ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା
ହାଟଡିହି,(ଓ୍ବାଇଏନଏସ): ହାଟଡିହି ଅଞ୍ଚଳରେ ସାମ୍ବାଦିକତା ମାଧ୍ୟମରେ ନିଷ୍ଠାପର ଭାବେ ଜନସେବା କରିଆସୁଥିବା ଦୁଇ ବରିଷ୍ଠ ସାମ୍ବାଦିକଙ୍କୁ ଚାରଣ ଗୋଷ୍ଠୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପବିତ୍ର ବଳଭଦ୍ରଙ୍କ ଜନ୍ମତିଥି ଅବସରରେ ବସନ୍ତିଆ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚାରଣ ଗୋଷ୍ଠୀର ଜିଲ୍ଲା ସଂଗଠକ ତପନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ମହାପାତ୍ର, ସୌରଭ ରଞ୍ଜନ ଦାସ, ବ୍ରଜରାଜ ବିଶ୍ୱାଳ, ତୁଷାର କୁମାର ସା, କଳାକାର ସାହୁ, ମଧୁସୂଦନ ନାୟକ, ଗୀତାଞ୍ଜଳି ପହୀ, ସତ୍ୟାନନ୍ଦ ସାହୁ, ଦୀପା ଓଝା, ମିନତୀ ପଣ୍ଡା, ରେଣୁବାଳା ବିଶ୍ୱାଳ, ସ୍ନେହଲତା ଦାସ, କୁମୁଦିନୀ ମହାପାତ୍ର ଓ ରଜନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅଞ୍ଚଳର ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ଅଭାବ-ଅସୁବିଧା ଓ ସାମାଜିକ ପ୍ରସଙ୍ଗକୁ ନିରନ୍ତର ଭାବେ ଲୋକଲୋଚନକୁ ଆଣିବା ସହ ନିଷ୍ଠାର ସହ ସାମ୍ବାଦିକତା କରିଆସୁଥିବା ସମ୍ବାଦ ଓ କନକ ନ୍ୟୁଜ୍ର ସାମ୍ବାଦିକ କିଶୋର ଆଚାର୍ଯ୍ୟ ଓ ପ୍ରତିଦିନ ଟିଭିର ସାମ୍ବାଦିକ ବିକାଶ ବିଶ୍ୱାଳଙ୍କୁ ଚାରଣ ଗୋଷ୍ଠୀ ପକ୍ଷରୁ ଉପଢୌକନ, ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ସାମ୍ବାଦିକଙ୍କ ସାମାଜିକ ଦାୟିତ୍ୱ ଓ ଜନସ୍ୱାର୍ଥ ସମ୍ବଳିତ ଖବର ପ୍ରସାରଣର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିବା ସହ ସମ୍ବର୍ଦ୍ଧିତ ସାମ୍ବାଦିକଦ୍ୱୟଙ୍କ ଉତ୍ତରୋତ୍ତର ସଫଳତା କାମନା କରିଥିଲେ।


