ପୋକ୍ସୋ ମାମଲାରେ ୧୫ ବର୍ଷୀୟ ଶିଶୁ ଦୋଷୀ ସାବ୍ୟସ୍ତ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଥାନା ଅନ୍ତର୍ଗତ ଏକ ପୋକ୍ସୋ ମାମଲାରେ ଜଣେ ୧୫ ବର୍ଷୀୟ ଆଇନ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଶିଶୁ (ସିଆଇସିଏଲ୍)ଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ସୁଧାର ଗୃହକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ମୁତାବକ , ଛତ୍ରପୁର ଥାନାରେ ୪ ଜାନୁଆରୀ ୨୦୨୫ ତାରିଖରେ ଏହି ସମ୍ପର୍କିତ ମାମଲା ରୁଜୁ ହୋଇଥିଲା। ମାମଲାଟି ଛତ୍ରପୁର ଥାନା କେସ୍ ନମ୍ବର–୧୨/୨୦୨୫ ଭାବେ ରେଜିଷ୍ଟେସନ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିବା ପରେ ୩ ମାର୍ଚ୍ଚ ୨୦୨୫ ତାରିଖରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା।ମାମଲାର ଶୁଣାଣି ପରେ କୋର୍ଟ ଗତ ୨୦ ତାରିଖ ରେ ରାୟ ପ୍ରକାଶ କରିଥିଲେ। ଶୁଣାଣି ସମୟରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଧାରା ୩୩୨(ସି) ଏବଂ ପୋକ୍ସୋ ଆଇନର ଧାରା–୮ ଅନୁଯାୟୀ ଅଭିଯୋଗ ପ୍ରମାଣିତ ହୋଇଥିଲା। ଏହା ପରେ କୋର୍ଟ ଦୋଷୀ ଶିଶୁଙ୍କୁ ବିଏନ୍ଏସ୍ ଧାରା ଅନୁଯାୟୀ ୨ ମାସ ଏବଂ ପୋକ୍ସୋ ଆଇନ ଅନୁଯାୟୀ ୧ ବର୍ଷ ପାଇଁ ସୁଧାର ଗୃହରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କ ରାୟରେ ଉଭୟ ଦଣ୍ଡ ଏକାସାଙ୍ଗରେ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି।


