ବନ୍ୟାରେ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ମିଳିଲାନି ପାଲ, ଆରଆଇ ଅଫିସ ଘେରାଉ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଧୁଷୁରୀ ତଳିଆ ଅଞ୍ଚଳର ବନ୍ୟାରେ ପ୍ରକୃତ କ୍ଷତିଗ୍ରସ୍ତ ପରିବାରଙ୍କୁ ପାଲ ଦିଆଯାଉନାହିଁ। କେବଳ ଦଳୀୟ ଭିତ୍ତିରେ ପକ୍କା ଓ କୋଠାଘର ଥିବା ଲୋକଙ୍କୁ ପାଲ ବଣ୍ଟନ କରାଯାଇଥିବା ଅଭିଯୋଗକୁ ନେଇ ଧୁଷୁରୀ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ବୁଧବାର NACର ୧ନମ୍ବର ୱାର୍ଡର ବାଙ୍କସାହି, ପତ୍ରିସାହି ଓ ଖୋପସାହିର ପ୍ରାୟ ୪୦ରୁ ୫୦ ଜଣ ୱାର୍ଡବାସୀ କୋଠାର ଆର ଆଇ ଅଫିସ ଘେରାଉ କରିଛନ୍ତି। ଅଭିଯୋଗ ଅନୁଯାୟୀ,ବାଙ୍କସାହିର ବାଦଲ ରାଉତଙ୍କ ସମେତ ଅନେକ ଗରିବ ପରିବାରଙ୍କ ଚାଳଘରେ ପାଣି ପଶି କ୍ଷତି ହୋଇଥିଲେ ମଧ୍ୟ ସେମାନଙ୍କୁ ପାଲ ମିଳିନଥିଲା। ଅନ୍ୟପକ୍ଷରେ ପକ୍କା ଓ କୋଠାଘର ଥିବା କେତେକ ଲୋକଙ୍କୁ ପାଲ ଦିଆଯାଇଥିବା ସହ ବଣ୍ଟନରେ ପକ୍ଷପାତ ହୋଇଥିବା ନେଇ ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି। କେଉଁ ମାନଦଣ୍ଡ ଓ କାହାର ନିର୍ଦ୍ଦେଶରେ ପାଲ ବଣ୍ଟନ କରାଗଲା ବୋଲି ଲୋକେ ଆର ଆଇ ଙ୍କୁ ପ୍ରଶ୍ନ କରିଥିଲେ। ପାଲ ପାଇବାରୁ ବଞ୍ଚିତ କ୍ଷତିଗ୍ରସ୍ତ ପରିବାରମାନେ ଆଧାର କାର୍ଡ ସହ ଲିଖିତ ଆବେଦନ କଲେ ସେମାନଙ୍କୁ ପାଲ ଯୋଗାଇ ଦିଆଯିବ ବୋଲି ଆର ଆଇ ପ୍ରତିଶ୍ରୁତି ଦେବା ପରେ ପ୍ରତିବାଦ ଓ ଉତ୍ତେଜନା ଶାନ୍ତ ପଡ଼ିଥିଲା। ଏଠାରେ ପ୍ରଶ୍ନ ଉଠେ ଯେ କାହ ଇଙ୍ଗିତରେ ନିର୍ଦିଷ୍ଟ ଦଳ ଲୋକଙ୍କୁ ପାଲ ଦିଆଯାଉଛି ଏହାକୁ ବନ୍ୟା ପ୍ରଭାବିତ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପାଲ ବଣ୍ଟନ ପ୍ରକ୍ରିୟାର ନିରପେକ୍ଷ ତଦନ୍ତ କରି ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ୱାର୍ଡବାସୀ ଜିଲ୍ଲା ଓ ବ୍ଲକ ପ୍ରପ୍ରଶାସନକୁ ଦାବି କରିଛନ୍ତି।


