ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ ଘଟଣା, ଯୁବକ ଗିରଫ

ଛତ୍ରପୁର,: ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ୫ ବର୍ଷର ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ ଘଟଣାରେ ଛତ୍ରପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ରାଜପୁର ଗ୍ରାମର ଧ୍ରୁବ ଗୌଡ଼ ବୋଲି ଜଣାପଡ଼ିଛି। ପୂର୍ବରୁ ୨୦୧୧ ମସିହାର ଏକ ଦୁଷ୍କର୍ମ ମାମଲାରେ ଧ୍ରୁବ ପ୍ରାୟ ୪ ବର୍ଷ ଜେଲ୍‌ରେ ରହିଥିବା ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଗତକାଲି ନାବାଳିକା ତା’ର ଜେଜେମା’ଙ୍କ ସହ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିଲା। ଏହି ସମୟରେ ଅଭିଯୁକ୍ତ ଧ୍ରୁବ ନାବାଳିକାକୁ ବିସ୍କୁଟ ଓ ଫ୍ରୁଟି ଦେଇ ପରେ ତାକୁ ନେଇ ସେଠାରୁ ଚାଲିଯାଇଥିଲା। କିଛି ସମୟ ପରେ ଜେଜେମା’ ନାବାଳିକାକୁ ଖୋଜାଖୋଜି କରିଥିଲେ ମଧ୍ୟ ତା’ର ପତ୍ତା ମିଳିନଥିଲା। ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ମେଡିକାଲ ପରିସରର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଏଥିରେ ଜଣେ ବ୍ୟକ୍ତି ନାବାଳିକାକୁ ନେଇ ଯାଉଥିବା ଦୃଶ୍ୟ ପୁଲିସ ହାତରେ ଲାଗିଥିଲା। ନାବାଳିକାକୁ ଶୀଘ୍ର ଉଦ୍ଧାର କରିବା ପାଇଁ ପୁଲିସ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଥିଲା। ଏଥିସହ ନାବାଳିକାର ଫଟୋ ବିଭିନ୍ନ ସ୍ଥାନକୁ ପଠାଯାଇବା ସହ ସୋସିଆଲ ମିଡିଆରେ ପ୍ରଚାର କରାଯାଇଥିଲା। ପରେ ମେଡିକାଲଠାରୁ ପ୍ରାୟ ୧୦ କିଲୋମିଟର ଦୂର ଦନେଇ ବ୍ରହ୍ମପୁର ଗ୍ରାମରେ ନାବାଳିକା ଥିବା ସମ୍ପର୍କରେ ଗ୍ରାମବାସୀ ଜାଣିବାକୁ ପାଇଥିଲେ। ସୋସିଆଲ ମିଡିଆରେ ପ୍ରଚାରିତ ନାବାଳିକାର ଫଟୋ ଦେଖି ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ। ଛତ୍ରପୁର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଧ୍ରୁବକୁ ଗିରଫ କରିଥିଲା। ଏନେଇ ଛତ୍ରପୁର ଥାନାରେ ୪୧୨ ନଂ ର ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ପକ୍ଷରୁ ପ୍ରେସ ମିଟ ଯୋଗେ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ