ଜଣେ ଶିକ୍ଷୟିତ୍ରୀରେ ଚାଲିଛି ମନୋହରପୁର ପ୍ରାଥମିକ ବିଦ୍ୟାଳୟ ଶିକ୍ଷାଦାନ ବ୍ୟାହତ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହି,(ଓ୍ବାଇଏନଏସ): ଜଣେ ଶିକ୍ଷୟିତ୍ରୀରେ ଚାଲିଛି ମନୋହରପୁର ପ୍ରାଥମିକ ବିଦ୍ୟାଳୟ। ଫଳରେ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ନିକଟସ୍ଥ ଅଧିକ ଶିକ୍ଷକ ଥିବା ବିଦ୍ୟାଳୟରୁ ଶିକ୍ଷକଙ୍କୁ ଆଣି ଶିକ୍ଷାଦାନ ବ୍ୟବସ୍ଥା ସୁଦୃଢ଼ କରିବାକୁ ସରକାରୀ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏଠାରେ ତାହା କାର୍ଯ୍ୟକାରୀ ହେଉନଥିବା ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହାଟଡିହି ବ୍ଲକ ଶାଳନିଆଁ ପଞ୍ଚାୟତ ଅନ୍ତର୍ଗତ ମନୋହରପୁର ପ୍ରାଥମିକ ବିଦ୍ୟାଳୟରେ ବାଲବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬ଟି ଶ୍ରେଣୀ ରହିଛି। ଏଠାରେ ମନୋହରପୁର ଓ ସୋଲପଟା ଗ୍ରାମର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଦୁଇଟି ଯାକ ଗ୍ରାମରେ ବହୁତ ଛାତ୍ରଛାତ୍ରୀ ଥିଲେବି ସରକାରୀ ସ୍କୁଲରେ ଉପଯୁକ୍ତ ଶିକ୍ଷାଦାନ ହେଉ ନଥିବାରୁ ଅନେକ ଅଭିଭାବକ ବେସରକାରୀ ସ୍କୁଲରେ ସେମାନଙ୍କ ଛୁଆଙ୍କୁ ପଢ଼ାଉଛନ୍ତି ବୋଲି କହିଛନ୍ତି। ତେବେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ମାତ୍ର ଜଣେ ଶିକ୍ଷୟିତ୍ରୀ ରହିଛନ୍ତି। ସୂଚନା ଅନୁଯାୟୀ, ପୂର୍ବରୁ ବିଦ୍ୟାଳୟରେ ଦୁଇଜଣ ଶିକ୍ଷୟିତ୍ରୀ ରହିଥିଲେ। ପ୍ରାୟ ଦୁଇମାସ ତଳେ ଜଣେ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିବା ପରେ ଏବେ ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ସମସ୍ତ ଦାୟିତ୍ୱ ପଡ଼ିଛି। ଶିକ୍ଷାଦାନ ସହିତ ଅଫିସ କାର୍ଯ୍ୟ, ମଧ୍ୟାହ୍ନ ଭୋଜନ ପରିଚାଳନା ଓ ଅନ୍ୟାନ୍ୟ ବିଦ୍ୟାଳୟ କାର୍ଯ୍ୟ ମଧ୍ୟ ତାଙ୍କୁ ଏକାକୀ ସମ୍ଭାଳିବାକୁ ପଡ଼ୁଛି। ଫଳରେ ଛାତ୍ରଛାତ୍ରୀଙ୍କୁ ନିୟମିତ ଓ ଉପଯୁକ୍ତ ଭାବେ ଶିକ୍ଷାଦାନ କରିବା କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ, ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ସ୍ଥାନୀୟ ସିଆରସିସିଙ୍କ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା କରାଯିବାର ନିୟମ ଥିଲେ ମଧ୍ୟ ମନୋହରପୁର ବିଦ୍ୟାଳୟରେ ଏହାର ସୁଫଳ ମିଳୁନଥିବା ଅଭିଭାବକମାନେ କହିଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଶିକ୍ଷାଦାନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତି କିମ୍ବା ନିକଟସ୍ଥ ବିଦ୍ୟାଳୟରୁ ଶିକ୍ଷକଙ୍କୁ ଆଣି ଶିକ୍ଷାଦାନ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏଥିପ୍ରତି ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି। ଏ ସମ୍ପର୍କ ରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ମତାମତ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଟେଲିଫୋନ ରିସିଭ କରି ନଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ