ଆଇପିଏଲ୍ ଢାଞ୍ଚାରେ ହେଲା ଖେଳାଳି ଚୟନ ଅକ୍ସନ୍
କଟକ, (ଓ୍ବାଇଏନଏସ): କଟକ ଆଇସିଏଆଇ ଭବନରେ ପ୍ରଫେସର ପ୍ରିମିୟର ଲିଗ୍ (ପିପିଏଲ୍)ର ଚତୁର୍ଥ ସଂସ୍କରଣ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ ଅକ୍ସନ୍ ଆଜି ଅନୁଷ୍ଠିତ ହୋଇଯାଇଛି। କ୍ରମାଗତ ତିନିଟି ସଫଳ ସଂସ୍କରଣ ପରେ ଏବେ ଚତୁର୍ଥ ସଂସ୍କରଣକୁ ନେଇ ଖେଳାଳି ଓ ଆୟୋଜକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।ଏହି କ୍ରିକେଟ୍ ପ୍ରତିଯୋଗିତା ଟି-୨୦ ଫର୍ମାଟ୍ରେ ଖେଳାଯିବ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କଷ୍ଟ ଆକାଉଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ ଏବଂ ଫାଇନାନ୍ସିଆଲ୍ ସେକ୍ଟର ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ଚଳିତ ବର୍ଷ ୯୦ରୁ ଅଧିକ ଖେଳାଳି ଏଥିରେ ଭାଗ ନେବେ। ଆଇପିଏଲ୍ ଭଳି ନିଲାମ ପ୍ରକ୍ରିୟାରେ ଖେଳାଳି ଚୟନ କରାଯାଇଛି। ଏଥିପାଇଁ ପ୍ରତ୍ୟେକ ଦଳକୁ ଭର୍ଚୁଆଲ୍ ମନି ଦିଆଯାଇଥାଏ। ଚଳିତ ସଂସ୍କରଣରେ ପ୍ରତ୍ୟେକ ଦଳ ପାଇଁ ୧୦ କୋଟି ଭର୍ଚୁଆଲ୍ ମନି ରଖାଯାଇଛି। ମୋଟ ୫ଟି ଦଳ ପ୍ରତିଯୋଗିତାରେ ଭାଗ ନେବେ ଏବଂ ପ୍ରତ୍ୟେକ ଦଳରେ ୧୬ ଜଣ ଖେଳାଳି ରହିବେ। ଆସନ୍ତା ଡିସେମ୍ବର ମାସରେ କଟକର ସି.ଭି. ରମଣ ଗ୍ରାଉଣ୍ଡରେ ପ୍ରତିଯୋଗିତାର ମ୍ୟାଚ୍ଗୁଡ଼ିକ ଖେଳାଯିବ। ଡିସେମ୍ବର ମାସର ପ୍ରତ୍ୟେକ ରବିବାର ମ୍ୟାଚ୍ ଅନୁଷ୍ଠିତ ହେବ। ଡିସେମ୍ବର ମାସର ଶେଷ ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରତିଯୋଗିତାକୁ ଅଧିକ ରୋମାଞ୍ଚକର ଓ ପେଶାଦାର ଢାଞ୍ଚାରେ ଆୟୋଜନ କରିବା ପାଇଁ ଆୟୋଜକ ଟିମ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଫେସର ପ୍ରିମିୟର ଲିଗ୍ ଆଗାମୀ ଦିନରେ ଫାଇନାନ୍ସିଆଲ୍ ସେକ୍ଟର ସହ ଜଡ଼ିତ ବ୍ୟକ୍ତିମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଭାଇଚାରାର ଏକ ମଜବୁତ ମଞ୍ଚ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏନେଇ ପରିଚାଳନା ଟିମ୍ର ଅଧ୍ୟକ୍ଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଲଲାଟେନ୍ଦୁ ସାହୁ ସୂଚନା ଦେଇଛନ୍ତି।


