ମଞ୍ଜୁର ହୋଇଛି ଭତ୍ତା, ହେଲେ ମିଳୁନି ହିତାଧିକାରୀଙ୍କୁ
କୋକସରା,(ଗଣେଶ କୁମାର ଭାଟି): ସରକାର ନୂତନ ଭାବେ ଆବେଦନ କରିଥିବା ଯୋଗ୍ୟ ହିତାଧକାରୀ ମାନଙ୍କୁ ଗତ ଜୁନ୍ ମାସରୁ ଭତ୍ତା ଟଙ୍କା ମଞ୍ଜୁର କରି ଜୁଲାଇ ମାସରେ ପ୍ରତି ପଞ୍ଚାୟତ ମାନଙ୍କରେ ତିନି ମାସର ଭତ୍ତା ଟଙ୍କା ବୃଦ୍ଧ ବୃଦ୍ଧା, ବିଧବା, ଭିନ୍ନକ୍ଷମ ମାନଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ତେବେ ଭତ୍ତା ଟଙ୍କା ବଣ୍ଟନ କରୁଥିବା କିଛି କର୍ମଚାରୀ ମାନେ ଏହାକୁ ଚପାଇ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତରେ। ସୂଚନାନୁଯାୟୀ ବର୍ତ୍ତମାନ ଉକ୍ତ ପଞ୍ଚାୟତରେ ସର୍ବମୋଟ ୧୩ ଜଣ ଭତ୍ତା ହିତାଧିକାରୀ ଚୟନ ହୋଇଥିବା ବେଳେ ୩ ଜଣ ଭିନ୍ନକ୍ଷମ ୬ ଜଣ ବିଧବା ଏବଂ ୪ ଜଣ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ଟଙ୍କା ମଞ୍ଜୁର ହୋଇ ଆସିଛି। ତେବେ ଏହି ତାଲିକାର ଥିବା କିଛି ହିତାଧିକାରୀ ମାନଙ୍କୁ ଜୁଲାଇ ମାସ ଏବଂ ଅଗଷ୍ଟ ମାସରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି। ହେଲେ ଭତ୍ତା ଟଙ୍କା ମଞ୍ଜୁର ହୋଇଥିବା କିଛି ହିତାଧିକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ଭତ୍ତା ଟଙ୍କା ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ପଞ୍ଚାୟତରେ ଥିବା ତେତେଲପଦର ଗ୍ରାମର ଦଶମତ ନାଗ ଜଣେ ଶାରୀରିକ ୧୦୦ % ଦୃଷ୍ଟି ବାଧିତ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି। ତାଙ୍କର ଭିନ୍ନକ୍ଷମ ଭତ୍ତା ଟଙ୍କା ମଞ୍ଜୁର ହୋଇ ଆସିଥିବା ପ୍ରକାଶ କରିଛନ୍ତି । ହେଲେ ତାଙ୍କୁ ଜୁଲାଇ ମାସରେ କିମ୍ୱା ଅଗଷ୍ଟ ମାସରେ ମଧ୍ୟ ଭତ୍ତା ଟଙ୍କା ଦିଆଯାଇ ନାହିଁ । ତେବେ ଦଶମତ ଭତ୍ତା ଟଙ୍କା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ପଚାରିବାରୁ ତମର ଭତ୍ତା ମଞ୍ଜୁର ହୋଇ ଯାଇଛି ଆସନ୍ତା ମାସରେ ଭତ୍ତା ଟଙ୍କା ପ୍ରଦାନ କରାଯିବା ନେଇ ପ୍ରକାଶ କରିଛନ୍ତି। ସେହେପରି ପଞ୍ଚାୟତର ନୂଆଗାଁ ର ବୃଦ୍ଧା ତାରା ଜାନୀଙ୍କୁ ମଧ୍ୟ ପଚାରି ବୁଝିବାରୁ ସେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଭତ୍ତା ଟଙ୍କା ପାଇନଥିବା ପ୍ରକାଶ ପାଇଛି। ତେବେ ସାଧାରଣରେ ଅନୁମାନ କରାଯାଉଛି ଯେ ପଞ୍ଚାୟତ ପ୍ରଶାସନ ଏହି ଭତ୍ତା ହିତାଧିକାରୀ ମାନଙ୍କ ଚାରି ମାସର ଭତ୍ତା ଟଙ୍କା ହଡ଼ପ କରି ଫାଇଲ ତଳେ ଚପାଇ ଦେବା ପାଇଁ ଚେଷ୍ଟା କରୁଛି। ନହେଲେ ଭତ୍ତା ଟଙ୍କା ଆସି ଦୁଇ ମାସ ବିତି ଯାଇଛି ହେଲେ ଏହି ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ଦିଆଯାଉନାହିଁ। ତେବେ ପଞ୍ଚାୟତ ପ୍ରଶାସନ ହିତାଧିକାରୀ ମାନଙ୍କ ଅଜ୍ଞାନତା ଓ ସରଳତାର ଫାଇଦା ଉଠାଇ ଭତ୍ତା ଟଙ୍କା ହଡ଼ପ କରୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନ ମେହେର ଙ୍କୁ ଯୋଗାଯୋଗ କରିବାରୁ ସମସ୍ତଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି ଏବଂ ଜଣକର ଟଙ୍କା ବାକି ଅଛି ଆସନ୍ତା ମାସରେ ତାହା ପ୍ରଦାନ କରାଯିବା ନେଇ ମତବ୍ୟକ୍ତ କରିଥିଲେ। ତେବେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଦିଗରେ ଆକର୍ଷିତ ହୋଇ ଏହାର ସଠିକ ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


