ଶାରଦୀୟ ନବଦିନାତ୍ମକ ପୂଜା ପାଇଁ ଆସିକାର ମା ଖମ୍ବେଶ୍ୱରୀଙ୍କ ପୀଠ ଚଳଚଞ୍ଚଳ

ଆସିକା (ୱାଇଏନ୍‍ଏସ୍‍) :ଆସନ୍ତା ଅକ୍ଟୋବର ମାସ ୧୧ ତାରିଖ ଠାରୁ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ନବଦିନାତ୍ମକ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ସମଗ୍ର ପରିବେଶ ଏବେଠୁ ଚଳଚଞ୍ଚଳ ହୋଇଉଠିଲାଣି । ମା ଖମ୍ବେଶ୍ୱରୀ ନବଦିନ ବ୍ୟାପୀ ସଜ୍ଜିତ ହେବେ ବିଭିନ୍ନ ବେଶରେ । ଆଉ ହଜାର ହଜାର ଭକ୍ତଗଣ ମା ଖମ୍ବେଶ୍ୱରୀଙ୍କ ନିକଟରେ ନିଜକୁ ସମର୍ପଣ କରି ଆଶୀର୍ବାଦ ଲାଭ କରିବେ । ଓଡିଶାର ସାଂସ୍କୃତିକ ଏନ୍ତୁଡିଶାଳ ରୂପେ ପରିଚିତ ଥିବା ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାକୁ ନେଇ ବାର ମାସରେ ତେର ପର୍ବ ପାଳିତ ହୋଇଆସୁଛି । ଭାରତବର୍ଷରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଆସିକା ସହରର ଖମ୍ବେଶ୍ୱରୀ ପାଟଣାରେ ପୂଣ୍ୟତୋୟା ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ମା ଖମ୍ବେଶ୍ୱରୀଙ୍କ ପୀଠ ଅନ୍ୟତମ । ମା’ ଖମ୍ବେଶ୍ୱରୀଙ୍କ ଅନେକ ମହିମା ରହିଛି । ଏହି ପୀଠରେ ଭକ୍ତ ଯଦି ନିଜ ହୃଦୟରେ ମାଙ୍କୁ ଡାକିଥାଏ ଓ ମନ୍ଦିର ପରିସରରେ ଦୀପଟିଏ ଜଳାଇଥାଏ ତାହାହେଲେ ମା ଖମ୍ବେଶ୍ୱରୀ ନିଶ୍ଚିତ ଭାବେ ଭକ୍ତର ମନକଥା ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି । ଜଗତ୍‌ଜନନୀ, ଶକ୍ତିପ୍ରଦାୟିନୀ, ମାତୃଶକ୍ତି, କରୁଣାମୟୀ, ଆଦିଶକ୍ତି ମା ଖମ୍ବେଶ୍ୱରୀ ଠାକୁରାଣୀଙ୍କ ଇତିହାସ ଅତି ପ୍ରାଚୀନ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରେ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଅନ୍ୟତମ ଆକର୍ଷଣ । ବର୍ଷତମାମ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁ ଭକ୍ତମାନେ ମା ଖମ୍ବେଶ୍ୱରୀଙ୍କ ଦର୍ଶନ ଓ ଆଶିଷ ଲାଭ କରିବା ନିମନ୍ତେ ଆସିଥାନ୍ତି । ପୂର୍ବ ପରମ୍ପରା ଓ ବିଧିବିଧାନ ଅନୁଯାୟୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ବେଳେ ନବରାତ୍ରୀ ସମୟରେ ମା’ ଖମ୍ବେଶ୍ୱରୀଙ୍କ ନଅ ଦିନ ବ୍ୟାପୀ ସ୍ୱତନ୍ତ୍ର ପୂଜା କରାଯାଉଥିଲା ବେଳେ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥାଏ । ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ଉତ୍ପତ୍ତି ଓ ଆବିର୍ଭାବ ସମ୍ବନ୍ଧରେ ବହୁ ପୁରାଣ ବର୍ଣ୍ଣିତ କଥା, ଉପକଥା, କିମ୍ବଦନ୍ତୀ ଓ ଲୋକକଥା ସାଧାରଣରେ ପ୍ରଚଳିତ ରହିଛି । ଦଶହରା ପର୍ବ ଠାରୁ ଆରମ୍ଭ କରି ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାରରେ ଏହି ଶକ୍ତିପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ନବରାତ୍ର ସମୟରେ ମା ଙ୍କ ପୀଠରେ ଅସମ୍ଭବ ଭିଡ ହୋଇଥାଏ । ଶାରଦୀୟ ନବରାତ୍ର ପୂଜା ଅବସରରେ ଆସନ୍ତା ଅକ୍ଟୋବର ମାସ ୧୧ ତାରିଖ ଠାରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ନବଦିନ ବ୍ୟାପୀ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ନବରାତ୍ରୀ ପୂଜାକୁ ପାଳନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ନିଆଯାଉଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ଅକ୍ଟୋବର ମାସ୧୧ ତାରିଖ ଠାରୁ ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ଆରମ୍ଭ ହେବାକୁ ନବଦିନାତ୍ମକ ପୂଜାକୁ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ସଂପନ୍ନ କରିବା ସକଶେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି ବୋଲି ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ ସୂଚନା ଦେଇଛନ୍ତି । କରୁଣାମୟୀ ମା ଖମ୍ବେଶ୍ୱରୀଙ୍କ ନବରାତ୍ରୀ ପୂଜାକୁ ବିଧିବିଧାନ ଅନୁଯାୟୀ ସଂପନ୍ନ କରିବା ସକାଶେ ରୂପରେଖ ପ୍ରସ୍ତୁତ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ଯାତ୍ରା ପରିଚାଳନା କମିଟି ସଭାପତି ନିିମାଇଁ ଚରଣ ପାଣିଗ୍ରାହୀ, ଆଧ୍ୟାତ୍ମିକପ୍ରେମୀ ପିଣ୍ଟୁ ପ୍ରଧାନ ଓ ଟିକିନା ଜେନା, ସେବାୟତ ତଥା ମନ୍ଦିର ପୂଜକ ସନ୍ୟାସୀ ମୁନି, ନରସିଂହ ମୁନି, ଟୁଲିଆ ମୁନି, ସନ୍ତୋଷ ମୁନି, ଟୁଲୁ ମୁନି, ନୀଳମାଧବ ମୁନି, ଭିକା ମୁନି, ବାବୁଲା ମୁନି, କାଳିଆ ମୁନି, ପ୍ରସନ୍ନ ମୁନି, ମୁନା ମୁନିଙ୍କ ସମେତ ବହୁ ପୂଜକ ଓ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ନବରାତ୍ରୀ ପୂଜା କାର୍ଯ୍ୟକ୍ରମକୁ କିଭଳି ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରାଯିବ ଓ ଦୂରଦୂରାନ୍ତର ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ନବରାତ୍ରୀ ଅବସରରେ ଆସନ୍ତା ଅକ୍ଟୋବର ମାସ ୧୧ ତାରିଖ ଠାରୁ ବିଜୟାଦଶମୀ ଓ ଦଶହରା ପର୍ଯ୍ୟନ୍ତ ବିଭିନ୍ନ ଶକ୍ତିପୀଠ ଗୁଡିକରେ ମା’ଙ୍କୁ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମ୍ମାଣ୍ଢା, ସ୍କନ୍ଦମାତା, କାର୍ତ୍ତାୟିନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ବେଶରେ ସଜ୍ଜିତ କରାଯାଇ ଜିଲ୍ଲାର ଅଭିଜ୍ଞ ତଥା ପୁରୁଖା ପୂଜକମାନଙ୍କ ଦ୍ୱାରା ହୋମଯଜ୍ଞ, ଚଣ୍ଡିପାଠ କରାଯାଇ ଅତ୍ୟନ୍ତ ନିଷ୍ଠା ଓ ତ୍ୟାଗର ସହ ପୂଜାର୍ଚ୍ଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଶ୍ରଦ୍ଧାଳୁ ଭକ୍ତ ନିଜର ମାନସିକ ପୂରଣ ପାଇଁ ଆସିକାର ମା ଖମ୍ବେଶ୍ୱରୀଙ୍କ ପୀଠକୁ ଆସିଥାନ୍ତି । ଦକ୍ଷିଣ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ରୂପେ ପରିଚିତ ଥିବା ଆସିକାର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା ଖମ୍ବେଶ୍ୱରୀ ପ୍ରସନ୍ନ ହେଲେ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧ ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମା ଖମ୍ବେଶ୍ୱରୀଙ୍କ କରୁଣା ଲାଭ କରିବା ଉଦ୍ଦେଶ୍ୟରେ ଏହି ପୀଠକୁ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ