ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା
ଗୁଣୁପୁର (ୱାଇ ଏନ ଏସ): ଗୁଣୁପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ ପରିସର, ଧାର୍ମିକ ସ୍ଥଳୀ, ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ଜନସମାଗମ ସ୍ଥଳରେ ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଉପରେ ନିଷେଧାଦେଶ ଜାରି କରାଯାଇଥିବା ଜଣାପଡ଼ିଛି। ସାଧାରଣ ଜନସାଧାରଣଙ୍କ ଅଭିଯୋଗ ଏବଂ ମଦ୍ୟପାନ ଯୋଗୁଁ ସୃଷ୍ଟି ହେଉଥିବା ଉପଦ୍ରବ, ଅଶୋଭନୀୟ ଆଚରଣ, ଗଣ୍ଡଗୋଳ, ଶାନ୍ତି ଭଙ୍ଗ, ଦୁର୍ଘଟଣା ଓ ନିରାପତ୍ତା ପ୍ରତି ଆଶଙ୍କାକୁ ଦୃଷ୍ଟିରେ ରଖି, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୬୩ ଅନୁଯାୟୀ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ଦଣ୍ଡାଧିକାରୀ, ଗୁଣୁପୁରଙ୍କ ଦ୍ୱାରା ଆଦେଶ ସଂଖ୍ୟା ୩୦୯୮, ତାରିଖ ୧୯.୦୮.୨୦୨୬ ଜାରି କରାଯାଇଥିବା ସୂଚନା ମିଳିଛି। ଏହି ନିଷେଧ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସର, ସେଫାଳି ପାହାଡ଼, କେନ୍ଦୁଗୁଡା ଡ୍ୟାମ୍, ମିନାଝୋଲା ଶୈବପୀଠ, ଗଦଗଡା ଜଳପ୍ରପାତ, ବିଭିନ୍ନ ସରକାରୀ କଲୋନୀ, ସମେତ ରାସ୍ତାଘାଟ, ବସ୍ଷ୍ଟାଣ୍ଡ, ଧାର୍ମିକ ସ୍ଥଳୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ହଷ୍ଟେଲ, ହସ୍ପିଟାଲ ପରିସର ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କ ପାଇଁ ଖୋଲା ସ୍ଥାନରେ ଲାଗୁ କରାଯାଇଥିବା ଜଣାଯାଇଛି। ଉଲ୍ଲେଖିତ ସ୍ଥାନଗୁଡ଼ିକର ତାଲିକା ସୂଚନାତ୍ମକ ମାତ୍ର ଏବଂ ସୀମିତ ନୁହେଁ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି। ଆଦେଶଟି ତକ୍ଷଣାତ୍ କାର୍ଯ୍ୟକାରୀ କରାଯାଇଥିବା ବେଳେ, ଏହାର ଉଲ୍ଲଂଘନ କ୍ଷେତ୍ରରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୨୨୩ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ । ଏହି ଆଦେଶର କଡ଼ାକଡ଼ି ପାଳନ ପାଇଁ ଉପଖଣ୍ଡର ସମସ୍ତ ତହସିଲଦାର, ଗୁଣପୁର ଓ ଗୁଡାରି କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ଥାନାର ଥାନାଧିକାରୀ ଏବଂ ଅବକାରୀ ନିରୀକ୍ଷକ, ଗୁଣୁପୁରଙ୍କୁ ନିଜ ନିଜ ଅଧିକାର କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେବାକୁ ଉପ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।


