ମହାବିଦ୍ୟାଳୟରେ ନାରୀ ଅଧିକାର ଓ ସଶକ୍ତିକରଣ ସଚେତନତା
ବେତନଟୀ, (ଉଦିତ କୁମାର ପରିଡା): ବେତନଟୀ ମହାବିଦ୍ୟାଳୟ ତରଫରୁ ଶକ୍ତି ଶ୍ରୀ ସଶକ୍ତିକରଣ ସେଲ ଆନୁକୂଲ୍ୟରେ ଆଜି ମହାବିଦ୍ୟାଳୟର ଅଡିଟୋରିଅମ୍ ହଲଠାରେ ନାରୀ ଅଧିକାର ଏବଂ ସଶକ୍ତିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ବେତନଟୀ ଏସ ଡି ପି ଓ ଶ୍ରୀମତୀ ମିନତୀ ବିଶ୍ୱାଳ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଚିତ୍ରଡା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅର୍ଥନୀତି ପ୍ରାଧ୍ୟାପିକା ଶ୍ରୀମତୀ ଉଷା ଶତପଥୀ ଯୋଗଦେଇ ନାରୀର ଆଇନଗତ ଅଧିକାର, ଶିକ୍ଷାର ଆବଶ୍ୟକତା, ଆର୍ଥିକ ସ୍ୱାବଲମ୍ବନ ଏବଂ ସାମାଜିକ ସୁରକ୍ଷା ବିଷୟରେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ସେ କହିଥିଲେ ଯେ, “ନାରୀ ସଶକ୍ତିକରଣ ମାନେ କେବଳ ଚାକିରି ନୁହେଁ, ଏହା ହେଉଛି ନିଜ ନିଷ୍ପତ୍ତି ନିଜେ ନେବାର କ୍ଷମତା। ପ୍ରତ୍ୟେକ ଝିଅ ଶିକ୍ଷିତ ହେଲେ ପୁରା ପରିବାର ତଥା ସମାଜ ଶିକ୍ଷିତ ହେବ। ମୁଖ୍ୟ ଅତିଥି ଏସ ଡି ପି ଓ ଶ୍ରୀମତୀ ମିନତୀ ବିଶ୍ୱାଳ ଛାତ୍ରୀମାନଙ୍କୁ ମହିଳା ସୁରକ୍ଷା ଆଇନ, ସାଇବର ଅପରାଧ, ମହିଳା ହେଲ୍ପଲାଇନ ୧୦୯୮, ୧୧୨ ନମ୍ବରର ବ୍ୟବହାର ଏବଂ ସୋସିଆଲ ମିଡିଆରେ ସତର୍କ ରହିବା ବିଷୟରେ ସଚେତନ କରାଇଥିଲେ।ଏହି କାର୍ଯ୍ୟକ୍ରମକୁ ଶକ୍ତି ଶ୍ରୀ ସଂଯୋଜିକା ଆଦ୍ୟା ଶକ୍ତି ସିଂ, ଶିକ୍ଷା ବିଭାଗ ଅଧ୍ୟାପିକା ପରିଚାଳନା କରିଥିବା ବେଳେ,ଶକ୍ତି ଶ୍ରୀ ସାଥୀ ଛାତ୍ରୀ ପ୍ରତିନିଧି ଶୁଭସ୍ମିତା ଜେନା ସହଯୋଗ କରିଥିଲେ। ଏହାସହ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷ ରେ ଓଡ଼ିଆ ବିଭାଗର ଅଧ୍ୟାପିକା ଭାନୁପ୍ରୀୟା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟର ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।


