ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ
ହାଟଡିହି, (ଓ୍ବାଇଏନଏସ): ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ନନ୍ଦିପଦା ଥାନା ପକ୍ଷରୁ ଶାଳଣିଆଁ ହାଇସ୍କୁଲ ଓ ଓରାଳି ହାଇସ୍କୁଲରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ସହ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସାମାଜିକ କର୍ମୀମାନେ ଯୋଗଦେଇ ନିଶା ବିରୋଧରେ ସଚେତନତାର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ଆମ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, ବୀରେନ୍ଦ୍ର କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ବୁଝାଇଥିଲେ। ବିଶେଷକରି ଯୁବପିଢ଼ି ନିଶା ପ୍ରତି ଆକର୍ଷିତ ନହୋଇ ନିଜର ଭବିଷ୍ୟତ ଗଠନ ଦିଗରେ ଧ୍ୟାନ ଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରେ ନାହିଁ, ବରଂ ଏହାର କୁପ୍ରଭାବ ପରିବାର, ଶିକ୍ଷା, ଅର୍ଥନୀତି ଓ ସମାଜ ଉପରେ ମଧ୍ୟ ପଡ଼ିଥାଏ। ନିଶା ଯୋଗୁଁ ଅନେକ ପରିବାରରେ ଅଶାନ୍ତି ସୃଷ୍ଟି ହେବା ସହ ଯୁବପିଢ଼ିର ଭବିଷ୍ୟତ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ନିଶା ବିରୋଧରେ କେବଳ ପ୍ରଶାସନ କିମ୍ବା ପୁଲିସ ନୁହେଁ, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବାକୁ ଆହ୍ୱାନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଶା ସେବନ ନକରିବା, ଅନ୍ୟମାନଙ୍କୁ ନିଶାଠାରୁ ଦୂରେଇ ରଖିବା ଏବଂ ନିଶାମୁକ୍ତ ଭାରତ ଗଠନରେ ସହଯୋଗ କରିବା ପାଇଁ ସାମୂହିକ ଭାବେ ଶପଥ ନେଇଥିଲେ।ଶାଳଣିଆଁ ହାଇସ୍କୁଲରେ ପୂର୍ବତନ ପ୍ରଧାନଶିକ୍ଷକ କୋଦଣ୍ଡଧର ମହାନ୍ତି, ପ୍ରଧାନଶିକ୍ଷକ ଗୌତମ ଧୂରୁଆ ଉପସ୍ଥିତ ଥିବାବେଳେ ଓରାଳି ହାଇସ୍କୁଲରେ ପ୍ରଧାନଶିକ୍ଷକ ଅନିଲ ସିଂଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ନନ୍ଦିପଦା ଥାନା ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ଯୁବପିଢ଼ି ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବାରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।


