ଗୋବିନ୍ଦପୁର ମାଇନର କେନାଲର ଦୁରବସ୍ଥା, ଶୁଖି ଗଲାଣି ଚାଷଜମି

ହାଟଡିହି(ଓ୍ବାଇଏନଏସ): ଚାଷୀଙ୍କ ଜୀବନ ଓ ଜୀବିକାର ମୁଖ୍ୟ ଆଧାର ହେଉଛି ଜଳସେଚନ। ଠିକ୍ ସମୟରେ ଚାଷଜମିକୁ ପାଣି ମିଳିଲେ ଚାଷୀ ଭଲ ଫସଲ ଅମଳ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଦେଶର ଖାଦ୍ୟ ଉତ୍ପାଦନରେ ଯୋଗଦାନ କରିଥାଏ। କିନ୍ତୁ ଜଳସେଚନର ସୁବିଧା ଥାଇ ମଧ୍ୟ ଯଦି ଆବଶ୍ୟକ ସମୟରେ ଚାଷଜମିକୁ ପାଣି ନ ପହଞ୍ଚେ, ତେବେ ଚାଷୀଙ୍କ ସମସ୍ତ ପରିଶ୍ରମ ବୃଥା ହେବାର ଆଶଙ୍କା ରହିଥାଏ। ଏଭଳି ଏକ ସମସ୍ୟା ଏବେ ଗୋବିନ୍ଦପୁର ମାଇନର କେନାଲ ଉପରେ ନିର୍ଭରଶୀଳ ଚାଷୀଙ୍କୁ ଚିନ୍ତାରେ ପକାଇଛି। ଗୋବିନ୍ଦପୁର ମାଇନର କେନାଲର ବର୍ତ୍ତମାନର ପରିସ୍ଥିତିକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି କେନାଲ ଉପରେ ଆଗିରିଆ, କୋଦମ୍ବଡିହି, ସମଣା, ଚାପୁଣ୍ଡିଆ, କୁଆଡ଼, ଗୋବିନ୍ଦପୁର ସମେତ ଆଖପାଖ ଅଞ୍ଚଳର ଅନେକ ଗ୍ରାମର ଚାଷୀ ନିର୍ଭର କରିଥାନ୍ତି। କେନାଲ ମାଧ୍ୟମରେ ଚାଷଜମିକୁ ଜଳ ଯୋଗାଣ ହେବା ଆଶାରେ ଚାଷୀମାନେ ଧାନ ଚାଷ କରୁଥିବା ବେଳେ ଆବଶ୍ୟକ ସମୟରେ ପାଣି ନ ମିଳିବା ଚାଷୀଙ୍କୁ ଚିନ୍ତାରେ ପକାଇଛି।ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ଏହି କେନାଲ ମାଧ୍ୟମରେ ଜଳଯୋଗାଣକୁ ନେଇ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଫଳରେ ଆବଶ୍ୟକ ସମୟରେ ଜମିକୁ ପାଣି ନ ପହଞ୍ଚିବାରୁ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ଧାନ ଗଛର ବୃଦ୍ଧି, ଗଛରେ କେଣ୍ଡା ଆସିବା ଓ ଧାନ ଦାନା ଭରିବା ସମୟରେ ଆବଶ୍ୟକ ପାଣି ନାହିଁ। ଚାଷ ଜମି ଶୁଖିଲା ପଡ଼ିଥିବା ବେଳେ  ପାଣିର ଅଭାବ ଯୋଗୁଁ ଫସଲର ବୃଦ୍ଧି ବାଧାପ୍ରାପ୍ତ ହେବା ସହ ଅମଳ ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି । ଚାଷ ପାଇଁ ବିହନ, ସାର, ଔଷଧ ଓ ଶ୍ରମିକଙ୍କ ପାରିଶ୍ରମିକ ବାବଦରେ ଅର୍ଥ ଖର୍ଚ୍ଚ କରିଥିବା ଚାଷୀଙ୍କ ପାଇଁ ଜଳସେଚନର ଅଭାବ ଆର୍ଥିକ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଚାଷୀମାନଙ୍କ କହିବା ଅନୁଯାୟୀ, କେନାଲ ଥାଇ ମଧ୍ୟ ଯଦି ଚାଷଜମିକୁ ଆବଶ୍ୟକ ପରିମାଣରେ ପାଣି ଯୋଗାଇ ଦିଆଯାଇପାରୁନାହିଁ, ତେଣୁ ଏହାର ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଯାହାର ପୋଖରୀ ସୁବିଧା ଅଛି ସେ ପମ୍ପ ଲଗାଇ ପାଣି ମୁନ୍ଦେ ମଡାଉଛନ୍ତି। ନହେଲେ ସବୁ ବିଲ ଏବେ ଫାଟି ଆଁ କଲାଣି। ଏହି ସମସ୍ୟା ପ୍ରତି ଶାଳପଡ଼ା ଜଳସେଚନ ଡିଭିଜନ ଆବଶ୍ୟକ ଗୁରୁତ୍ୱ ଦେଉନଥିବାରୁ ଚାଷୀମାନେ ପ୍ରତିବର୍ଷ ଏପରି ସମସ୍ୟା ଭୋଗୁଛନ୍ତି।  କେନାଲର ସ୍ଥିତି ଯାଞ୍ଚ କରିବା ସହ ଜଳଯୋଗାଣରେ ଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ସମାଧାନ କରିବା ଦିଗରେ ବିଭାଗ ପଦକ୍ଷେପ ନେବା ଆବଶ୍ୟକ ବୋଲି ଚାଷୀମାନେ ମତ ଦେଇଛନ୍ତି। କେନାଲରେ ପାଣି ପ୍ରବାହ ସ୍ୱାଭାବିକ କରିବା, ଆବଶ୍ୟକ ସ୍ଥାନରେ ଘାଇ ମରାମତି କରିବା ଏବଂ ଶେଷମୁଣ୍ଡରେ ଥିବା ଚାଷଜମି ପର୍ଯ୍ୟନ୍ତ ପାଣି ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବାକୁ ଚାଷୀ ଦୀପକ ରାଉତ, ରତ୍ନାକର ବେହେରା, ନିରଞ୍ଜନ ବିଶ୍ୱାଳ, ଅକ୍ଷୟ ରାଉତ, ପର୍ଶୁ ମହାପାତ୍ର, ଗୋପବନ୍ଧୁ ଜେନା, ସୁଶାନ୍ତ ଜେନା, ଶତ୍ରୁଘନ ଜେନା, ରତ୍ନାକର ଜେନା, ବନମାଳୀ ନାୟକ, ମାଧ ଘୋଷ, ଆଲୋକ ଦାସ, ରତ୍ନାକର କବି, ବାବୁଲି ନାୟକ, ସୁରେନ୍ଦ୍ର ମାଝୀ, ମଦନ ରାଉତ, ସୁରେନ୍ଦ୍ର ଜେନା ଓ କାହ୍ନୁ ଜେନା ପ୍ରମୁଖ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ