କୁନି କାଉଡିଆଙ୍କ ବୋଲ୍‌ବମ୍ ଯାତ୍ରା

ଆସିକା (ୱାଇଏନ୍‍ଏସ୍‍) :ଶ୍ରାବଣ ମାସର ଶେଷ ସୋମବାରରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ଆସିକା ପୌର ପରିଷଦ ଅଧିନସ୍ଥ ରଘୁନାଥନଗର ଓ ପୁଡୁଗେଶ୍ୱରପଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳର କୁନି କାଉଡିଆମାନେ ବୋଲ୍‌ବମ୍ ଯାତ୍ରାରେ ବାହାରି ଥିବା ଲକ୍ଷ୍ୟ କରାଯାଇଥିଲା । ନିଜର ତଥା ପରିବାର ବର୍ଗଙ୍କ ମଙ୍ଗଳକାମନା ପାଇଁ ମାନସିକଧାରୀ ପ୍ରାୟ ଶତାଧିକ୧୨ବର୍ଷରୁ କମ ବୟସର ଶତାଧିକ କୁନି କାଉଡିଆ ମାନେ ମଧ୍ୟ ଅଦମ୍ୟ ସାହସ ଓ ନିଷ୍ଠାର ସହ ସୋମବାର ପୁଡୁଗେଶ୍ୱରପଲ୍ଲୀ ସ୍ଥିତ ଋଷିକୂଲ୍ୟା ନଦୀରୁ ବାହୁଙ୍ଗୀରେ ଜଳଭାର ଧରି ଗୈରିକ ବସ୍ତ୍ର ପରିଧାନ କରି ତୁଣ୍ଡରେ ଶିବ ନାମ ଉଚ୍ଚାରଣ କରି ମୁକୁନ୍ଦପୁର ଗ୍ରାମ ସ୍ଥିତ ସ୍ୱପ୍ନେଶ୍ୱର ଶୈବପୀଠକୁ ଜଳାଭିଷେକ କରିବା ଲାଗି ପାଦରେ ଚାଲି ଚାଲି ରାସ୍ତାରେ ଯାଉଥିବା ଦୃଶ୍ୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଥିଲା । କୁନି କାଉଡିଆ ମାନଙ୍କ ଏହି ବୋଲ୍‌ବମ୍ ଯାତ୍ରା ଦେଖିବା ପାଇଁ ରାସ୍ତାରେ ସାଧାରଣ ଜନତାଙ୍କ ଭିଡ ଜମିଥିଲା । ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆସିକା ପୌର ପରିଷଦ ଅଧିନସ୍ଥ ରଘୁନାଥନଗର ଓ ପୁଡୁଗେଶ୍ୱରପଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳର କୁନି କାଉଡିଆମାନେ ପୁଡୁଗେଶ୍ୱର ମନ୍ଦିର ନିକଟସ୍ଥ ପବିତ୍ର ଋଷିକୂଲ୍ୟା ଓ ବଡନଦୀ ନଦୀର ସଙ୍ଗମସ୍ଥଳରେ ପଣ୍ଡିତଙ୍କ ମନ୍ତ୍ରୋଚାରଣରେ ସଂକଳ୍ପ ହୋଇ ଅତ୍ୟନ୍ତ ନିଷ୍ଠାର ସହ ଜଳଭାର ଧରି ଭୋଲାବାବା ପାର କରେଗା, ଜଟିଆବାବା ପାର କରେଗା ଇତ୍ୟାଦି ଧ୍ୱନି ଦେଇ ପାଦରେ ଚାଲି ଚାଲି ମକୁନ୍ଦପୁର ଗ୍ରାମ ସ୍ଥିତ ବାବା ସ୍ୱପ୍ନେଶ୍ୱରଙ୍କ ଶୈବପୀଠରେ ପହଞ୍ôଚ ଜଳାଭିଷେକ କରିଥିବା ଲକ୍ଷ୍ୟ କରାଯାଇଥିଲା । କୁନି କାଉଡିଆ ମାନଙ୍କ ଏହି ବୋଲ୍‌ବମ୍ ଯାତ୍ରାକୁ ସୁପରିଚାଳନା କରିବା ଦିଗରେ ଗଞ୍ଜାମ ଜିଲ୍ଲା ଚାଉଳ କଳ ମାଲିକ ସଂଘର ଉପସଭାପତି ନିଗମାନନ୍ଦ ମହାନ୍ତି, ପୁଡୁଗେଶ୍ୱରପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ତଥା ଆଧ୍ୟାତ୍ମିକପ୍ରେମୀ ସୂର୍ଯ୍ୟନାରାୟଣ ନାହାକ, ଶ୍ରଦ୍ଧାଳୁ ଭକ୍ତ ହୀନ ବାରିକ, ଗଣେଶ ମହାନ୍ତି, ଉତ୍ତମ ରାଉତ, ଆଶିଷ୍‍ ନାହାକ, ପଂଚାନନ ମହାନ୍ତି, ଶିବ ପରିଡା, କୀର୍ତ୍ତନ ବିଷୋୟୀ, ଆଶିଷ୍‍ ସ୍ୱାଇଁଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ବର୍ଷକର ଅପେକ୍ଷାର ଅନ୍ତ ଘଟାଇ ଶ୍ରାବଣର ଚତୁର୍ଥ ପାଳି ତଥା ଶେଷ ସୋମବାରରେ ମନର ଆରାଧ୍ୟ ଶୈବପୀଠ ସ୍ୱପ୍ନେଶ୍ୱରଙ୍କ ନିକଟରେ ଜଳାଭିଷେକ କରି କୁନି କାଉଡିଆମାନେ ବେଶ୍‍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବେଶ୍‍ ମହତ୍ୱ ରହିଛି । ଶ୍ରାବଣ ମାସକୁ ଧର୍ମର ମାସ ରୂପେ ବିବେଚନା କରାଯାଇଥାଏ । ଏହି ମାସ ମହାଦେବଙ୍କ ପ୍ରିୟ ମାସ ହୋଇଥିବାରୁ କାଉଡିଆମାନେ ସଂକଳ୍ପ ପୂର୍ବକ ସାତ୍ତ୍ୱିକ ଆହାର ଭକ୍ଷଣ କରିଥାନ୍ତି । ମାନସିକଧାରୀ ବୋଲବମ୍‍ ଭକ୍ତମାନେ ପବିତ୍ର ଋଷିକୁଲ୍ୟା ନଦୀ ତଟରେ ବାଲିରେ ଶିବଲିଙ୍ଗ ସ୍ଥାପନ କରି ସଂକଳ୍ପ ପୂର୍ବକ ପୂଜାର୍ଚ୍ଚନା ପରେ ମାଟି କଳସରେ ଅଭିମନ୍ତ୍ରିତ ଜଳ ଧରି ଖାଲିପାଦରେ ମୁକୁନ୍ଦପୁର ଗ୍ରାମ ସ୍ଥିତ ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠରେ ପହଞ୍ଚି ଜଳଲାଗି କରିଥିଲେ । ଶ୍ରାବଣ ମାସର ସୋମବାରରେ ମହାଦେବଙ୍କ ମସ୍ତକରେ ଜଳାଭିଷେକ କଲେ ସପରିବାରର ଉନ୍ନତି ସହ ମନସ୍କାମନା ପୂର୍ଣ୍ଣ ହୋଇ ମନୋବାଞ୍ଛିତ ଫଳ ମିଳିଥାଏ ବୋଲି ଲୋକପ୍ରଥା ପ୍ରଚଳିତ ରହିଆସିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକରେ ଶ୍ରାବଣର ଶେଷ ସୋମବାର ଅବସରରେ ମାନସିକଧାରୀ ବୋଲବମ୍‍ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । କାଉଡିଆମାନଙ୍କ ବୋଲବମ୍‍, ହରହର ବନ୍‍ ଧ୍ୱନୀରେ ସମଗ୍ର ପରିବେଶ କମ୍ପି ଉଠିଥିଲା । ମାନସିକଧାରୀ କୁନି କାଉଡିଆମାନେ ଏହି ଦିବ୍ୟ ମୂହୁର୍ତ୍ତକୁ ଅପେକ୍ଷା କରି ଆରାଧ୍ୟ ପ୍ରଭୁ ସ୍ୱପ୍ନେଶ୍ୱରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଜଳାଭିଷେକ କରିଥିବା ଦେଖିବାକୁ ମିଳିଥିଲା । ମାନସିକଧାରୀ କୁନି କାଉଡିଆମାନଙ୍କ ଶିବଭକ୍ତ ଏବଂ ଆଧ୍ୟାତ୍ମିକ ଚେତନା ସମସ୍ତଙ୍କୁ ଆକର୍ଷିତ କରିଥିବା ପରିଲକ୍ଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ