ଅଭିଯୋଗ ପରେ ତତ୍ପରତା ପ୍ରକାଶ କଲା ତହସିଲ ପ୍ରଶାସନ
ବରୀ,(ଚୈତନ୍ୟ ଜେନା) : ଲଗାଣ ବର୍ଷା ଯୋଗୁ ବରୀ ଅଞ୍ଚଳକୁ ଦୁଇ ଦୁଇ ଥର ବନ୍ୟା ଆସିବା ଦ୍ଵାରା ଏହି ବ୍ଲକର ସମସ୍ତ ୨୯ ଗୋଟି ପଞ୍ଚାୟତର ଲୋକମାନେ ପ୍ରଭାବିତ ହୋଇଥିଲେ। ମାତ୍ର ପ୍ରଶାସନ ତରଫରୁ ବନ୍ୟା ପ୍ରଭାବିତ ପଂଚାୟତର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ଯୋଗାଇ ଦିଆଯାଇଥିବା ବେଳେ ଅଙ୍ଗାଳୋ ଓ ମଧୁସୂଦନ ପୁର ପଂଚାୟତର ବନ୍ୟା ଦ୍ୱାରା ପ୍ରଭାବିତ ଲୋକ ପଲିଥିନ ପାଇବାରେ ବଞ୍ଚିତ ହୋଇଥିଲେ। ଏହି ୨ଗୋଟି ପଂଚାୟତର ବଞ୍ଚିତ ହୋଇଥିବା ଲୋକମାନଙ୍କ ଅଭିଯୋଗ କ୍ରମେ ବରୀ ତହସିଲଦାର ଦିପ୍ତିମୟୀ ବେହେରା ଅଭିଯୋଗକୁ ଭିତ୍ତି କରି ପଂଚାୟତର ବିଭିନ୍ନ ରାଜସ୍ବ ଗ୍ରାମ ପରିଦର୍ଶନ କରିବା ସହିତ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ପଲିଥିନ ପ୍ରଦାନ କରିଛନ୍ତି। ଏତଦ ବ୍ୟତୀତ ଏହି ୨ଗୋଟି ପଂଚାୟତର ରାଜସ୍ବ ଗ୍ରାମ ଗୁଡିକ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବାରୁ ସରକାରୀ ନିୟମ ମୁତାବକ କ୍ଷତି ଗ୍ରସ୍ତ ହୋଇଥିବା କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।


