ଯୌତୁକ ନିର୍ଯ୍ୟାତନା ଅଭିଯୋଗ : ଥାନାରେ ଏତଲା
ଦିଗପହଣ୍ଡି(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀ ଙ୍କ ଝିଅ ଅଂଶିତା ଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବାସହ ଦିଅର ତାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଅଂଶିତା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୩୫୯/୨୬ ଅନୁଯାୟୀ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଅପରପକ୍ଷରେ ଅଂଶିତା ଙ୍କ ସମସ୍ତ ଅଭିଯୋଗ କୁ ସ୍ବାମୀ ବାଳକୃଷ୍ଣ ପାଣିଗ୍ରାହୀ,ଶ୍ବଶୁର ରବୀନ୍ଦ୍ର ପାଣିଗ୍ରାହୀ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି। ଗତ ୨୦୨୫ ଜୁଲାଇ ୧୪ ତାରିଖରେ ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ରବିନ୍ଦ୍ର ପାଣିଗ୍ରାହୀ ଙ୍କ ପୁଅ ବାଳକୃଷ୍ଣ ପାଣିଗ୍ରାହୀ ଙ୍କୁ ବିବାହ କରିଥିଲେ।ବିବାହ ସମୟରେ ସ୍ଵାମୀ ଓ ଶ୍ୱଶୁର ଘର ଲୋକଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ବିବାହର କିଛି ଦିନ ପରେ ତାଙ୍କୁ ଅଧିକା ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଆସବାବ ପତ୍ର ,ନଗଦ ଟଙ୍କା ବାପା ଘରୁ ଆଣିବା ପାଇଁ ନିର୍ଯ୍ୟାତନା ଦିଆଯାଇଥିଲା। ଏପରିକି ଦିଅର ତାଙ୍କୁ ଅସଦାଚରଣ କରିବା ସହ ଯୌନ ନିର୍ଯ୍ୟାତନା ଦେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।ଅପରପକ୍ଷରେ ଅଂଶିତା ଙ୍କ ସମସ୍ତ ଅଭିଯୋଗ କୁ ସ୍ବାମୀ ବାଳକୃଷ୍ଣ ପାଣିଗ୍ରାହୀ,ଶ୍ବଶୁର ରବୀନ୍ଦ୍ର ପାଣିଗ୍ରାହୀ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି। ବିବାହର ମାତ୍ର କିଛିଦିନ ପରେ ଅଂଶିତା ତାଙ୍କ ବାପ ଘରକୁ ପଳାଇଥିଲେ। ପରେ ସେ ଚେନ୍ନାଇ ଯାଇ ସେଠାକାର ଏକ କମ୍ପାନୀ ରେ କାମ କରିଥିଲେ। ତେଣୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ଅସତ୍ୟ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଂଶିତା ଙ୍କ ଶ୍ବଶୁର କହିଛନ୍ତି। ତାଙ୍କୁ ବାରମ୍ବାର ଡକାଯିବା ସତ୍ତ୍ବେ ସେ ଶ୍ବଶୁର ଘରକୁ ଆସିନଥିଲେ। ଏନେଇ ଉଭୟ ପକ୍ଷଙ୍କ ବନ୍ଧୁବର୍ଗ ଏବଂ ଗାଁ ଭଦ୍ରଲୋକ ଙ୍କ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଅଂଶିତା ଓ ତାଙ୍କ ପରିବାର ଲୋକେ ସହଯୋଗ କରିନଥିବା କାରଣରୁ ସମାଧାନ ହୋଇପାରିନଥିଲା ବୋଲି ଅଂଶିତା ଙ୍କ ସ୍ବାମୀ କହିଛନ୍ତି।ସମୁଦାୟ ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନା କୁ ଆସିବ ବୋଲି ପୁଲିସ କହିଛି।


