ଶିବାନନ୍ଦ ଆଶ୍ରମରେ ମାତୃ ସମ୍ମିଳନୀ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାଶ):ଚିଦାନନ୍ଦ ତପୋବନ ଶାନ୍ତି ଆଶ୍ରମ ବାଲିଗୁଆଳୀ ଠାରେ ତ୍ରିଦିବସୀୟ ମାତୃ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଏହି ସମ୍ମିଳନୀକୁ ଉଦଘାଟନ କରି ସ୍ୱାମୀ କୃଷ୍ଣଦାସାନନ୍ଦ ସରସ୍ୱତୀ, ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସ୍ୱାମୀ ଆତ୍ମିକାନନ୍ଦ ସରସ୍ୱତୀ ଓ ସ୍ୱାମୀ ମୋକ୍ଷପ୍ରୀୟାନନ୍ଦ ସରସ୍ୱତୀ କହିଲେ ମାତୃଶକ୍ତୀର ବିକାଶ ହେଲେ ଦେଶ ଓ ସମାଜର ବିକାଶ ହୋଇପାରିବ । ମାଆର ବିକାଶ ହେଲେ ସାରା ଦୁନିଆର ବିକାଶ ସମ୍ଭବ ହୋଇପାରିବ । ମାଆ ଶୃଙ୍ଖଳିତ, ସଂସ୍କାରୀ ଓ ଶିକ୍ଷିତ ହେଲେ ସମାଜକୁ ଉତ୍ତମ ସନ୍ତାନ ଦେଇପାରିବ । ଆଜିର ସମାଜରେ ବିଜ୍ଞାନ ବହୁ ଅଗ୍ରଗତି କରିଛି । ସବୁର ପରିପୂର୍ଣ୍ଣତା ଅଛି କିଛି ଅଭାବ ନାହିଁ । ହେଲେ ଭଲ ମଣିଷର ଅଭାବ ରହିଛି ବୋଲି ସେମାନେ କହିଥିଲେ । ମାତୃଶକ୍ତି ଜାଗ୍ରତ ହେଲେ ସମାଜ ତିଷ୍ଠି ରହିବ । ମାଆହିଁ ସମାଜର ମେରୁଦଣ୍ଡ । ପବିତ୍ର ଭାରତ ଭୂମିର ପୂର୍ବକାଳରେ ଥିବା ମହିୟସୀ ବିଦୁଷୀ ମହିଳାଙ୍କ ଜୀବନକୁ ଅନୁକରଣ କରିବା ଉଚିତ ବୋଲି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଶିବିରକୁ ଅକ୍ଷୟ କୁମାର ଦାସ, ଅଦୈତ ବିଶ୍ୱାଳ, ପ୍ରଫେସର ଡା. ଗୀତା ମହାନ୍ତି, ଶୈଳରାଣୀ ମିଶ୍ର, ସୁଶ୍ରୀ ରେଖାରାଣୀ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।


