ନୂଆ ପାଟଣା ଗ୍ରାମ୍ୟ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ନୂଆପାଟଣା ଗ୍ରାମ୍ୟ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ୧୫ ନମ୍ବର ଜୋନ ସଭାପତି ତଥା ରାଜ୍ୟ କିଷାନ କଂଗ୍ରେସ ସୋସିଆଲ ମିଡ଼ିଆ ସଦସ୍ୟ ବିମାଂଶୁ ଭୂଷଣ ନନ୍ଦ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହିତ ସେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କୁ ଏସମ୍ପର୍କରେ ଜଣାଇ ତାଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ନୂଆପାଟଣାରେ ବିଧାୟକ ପାଣ୍ଠି (ଏମଏଲଏ ଲ୍ୟାଡ) ସହାୟତାରେ ନିର୍ମାଣ ଚାଲିଥିବା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ କରାଯାଉଛି। ସରକାରୀ ନୀତି ଓ ନିୟମ ଏବଂ ନିର୍ଦ୍ଧାରିତ ମାନଦଣ୍ଡକୁ ସମ୍ପୂର୍ଣ ଭାବେ ଜଳାଞ୍ଜଳୀ ଦିଆଯାଇ ବାଲି ଏବଂ ମେଟାଲର ଅନୁପାତ ବଜାୟ ରଖାଯାଇ ନାହିଁ, ଯାହା ଫଳରେ ନିର୍ମାଣ ସରିବା ପୂର୍ବରୁ ଉକ୍ତ ରାସ୍ତା ଫାଟିବା ଆରମ୍ଭ ହେଲାଣି।ସୂଚନା ଫଳକ ନଥିବା ବେଳେ କାର୍ଯ୍ୟସ୍ଥଳରେ ପ୍ରକଳ୍ପର ଅଟକଳ ମୂଲ୍ୟ, ଠିକାଦାର କିମ୍ବା କାର୍ଯ୍ୟନିର୍ବାହୀ ସଂସ୍ଥାର ନାମ ଦିଆଯାଇନାହିଁ। ବିଭାଗୀୟ ଯନ୍ତ୍ରୀ ବା ଅଧିକାରୀଙ୍କ ଉପସ୍ଥିତି ବିନା କାର୍ଯ୍ୟ କରାଯାଇ ସରକାରୀ ଅର୍ଥର ଅପବ୍ୟୟ କରାନଯାଉ। ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ରାସ୍ତାର ସ୍ଥାଯିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏଭଳି କାର୍ଯ୍ୟ କରିଥିବା ସଂସ୍ଥା ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭଲ ରାସ୍ତା ଉପଯୁକ୍ତ ଗୁଣାବତ୍ତା ସହିତ ପୂନଃ ସମ୍ପୂର୍ଣ୍ଣ କରିବାକୁ ଦାବି କରାଯାଇଛି।


