ଭୋଟର ତାଲିକାରୁ ନାମ କାଟିବାକୁ ଷଡ଼ଯନ୍ତ୍ର ଅଭିଯୋଗ: ଥାନାରେ ଏତଲା
ଧାମନଗର (ଓ୍ବାଇଏନଏସ): ଭୋଟର ତାଲିକାରୁ ନାମ ବାଦ୍ ଦେବାକୁ ଜାଲିଆତି ଓ ଷଡ଼ଯନ୍ତ୍ର ହୋଇଥିବା ନେଇ ଧାମନଗର ଥାନାରେ ସଙ୍ଗୀନ ଅଭିଯୋଗ ହୋଇଛି। ଧାମନଗର ଏନ୍ଏସିର ୫ ନମ୍ବର ୱାର୍ଡ ନାୟକସାହିର ମୀର ମନସୁର ସୋମବାର ସନ୍ଧ୍ୟାରେ ଥାନା ଅଧିକାରୀ ସୁବ୍ରଜିତ ଦାସଙ୍କୁ ସାକ୍ଷାତ କରି ଏନେଇ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ମିର୍ ମନସୁରଙ୍କ ଅଜାଣତରେ ତାଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବା ପାଇଁ ଫର୍ମ ନମ୍ବର–୭ରେ ଆବେଦନ କରାଯାଇଛି। ସେ ନିଜେ କେବେ ମଧ୍ୟ ଭୋଟର ତାଲିକାରୁ ନାମ କାଟିବା ପାଇଁ କୌଣସି ଆବେଦନ କରିନଥିବା ଦର୍ଶାଇଛନ୍ତି। ମୀର ମନସୁରଙ୍କ ଅଭିଯୋଗ ଅନୁସାରେ,ସମ୍ପୃକ୍ତ ବୁଥ୍ର ବିଏଲ୍ଓଙ୍କ ମୋବାଇଲ୍ରୁ ଓଟିପି ନେଇ ତାଙ୍କ ନାମ ବାଦ୍ ଦେବା ସମ୍ପର୍କିତ ଆବେଦନ ସବମିଟ୍ କରାଯାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଡିଜିଟାଲ୍ ଫୋରେନ୍ସିକ୍,ଓଟିପି ଲଗ୍,ୟୁଜର ଆଇଡି, ଆଇପି ଆଡ୍ରେସ୍ ଓ ଆବେଦନ ପାଇଁ ବ୍ୟବହୃତ ଡିଭାଇସ୍ର ଯାଞ୍ଚ କରାଯିବାକୁ ସେ ଦାବି କରିଛନ୍ତି। ଏହା ଦ୍ୱାରା କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କ ନାମ ବାଦ୍ ଦେବାକୁ ଆବେଦନ କରିଛି,ତାହା ସ୍ପଷ୍ଟ ହୋଇପାରିବ ବୋଲି ଅଭିଯୋଗରେ ଦର୍ଶାଯାଇଛି।ଅଭିଯୋଗ ହସ୍ତଗତ ହେବା ପରେ ପୁଲିସ ଘଟଣାର କିଭଳି ତଦନ୍ତ କରୁଛି ଏବଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପରେ କି ପଦକ୍ଷେପ ନେଉଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


