ତସ୍ମୈ ଶ୍ରୀଗୁରବେ ନମଃ


ହେମନ୍ତ କୁମାର ଗନ୍ତାୟତ

ଭାରତୀୟ ସଂସ୍କୃତି, ପରମ୍ପରା , ଦର୍ଶନ ଓ ସାହିତ୍ୟ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ଥାନ ଲାଭ କରିଛି। ଏହି ଶାସ୍ତ୍ରର ରଚୟିତାମାନେ ଥିଲେ ଜଣେ ଜଣେ ଆଦର୍ଶ ମାର୍ଗଦର୍ଶକ। ସେହିମାନଙ୍କ ମାର୍ଗଦର୍ଶନକୁ ନେଇ ଗଢ଼ି ଉଠିଥିଲା ଆନେକ ବୈଦିକ ଗୁରୁକୂଳ ଆଶ୍ରମ। ଯେଉଁଠି ପୁଣ୍ୟାତ୍ମା ଗୁରୁମାନେ ଉତ୍ତମ ଶିଷ୍ୟମାନଙ୍କୁ ନିର୍ମାଣ କରିବା ସହ ତାଙ୍କର ଲକ୍ଷ୍ୟକୁ ନିର୍ଦ୍ଧାରଣ କରୁଥିଲେ। ତେଣୁ ଆମ ସଂସ୍କୃତିରେ ‘ଗୁରୁ’ ଏବଂ ‘ଗୁରୁ’ ଶବ୍ଦର ସ୍ଥାନ ଅତିବ ଉଚ୍ଚରେ। ଗୁରୁ କେବଳ ଜଣେ ଶିକ୍ଷାଦାତା ନୁହଁନ୍ତି, ସେ ହେଉଛନ୍ତି ଶିଷ୍ୟ ନିମନ୍ତେ ଦେବଦୂତ, ଯେ କି ଅନ୍ଧକାରରୁ ଆଲୋକକୁ ନେଇଯାଇଥାନ୍ତି। ଏପରି ଅନେକ ଗୁରୁ ବୈଦିକ ଯୁଗରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଏ ପାବନ ଭାରତ ବର୍ଷରେ ଜନ୍ମ ଗ୍ରହଣ କରିଛନ୍ତି। ସେହିମାନଙ୍କ ମଧ୍ୟରୁ ଜଣେ ଥିଲେ ମହାନ ଆଦର୍ଶ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ। ସେ ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ।

ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ଛାତ୍ର ଥିଲେ ଏବଂ ପରବର୍ତ୍ତୀ ସମୟରେ ଜଣେ ପ୍ରତିଷ୍ଠିତ ଶିକ୍ଷକ ଓ ଦାର୍ଶନିକ ଭାବେ ବିଶ୍ୱରେ ସୁଖ୍ୟାତି ଅର୍ଜନ କରିପାରିଲେ। ସେ କଲିକତା ବିଶ୍ୱବିଦ୍ୟାଳୟ, ମହିଶୂର ବିଶ୍ୱବିଦ୍ୟାଳୟ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରିଥିଲେ। ରାଧାକୃଷ୍ଣନ କହୁଥିଲେ, “ଶିକ୍ଷକମାନେ ଦେଶର ସର୍ବଶ୍ରେଷ୍ଠ ମସ୍ତିଷ୍କ ହେବା ଉଚିତ। ସେ ଯେତେବେଳେ ଭାରତର ରାଷ୍ଟ୍ରପତି ହେଲେ, ସେତେବେଳେ ତାଙ୍କର କିଛି ଛାତ୍ର ଏବଂ ବନ୍ଧୁ ତାଙ୍କର ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଥିଲେ। ଏହାର ଉତ୍ତରରେ ରାଧାକ୍ରିଷ୍ଣନ କହିଥିଲେ ଯେ ମୋର ଜନ୍ମଦିନକୁ ପୃଥକ ଭାବେ ପାଳନ ନକରି ଯଦି ଏହି ଦିବସକୁ ‘ଶିକ୍ଷକ ଦିବସ’ ବା ‘ଗୁରୁଦିବସ’ ଭାବେ ପାଳନ କରାଯାଏ, ତେବେ ମୁଁ ନିଜକୁ ଗୌରବାନ୍ୱିତ ମନେ କରିବି। ସେହି ଦିନଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଦେଶବ୍ୟାପୀ ଗୁରୁଦିବସ ଭାବେ ପାଳନ କରାଯାଉଛି। ଏହି ବିଶେଷ ଦିନଟି ଆମକୁ ଗୁରୁ ଓ ଶିଷ୍ୟର ପବିତ୍ର ସମ୍ପର୍କ ଏବଂ ସମାଜ ଗଠନରେ ଗୁରୁଙ୍କ ଭୂମିକା ବିଷୟରେ ଗଭୀର ଅନୁଚିନ୍ତା କରିବାକୁ ସୁଯୋଗ ଦେଇଥାଏ। ଆମ ଇତିହାସରେ ଗୁରୁ-ଶିଷ୍ୟ ପରମ୍ପରାର ଅନେକ ଅନନ୍ୟ ଉଦାହରଣ ରହିଛି। ଯଥା ଶ୍ରୀକୃଷ୍ଣଙ୍କ ଗୁରୁ ସାନ୍ଦୀପନି, ଶ୍ରୀରାମଙ୍କ ଗୁରୁ ବଶିଷ୍ଠ ଓ ବିଶ୍ୱାମିତ୍ର, ଚନ୍ଦ୍ରଗୁପ୍ତଙ୍କ ଗୁରୁ ଚାଣକ୍ୟ ଏବଂ ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ସମ୍ପର୍କ ଏହାର ପ୍ରକୃଷ୍ଟ ଉଦାହରଣ। ଗୁରୁଙ୍କ ନିର୍ଦ୍ଦେଶ ଓ ଶିକ୍ଷା ବଳରେ ହିଁ ଜଣେ ସାଧାରଣ ବାଳକ ସମ୍ରାଟ କିମ୍ବା ମହାପୁରୁଷରେ ପରିଣତ ହୋଇଥାଏ।

ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି। ସେ ଗୁରୁ ଅର୍ଥରେ ମହାମହିମ। ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି। ଉକ୍ତ ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ ନିଜସ୍ୱ ଏକ କବିତାର ପଂକ୍ତିକୁ ଉଲେଖ କରୁଛି : –
ଅଜ୍ଞାନ ତିମିର କରନ୍ତି ଯେ ଦୂର
ସଂସାର ସାଗରେ ରହି
ନୁହନ୍ତି ସେ ନର ସାକ୍ଷାତ ଠାକୁର
ବ୍ରହ୍ମା ବିଷ୍ଣୁ ରୁଦ୍ର ସେହି।
ଗୁରୁ ବିରାଟ ଏବଂ ମହାନ ବ୍ୟକ୍ତିତ୍ୱକୁ ମଧ୍ୟ ବୁଝାଇଥାଏ । ମନୁଷ୍ୟ ନିଜର ଆପ୍ରାଣ ଚେଷ୍ଟା ମାଧ୍ୟମରେ ଯାହା ସମ୍ଭବ କରିପାରେନା , ତାହା ଗୁରୁକୃପା ଦ୍ୱାରାରେ ହିଁ ଅଚିରେ ଉପଲବ୍ଧ ହେଇଥାଏ। ପ୍ରାଚୀନ କାଳରେ ମୁନି ଓ ଋଷିମାନେ ଆଷାଢ଼ ମାସ ପୂର୍ଣ୍ଣିମା ତିଥିଠାରୁ ଚତୁର୍ମାସ୍ୟା ବ୍ରତ ପାଳନ କରିବା ସହ ଆତ୍ମ ସାକ୍ଷାତକାର କରିବା ନିମିତ୍ତ ନିଜ ନିଜ ଗୁରୁଙ୍କର ସେବାରେ ନିମଗ୍ନ ରହୁଥିଲେ। ଆତ୍ମ ସାକ୍ଷାତକାର କରିବା ପାଇଁ ଗୁରୁଙ୍କର ସହାୟତା ଅତ୍ୟନ୍ତ ଆବଶ୍ୟକ। ଏଣୁ ଭବସିନ୍ଧୁରୁ ପାର ହେବା ଲାଗି ଆତ୍ମଦର୍ଶି ସଦଗୁରୁଙ୍କ କୃପାଭିକ୍ଷା ନିତ୍ୟାନ୍ତ ପ୍ରୟୋଜନ। ସେ ହିଁ ଏ ଭବସିନ୍ଧୁର ନାବିକ। ତେଣୁ ତା’ଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବା ବିଦେହ। ଏହାକୁ ଦୃଷ୍ଟିରେ ରଖି ସନାତନ ଧର୍ମର ସମସ୍ତ ସମ୍ପ୍ରଦାୟ ଶିଷ୍ୟମାନେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ କରିଥାନ୍ତି ।

ପ୍ରାଚୀନ କାଳରେ ଗୁରୁ କୂଳରେ ଶିଷ୍ୟମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଉପଯୁକ୍ତ ଶିକ୍ଷା ଦେବାର ବ୍ୟବସ୍ଥା ଥିଲା ଏବଂ ଶିକ୍ଷାର ଉପଯୁକ୍ତ ଦକ୍ଷତା ହାସଲ ପରେ ଗୁରୁଦକ୍ଷିଣା ଦାନ ପୂର୍ବକ ଶିଷ୍ୟ ମାନେ ବିଦାୟ ନେଉଥିଲେ। ଏହି ଦକ୍ଷିଣା ଥିଲା ଶିଷ୍ୟମାନଙ୍କର ଏକ ସମର୍ପଣର ଭାବ। କିନ୍ତୁ ଆଜି ଆଉ ଅରଣ୍ୟ ମାନଙ୍କରେ ଗଢି ଉଠିଥିଵା ସେହି ଗୁରୁକୂଳମାନ ଦେଖିବାକୁ ମିଳେନାହିଁ। ଆଧୁନିକ ଯୁଗରେ ବର୍ତ୍ତମାନ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାନଙ୍କରେ କେବଳ ଭୌତିକ ଶିକ୍ଷା ପ୍ରଦାନ କରାଯାଏ। ଏହି ଶିକ୍ଷାକୁ ଯେଉଁମାନେ ପ୍ରଦାନ କରନ୍ତି ସେହିମାନଙ୍କୁ ଶିକ୍ଷକ କୁହାଗଲା। ଆଧ୍ୟାତ୍ମିକ ଶିକ୍ଷାର ଅଭାବ ଯୋଗୁଁ ଆଜି ନୈତିକ ମୂଲ୍ୟବୋଧର ଘୋର ଅଭାବ ଦେଖିବାକୁ ମିଳୁଛି। ଯାହା ଫଳରେ ଅଧୁନା ଆଉ ଗୁରୁ ଓ ଶିଷ୍ୟର ପରମ୍ପରା ଉଭେଇ ଯାଇଛି।

ଗୁରୁଦିବସ ହେଉଛି କୃତଜ୍ଞତା ଜ୍ଞାପନ କରିବାର ଦିନ। ଜୀବନର ପ୍ରତିଟି ମୋଡ଼ରେ ଆମକୁ ଯେ ସତ୍ ପଥ ଦେଖାଇଥିବା ପ୍ରତ୍ୟେକ ଗୁରୁଙ୍କ ଚରଣରେ ପ୍ରଣାମ ଜଣାଇବାର ଏହା ଏକ ପବିତ୍ର ଅବସର। ପ୍ରଥମ ଗୁରୁ ମା’-ବାପାଙ୍କ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ଶିକ୍ଷକ ଏବଂ ଜୀବନରୁ ଅଭିଜ୍ଞତା ପ୍ରଦାନ କରିଥିବା ପ୍ରତ୍ୟେକ ବ୍ୟକ୍ତି ଆମ ପାଇଁ ପୂଜନୀୟ। ଆସନ୍ତୁ, ଆମେ ସମସ୍ତେ ଏହି ପବିତ୍ର ଗୁରୁଦିବସରେ ଗୁରୁମାନଙ୍କ ଉପଦେଶକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବା ସହ ଏକ ଉତ୍ତମ ଶିଷ୍ୟ ହେବା ପାଇଁ ସଂକଳ୍ପ ନେବା।

ବରିଷ୍ଠ ଦର୍ଶନ ଅଧ୍ୟାପକ
ଡ଼ଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ
କବିସୂର୍ଯ୍ୟ ନଗର, ଗଞ୍ଜାମ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ