ଶିକ୍ଷାଦାନରେ ବ୍ରତୀ ଦୃଷ୍ଟିଶକ୍ତି ବାଧିତ ଶିକ୍ଷକ ଶ୍ରୀକାନ୍ତ ପୋଲାଇ

ଆସିକା (ୱାଇଏନ୍‍ଏସ୍‍): ଆଜି ଅର୍ଥାତ୍‍ ଶନିବାର ଦିନ ପାଳିତ ହେବ ଗୁରୁଦିବସ। ଦେଶ ଓ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଇବା ସହ ଗୁରୁଙ୍କୁ ସମ୍ମାନିତ କରିବା ପାଇଁ ଗୁରୁଦିବସ ପାଳନ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ସେପ୍ଟେମ୍ବର ମାସ ୫ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ନିଜର ନିଷ୍ଟା, ଏକାଗ୍ରତ ଓ ଆଗ୍ରହ ଆଗରେ ସବୁ ପ୍ରତିବନ୍ଧକ କିପରି ହାର ମାନିଥାଏ ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ନଳବଣ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ପ୍ରତିଶତ ଦୃଷ୍ଟିଶକ୍ତିବାଧିତ ଶିକ୍ଷକ ଶ୍ରୀକାନ୍ତ କୁମାର ପୋଲାଇ। ନିଜର ନିଷ୍ଟା ଓ ଏକାଗ୍ରତା ତାଙ୍କୁ ଏହି ସଫଳତା ଦେଇଥିବା ବେଳେ ନିଜର କଠିନ ପରିଶ୍ରମ ସାଙ୍ଗକୁ ଭଗବାନ ଓ ନିଜ ପିତା ମାତାଙ୍କ ଆର୍ଶୀବାଦ ପାଇ ଆଜି ସେ ନିଜ ଶିକ୍ଷାନୁଷ୍ଠାନ ନଳବଣ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସଠିକ୍‍ ମାର୍ଗରେ ଥିଲେ ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ କରିବା ସହଜ ହୋଇଥାଏ ଯାହା ଆସିକା ବ୍ଳକ ଅନ୍ତର୍ଗତ ନଳବଣ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀକାନ୍ତ କୁମାର ପୋଲାଇ କରି ଦେଖାଇଛନ୍ତି । ଶତ ପ୍ରତିଶତ ଦୃଷ୍ଟିଶକ୍ତିବାଧିତ ଶିକ୍ଷକ ଶ୍ରୀକାନ୍ତ କୁମାର ପୋଲାଇଙ୍କ ବ୍ୟକ୍ତିତ୍ୱ ଏବେ ଅନ୍ୟ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରେରଣାଦାୟକ ସାଜିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଜୀବନର ପ୍ରତିଟି ସଫଳତା ପାଇଁ ପିତାମାତା, ଗୁରୁଜନ ଓ ଭଗବାନଙ୍କ ଅଶୀର୍ବାଦ ରହିଛି ବୋଲି ଦୃଷ୍ଟିଶକ୍ତିବାଧିତ ସହକାରୀ ଶିକ୍ଷକ ଶ୍ରୀକାନ୍ତ କୁମାର ପୋଲାଇ ସୂଚନା ଦେଇଛନ୍ତି । ଦୃଢ ଇଛାଶକ୍ତି ଆଗରେ ହାର୍‍ ମାନିଛି ଦୃଷ୍ଟିହନତା । ଆଖିରେ କଳା ଚଷମା ପିନ୍ଧି ଶିକ୍ଷାଦାନରେ ବ୍ରତୀ ରହୁଛନ୍ତି ସହକାରୀ ଶିକ୍ଷକ ଶ୍ରୀକାନ୍ତ କୁମାର ପୋଲାଇ । ଦୃଷ୍ଟିଶକ୍ତିବାଧିତ ଶିକ୍ଷକ ଶ୍ରୀକାନ୍ତ କୁମାର ପୋଲାଇଙ୍କ ଶିକ୍ଷାଦାନ ଶୈଳୀକୁ ନେଇ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଓଡିଆ ହେଉ କି ସାମାଜିକ ବିଜ୍ଞାନ କିମ୍ବା ଇଂରାଜୀ ହେଉ କି ଗଣିତ ସବୁ ପାଠକୁ ସହଜରେ ଓ ସରଳ ଭାବେ ସେ ପିଲାଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି । ତାଙ୍କ ଠାରୁ ଶିକ୍ଷାଲାଭ କରି ବହୁ ମେଧାବୀ ଛାତ୍ର ଆଜି ବିଭିନ୍ନ ପଦପଜବୀରେ ଅବସ୍ଥାପିତ ଥିବା ଜଣାପଡିଛି । ଦୃଷ୍ଟିବାଧିତ ଶିକ୍ଷକ ଶ୍ରୀକାନ୍ତ କୁମାର ପୋଲାଇ ୫୭ ବର୍ଷ ବୟସରେ ଉପନୀତ ହୋଇଥିଲେ ବି କେବେ ବି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାରେ ଅବହେଳା କରିନଥିବା ଜଣାପଡିଛି । ସହଜ ଓ ସରଳ ପ୍ରଣାଳୀରେ ବିଭିନ୍ନ ବିଷୟରେ ପାଠ ପଢାଉଥିବା ଶୈଳୀ ସହ ପିଲାଙ୍କୁ ଅତି ଆଦର ଓ ସ୍ନେହ କରୁଥିବା ଦୃଷ୍ଟିଶକ୍ତିବାଧିତ ଶିକ୍ଷକ ଶ୍ରୀକାନ୍ତ କୁମାର ପୋଲାଇଙ୍କ କାର୍ଯ୍ୟ ନିଶ୍ଚିତ ଭାବେ ଏକ ଉଦାହରଣ ବୋଲି ଚର୍ଚ୍ଚା ହେଉଛି । ନିଜ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇବା ସାଙ୍ଗକୁ ପରିବେଶର ସୁରକ୍ଷା ଲାଗି ଗଛ ଲଗାଇବା, ପିତାମାତା ଓ ଗୁରୁଜନଙ୍କୁ ସଦାସର୍ବଦା ସମ୍ମାନ ପ୍ରଦର୍ଶନ କରିବା, ମୋବାଇଲ୍‍ ଦେଖାରେ ସମୟ ନଷ୍ଟ ନ କରି ଭଲ ପାଠ ପଢି ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବା, ଅନ୍ୟର ଅନିଷ୍ଟ ଚିନ୍ତା ନକରିବା ଏଭଳି ଅନେକ ନୈତିକ ଶିକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି । ଶତ ପ୍ରତିଶତ ଭିନ୍ନକ୍ଷମ ଦୃଷ୍ଟିବାଧିତ ଶିକ୍ଷକ ଶ୍ରୀକାନ୍ତ କୁମାର ପୋଲାଇ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାରୂପକ ମହାଧନ ବାଣ୍ଟିବାକୁ ପଣ କରିବା ସହ ଶିକ୍ଷାର ମଞ୍ଜି ବୁଣି ନିରବିଚ୍ଛିନ୍ନ ଭାବେ ଶିକ୍ଷାଦାନ ଜାରି ରଖିଥିବା ଦେଖିବାକୁ ମିଳୁଛି । ତାଙ୍କର ଶିକ୍ଷାରୂପକ ଆଲୋକରେ ଆଲୋକିତ ହେଉଛନ୍ତି ବହୁ ଛାତ୍ରଛାତ୍ରୀ । ଶତ ପ୍ରତିଶତ ଦୃଷ୍ଟିଶକ୍ତିବାଧିତ ସହକାରୀ ଶିକ୍ଷକ ଶ୍ରୀକାନ୍ତ କୁମାର ପୋଲାଇଙ୍କ ପ୍ରେରଣା ଦାୟୀ ଆତ୍ମଜୀବନୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ