ସିକନ୍ଦରାବାଦ୍ ରୁ ଓଡ଼ିଆ ଶ୍ରମିକ ନିଖୋଜ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ର ର ପୁନେ ନିକଟ ବାରାମତୀ ରେ କାମ କରୁଥିଲେ।ଗତ ୩ ତାରିଖରେ ସମୀର ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଏବଂ କଙ୍ଗୁରୁ ଗୌଡ଼ ଙ୍କ ସହ ଟ୍ରେନ ନଂ.୨୨୮୮୧ ପୁନେ – ଭୁବନେଶ୍ବର ସୁପରଫାଷ୍ଟ ଏକ୍ସପ୍ରେସ ଯୋଗେ ବ୍ରହ୍ମପୁର ରେଲୱେ ଷ୍ଟେସନ କୁ ଫେରୁଥିବା ବେଳେ ତେଲେଙ୍ଗାନା ର ସିକନ୍ଦରାବାଦ ରେଲୱେ ଷ୍ଟେସନ ରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।ତାଙ୍କ ସହ ଆସୁଥିବା ସାଙ୍ଗ ଦ୍ବୟ ସମୀର ଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳନଥିଲା।ତାଙ୍କ ପୋଷାକ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଥିବା ବ୍ୟାଗ ଟି ଟ୍ରେନ ବଗି ର ସିଟ୍ ରୁ ମିଳିଥିଲା।ଉଭୟ ସାଙ୍ଗ ଗତ ୪ ତାରିଖରେ ବ୍ରହ୍ମପୁର ରେଲୱେ ଷ୍ଟେସନ ରେ ଓହ୍ଲାଇ ଥିଲେ। ଉଭୟେ ସମୀର ଙ୍କ ଗାଁରେ ପହଞ୍ଚି ସମସ୍ତ ଘଟଣା ତାଙ୍କ ବାପା ନିରଞ୍ଜନ ଗୌଡ଼ ଏବଂ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ବାପା ନିରଞ୍ଜନ ସମୀର ଙ୍କ ମୋବାଇଲ ଫୋନ୍ କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା।ପରେ ନିରଞ୍ଜନ ଦିଗପହଣ୍ଡି ଥାନାରେ ପହଞ୍ଚି ଏନେଇ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଥାନା ନିଖୋଜ ମାମଲା ଏମ.ଏମ.ଆର ନଂ.୪୯/୨୬(ଜି.ଡି -୧୨) ଅନୁଯାୟୀ ମକଦ୍ଦମା ରୁଜୁ କରି ଏସ.ଆଇ ସୋଫିଆ ମିଶ୍ର ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମୀର ଗତ ଫେବୃୟାରୀ ୨୧ ତାରିଖ ରେ ସାନଖେମୁଣ୍ଡି ବ୍ଲକ ଗୁମା ଗ୍ରାମର କୈଳାସ ଗୌଡ଼ ଙ୍କ ଝିଅ ରୋଜି ଙ୍କୁ ବିବାହ କରିଥିଲେ। ଟ୍ରେନ ରୁ ତାଙ୍କ ରହସ୍ୟମୟ ନିଖୋଜ ନେଇ ପୋଲିସ ତଦନ୍ତ ଚଳାଇଛି। ସମୀର ଙ୍କ ଗାଁ ରୁ ସମ୍ପର୍କୀୟ ଭାଇ ଶଙ୍କର ଗୌଡ଼,ସାଙ୍ଗ ବିଜୟ ସେଠୀ ଏବଂ ଶ୍ବଶୁର ଘର ଗୁମା ଗାଁ ରେ ରହୁଥିବା ସମୀର ଙ୍କ ଦାଦା ଶ୍ବଶୁର କୁନା ଗୌଡ଼ ଏବଂ ସ୍ତ୍ରୀ ଙ୍କ ସମ୍ପର୍କୀୟ ଭାଇ ରବି ଗୌଡ଼,ପ୍ରଶାନ୍ତ ଗୌଡ଼ ମଙ୍ଗଳବାର ସନ୍ଧ୍ୟାରେ ସିକନ୍ଦରାବାଦ୍ ଅଭିମୁଖେ ଯାଇଥିବା ଜଣାପଡିଛି।


