜନସଂଖ୍ୟା ୭୭ ହଜାର ୮୪୦ ଥିଲା। ଏଥିରେ ବହୁ ସଂଖ୍ୟକ ଆଦିବାସୀ ଓ ଅନୁସୂଚିତ ଜାତିର ଲୋକ ବସବାସ କରୁଥିଲେ। ଦୁର୍ଗମ ଭୌଗୋଳିକ ପରିସ୍ଥିତି ଯୋଗୁଁ ଏହି ଅଞ୍ଚଳରେ ନିରାପଦ ପାନୀୟଜଳ ଯୋଗାଣ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଏପରି ପରିସ୍ଥିତିରେ ଯେଉଁଠାରେ ବାସ୍ତବ ଜନବସତି ରହିଛି ଏବଂ ଲୋକେ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି, ସେହି ସ୍ଥାନକୁ ଅଗ୍ରାଧିକାର ଦେବା ବଦଳରେ ଜନବସତି ନଥିବା ସ୍ଥାନକୁ ପାନୀୟଜଳ ଯୋଗାଣ ଦର୍ଶାଯାଇଥିବା ଅଭିଯୋଗ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେଉଁ ସ୍ଥାନରେ ଲୋକେ ରହୁନାହାନ୍ତି, ସେଠାରେ କାହା ପାଇଁ ପାନୀୟଜଳ ଯୋଜନା କରାଗଲା? ଯୋଜନାରେ କେତେ ଲୋକ କିମ୍ବା ପରିବାରଙ୍କୁ ଲାଭାର୍ଥୀ ଭାବେ ଦର୍ଶାଯାଇଛି? ଯୋଜନା ପ୍ରସ୍ତୁତ ସମୟରେ ସ୍ଥଳ ଯାଞ୍ଚ କରାଯାଇଥିଲା କି? ଯଦି ଯାଞ୍ଚ କରାଯାଇଥିଲା, ତେବେ ଜନବସତି ନଥିବା କଥା ଅଧିକାରୀଙ୍କ ଦୃଷ୍ଟିକୁ ଆସିଲା ନାହିଁ କାହିଁକି? ଏହା ସହିତ ଯୋଜନାର ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ, ଅନୁମୋଦିତ ଅଟକଳ, ପ୍ରଶାସନିକ ଅନୁମୋଦନ, ବୈଷୟିକ ଅନୁମୋଦନ, କାର୍ଯ୍ୟାଦେଶ, ମାପବହି, ଚାଲୁ ବିଲ୍‌, ଚୂଡ଼ାନ୍ତ ବିଲ୍‌ ଏବଂ କାମ ସମାପ୍ତି ପ୍ରମାଣପତ୍ର ଯାଞ୍ଚ କରିବା ଆବଶ୍ୟକ। ଯୋଜନାରେ ଯେତିକି ପରିବାରକୁ ପାଣି ଯୋଗାଣ ଦର୍ଶାଯାଇଛି, ସେତିକି ପରିବାର ବାସ୍ତବରେ ସେଠାରେ ରହୁଛନ୍ତି କି ନାହିଁ, ତାହା ମଧ୍ୟ ଘରେ ଘରେ ଯାଞ୍ଚ କରାଯିବା ଦରକାର। ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଜନସଂଖ୍ୟାରେ ବଡ଼ ପାର୍ଥକ୍ୟ ରହିଛି। କେତେକ ଗାଁରେ ହଜାରରୁ ଅଧିକ ଲୋକ ରହୁଥିବା ବେଳେ ଅନେକ ଛୋଟ ଗାଁରେ ଜନସଂଖ୍ୟା ଅତ୍ୟନ୍ତ କମ୍‌। ତେଣୁ ପ୍ରତ୍ୟେକ ଜଳଯୋଗାଣ ଯୋଜନାରେ ଦର୍ଶାଯାଇଥିବା ଜନସଂଖ୍ୟା ଓ ବାସ୍ତବ ଜନସଂଖ୍ୟାକୁ ମେଳ କରାଇବା ହିଁ ତଦନ୍ତର ମୁଖ୍ୟ ଆଧାର ହୋଇପାରେ। ଅଭିଯୋଗକୁ ନେଇ ଆହୁରି ଏକ ଗୁରୁତର ପ୍ରଶ୍ନ ଉଠୁଛି ଯଦି ଏକ ସ୍ଥାନରେ ଜନବସତି ନାହିଁ, ତେବେ ସେଠାରେ ନଳକୂପ, ପାଣି ଟାଙ୍କି, ପାଇପ୍‌ଲାଇନ୍‌, ଷ୍ଟାଣ୍ଡପୋଷ୍ଟ କିମ୍ବା ଘରୋଇ ନଳ ସଂଯୋଗ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଲା? କେଉଁ ଠିକାଦାର କାମ କଲେ? କେଉଁ ଅଧିକାରୀ କାମ ମାପିଲେ? କେଉଁ ଅଧିକାରୀ ବିଲ୍‌ ପାସ୍‌ କଲେ? ଏହାର ସମସ୍ତ ଉତ୍ତର ଲୋକଙ୍କ ସାମ୍ନାକୁ ଆସିବା ଆବଶ୍ୟକ। କେବଳ କାଗଜପତ୍ର ଯାଞ୍ଚ ନୁହେଁ, ସମ୍ପୃକ୍ତ ସ୍ଥାନରେ ଅଧିକାରୀଙ୍କ ଦଳ ପହଞ୍ଚି ଭୌତିକ ଯାଞ୍ଚ କରିବା ମଧ୍ୟ ଆବଶ୍ୟକ। ଯୋଜନାରେ ଦର୍ଶାଯାଇଥିବା ସ୍ଥାନରେ ବାସ୍ତବରେ ଘର ଅଛି କି, ଲୋକେ ରହୁଛନ୍ତି କି, ପାଣି ଆସୁଛି କି, କେତେ ଘରକୁ ନଳ ସଂଯୋଗ ଦିଆଯାଇଛି ଏବଂ ଜଳର ଗୁଣବତ୍ତା କିପରି ଅଛି ସବୁ ଯାଞ୍ଚ ହେବା ଦରକାର। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା କେବଳ ଏକ ଜଳଯୋଗାଣ ଯୋଜନାର ଅନିୟମିତତା ନୁହେଁ, ବରଂ ସରକାରୀ ଅର୍ଥ ବ୍ୟବହାରରେ ଗୁରୁତର ଅନିୟମିତତାର ମାମଲା ହୋଇପାରେ। ତେଣୁ ସମ୍ପୃକ୍ତ ରେକର୍ଡ ଜବତ କରି ଯାଞ୍ଚ କରିବା ସହ ଆବଶ୍ୟକ ହେଲେ ଭିଜିଲାନ୍ସ ତଦନ୍ତ କରି ଦାୟୀଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଅଭିଯୋଗ ଭୁଲ୍‌ ହୋଇଥିଲେ ମଧ୍ୟ ଆରଡବ୍ଲୁଏସଏସ ପକ୍ଷରୁ ସ୍ପଷ୍ଟ ତଥ୍ୟ ଦେବା ଆବଶ୍ୟକ। ଉକ୍ତ ଯୋଜନା କେଉଁ ଗାଁ ପାଇଁ, କେତେ ଜନସଂଖ୍ୟା ପାଇଁ, କେତେ ଟଙ୍କାରେ, କେବେ ଅନୁମୋଦିତ ହୋଇଥିଲା ଏବଂ ବର୍ତ୍ତମାନ କେତେ ଲୋକ ଏହାର ଲାଭ ପାଉଛନ୍ତି ଏସବୁ ତଥ୍ୟ ସାର୍ବଜନୀନ କଲେ ସନ୍ଦେହ ଦୂର ହୋଇପାରିବ। ଥୁଆମୂଳ ରାମପୁରର ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ସୁରକ୍ଷିତ ପାନୀୟଜଳ ଏକ ମୁଖ୍ୟ ଆବଶ୍ୟକତା। ତେଣୁ ଯେଉଁ ଟଙ୍କା ଲୋକଙ୍କ ପାଇଁ ପାଣି ଯୋଗାଇବାରେ ଖର୍ଚ୍ଚ ହେବା କଥା, ସେହି ଟଙ୍କା ବାସ୍ତବରେ ଲୋକଙ୍କ ପାଖରେ ପାଣି ପହଞ୍ଚାଇଛି କି ନାହିଁ ଏହାର ଉତ୍ତର ଦେବା ସରକାରୀ ବିଭାଗର ଦାୟିତ୍ୱ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ