ଚେକ୍ ବାଉନ୍ସ ମାମଲା : ଅଭିଯୁକ୍ତଙ୍କୁ ୧ ବର୍ଷ କାରାଦଣ୍ଡ ୧୧ ଲକ୍ଷ ଜରିମାନା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଏକ ଚେକ୍ ବାଉନ୍ସ୍ ମାମଲା ନଂ -୧ ସି.ସି ୧୦/୨୨ର ଚୂଡାନ୍ତ ଶୁଣାଣି କରି ବ୍ରହ୍ମପୁରରେ ରହୁଥିବା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଅଭିଯୁକ୍ତ ବିଭୁଦତ୍ତ ରଥଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ କାରାଦଣ୍ଡ ସହ ପ୍ରତିପକ୍ଷ ଅଭିଯୋଗକାରୀ ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କୁ ୧୧ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଆଦେଶ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ବିଭୁଦତ୍ତ ଚନ୍ଦନଙ୍କ ବନ୍ଧୁ। ତାଙ୍କୁ ଟଙ୍କା ଦେଲେ ଉକ୍ତ ଟଙ୍କାକୁ ଏକ ଫିଲ୍ମ କମ୍ପାନୀ ରେ ବିନିଯୋଗ କରି ଦୁଇଗୁଣ ଟଙ୍କା ଦେବାର ଲୋଭ ଦେଖାଇଥିଲେ ବିଭୁଦତ୍ତ।କିଛି ଦିନ ପରେ ବିଭୁଦତ୍ତ ଜରୁରୀ ଆବଶ୍ୟକତା ଥିବା କହି ଚନ୍ଦନଙ୍କ ଠାରୁ ୫୩ ଲକ୍ଷ ଟଙ୍କା ଧାର ନେଇଥିଲେ।ସେ ତାଙ୍କୁ ଦୁଇ ଗୁଣ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଚନ୍ଦନ ତାଙ୍କୁ ଟଙ୍କା ଫେରସ୍ତ ମାଗିବାରୁ ବିଭୁଦତ୍ତ ଚନ୍ଦନଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।ପରେ ବଳକା ୫୦ ଲକ୍ଷ ଟଙ୍କା ବାବଦକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ୫ ଟି ବ୍ୟାଙ୍କ୍ ଚେକ୍ ଚନ୍ଦନଙ୍କୁ ଦେଇଥିଲେ।ବିଭୁଦତ୍ତ ଦେଇଥିବା ଗଞ୍ଜାମ ନୂଆପଡ଼ା ଗାଁରେ ଥିବା ଏକ ରାଷ୍ଟ୍ରାୟତ ବ୍ୟାଙ୍କ୍ ନାଁ ଉଲ୍ଲେଖ ଥିବା ୧୦ ଲକ୍ଷ ଟଙ୍କାର ପ୍ରଥମ ଚେକକୁ ଚନ୍ଦନ ଦିଗପହଣ୍ଡିର ଏକ ବ୍ୟାଙ୍କରେ ଜମା ଦେବା ପରେ ବିଭୁଦତ୍ତଙ୍କ ଜମାଖାତାରେ ଟଙ୍କା ନଥିବାରୁ ଚେକଟି ଗତ ୨୦୨୨ ଜୁଲାଇ ୩୦ ତାରିଖରେ ବାଉନ୍ସ୍ ହୋଇଯାଇଥିଲା। ୨୦୨୨ ଅଗଷ୍ଟ ୨୨ ତାରିଖରେ ଚନ୍ଦନ ଏନେଇ ତାଙ୍କ ଓକିଲଙ୍କ ଜରିଆରେ ବିଭୁଦତ୍ତଙ୍କୁ ଡାକ ଯୋଗେ ନୋଟିସ ପଠାଇଥିଲେ। ନୋଟିସର ସନ୍ତୋଷଜନକ ଉତ୍ତର ନଦେବାରୁ ଚନ୍ଦନ ୨୦୨୨ ସେପ୍ଟେମ୍ବର ୨୧ ତାରିଖରେ ନ୍ୟାୟ ପାଇଁ ଦିଗପହଣ୍ଡି ଜେଏମଏଫସି କୋର୍ଟରେ ବିଭୁଦତ୍ତଙ୍କ ବିରୋଧରେ ଦଫା – ୧୩୮ ଏନ୍. ଆଇ ଆକ୍ଟ୍ ଅନୁଯାୟୀ ମକଦ୍ଦମା ରୁଜୁ ପାଇଁ ଯାଚିକା ଦାଖଲ କରିଥିଲେ। ୨୦୨୩ ଜୁନ ୬ ତାରିଖରେ ଚନ୍ଦନ କୋର୍ଟରେ ମାମଲା ସଂକ୍ରାନ୍ତରେ ବିଚାରଣା ହେବା ସହ  ଅଭିଯୁକ୍ତଙ୍କ ବିରୋଧରେ ବୟାନ ଦେଇଥିଲେ। ସାକ୍ଷ୍ୟ ମାନଙ୍କ ବୟାନ, ନଥିପତ୍ର ସମ୍ପର୍କିତ ପ୍ରାମାଣିକ ତଥ୍ୟ, ଉଭୟ ପକ୍ଷ ଓକିଲଙ୍କ ଦ୍ଵାରା ଉପସ୍ଥାପିତ ଯୁକ୍ତି ଓ କୋର୍ଟରେ ଦାଖଲ କରାଯାଇଥିବା ନଥିପତ୍ରକୁ ଅନୁଶୀଳନ କରିବା ପରେ ମାଜିଷ୍ଟ୍ରେଟ ଅଭିଯୁକ୍ତଙ୍କ ବିରୋଧରେ ୧ ବର୍ଷ କାରାଦଣ୍ଡ ସହ ପ୍ରତିପକ୍ଷ ଅଭିଯୋଗକାରୀଙ୍କୁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆଦେଶ ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ