କାରରେ ଗୋରୁ ଚାଲାଣ ବେଳେ ୨ଗୋରୁ ଉଦ୍ଧାର ଗାଡ଼ି ଜବତ
ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଅନ୍ତର୍ଗତ ହବିବନଗର ନିକଟସ୍ଥ କଟଣାପାହି ପଡ଼ିଆ ବାଟରେ ଯାଉଥିବା ଏକ କାରରେ ଗୋରୁ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇବା ପରେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ନାରାୟଣ ନାୟକ ସଦଳେବଳ ଉକ୍ତ ଗାଡିକୁ ଚଢ଼ାଉ କରି ଦୁଇଟି ଗୋରୁ ଉଦ୍ଧାର ସହ ଗାଡ଼ି ଜବତ କରିଛନ୍ତି। ତେବେ ପୁଲିସକୁ ଦେଖି କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବ୍ୟବହୃତ କାରକୁ ପୁଲିସ ଜବତ କରି ଥାନାକୁ ଆଣି ଅଟକ ରଖିଛନ୍ତି। ଏହି ଘଟଣାର ଧାମନଗର ଥାନା କେସ୍ ନମ୍ବର ୩୭୮/୨୬ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସକୁ ଚକମା ଦେଇ ଫେରାର ହୋଇଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି। ଧାମନଗର ଅଞ୍ଚଳରେ କାରର ପଛ ସିଟ୍ ଖୋଲି ଗୋରୁ ଚାଲାଣ କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରି ଚାଲାଣ ରୋକିବା ସହ ଜବତ ଗାଡ଼ିଗୁଡ଼ିକର ବ୍ୟବହାର ଉପରେ ମଧ୍ୟ ନଜର ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି।


