ଆରଆଇ ଅଫିସରେ ହଟିଲା ଅଚଳବସ୍ଥା
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲାପାଳ ନୀଳ ମାଧବ ସୁନାଙ୍କ ହସ୍ତକ୍ଷେପ ପରେ ହାଟଡିହି ତହସିଲ ଅଧୀନସ୍ଥ ସମଣା ରାଜସ୍ୱ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟର ଅଚଳବସ୍ଥା ହଟିଛି l ଉପଜିଲାପାଳ ସୁନା କହିଛନ୍ତି ଯେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ତୁରନ୍ତ ହାଟଡିହୀ ତହସିଲଦାରଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ନିର୍ଦ୍ଦେଶ ଏବଂ ପରାମର୍ଶ ଦିଆଯାଇଥିଲା l ଏବେ କାର୍ଯ୍ୟାଳୟରେ ସ୍ୱାଭାବିକ ଅବସ୍ଥା ଫେରିଛି l ସୂଚନା ଯୋଗ୍ୟ,ଆରଆଇ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ବେଳେ ଦୀର୍ଘଦିନ ଧରି ଅଚଳାବସ୍ଥା ଦେଖାଦେଇଥିଲା। ନିୟମିତ ଭାବେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଆସୁନଥିବାରୁ ସାଧାରଣ ଲୋକେ ବିଭିନ୍ନ ରାଜସ୍ୱ ସମ୍ପର୍କିତ ଏବଂ ଅନ୍ୟାନ୍ୟ କାମ ପାଇଁ ଆସି ନିରାଶ ହୋଇ ଫେରୁଥିଲେ l ଚଳିତ ବର୍ଷ ବନ୍ୟା ପରିସ୍ଥିତି ଯୋଗୁ ବହୁ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିଲେ । ବନ୍ୟା ପ୍ରଭାବିତ ପରିବାରଙ୍କୁ ଏପର୍ଯ୍ୟନ୍ତ ପଲିଥିନ ବଣ୍ଟନ ଏବଂ ସମଣା ପଞ୍ଚାୟତ ଅଧୀନରେ ଥିବା ୭ଟି ଗାଁରେ ବନ୍ୟା କ୍ଷୟକ୍ଷତିର ଆକଳନ ମଧ୍ୟ ହୋଇନଥିଲା l ଫଳରେ ସରକାରୀ ସହାୟତା ପାଇବାରେ ବାଧା ସୃଷ୍ଟି ହୋଇଥିଲା l ଏପରି ସମସ୍ୟାକୁ ନେଇ ଗତ ସୋମବାର ସ୍ଥାନୀୟ ଲୋକ ମାନେ ସମଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରି ଦୃଢ଼ ପ୍ରତିବାଦ କରିଥିଲେ l ସମସ୍ୟାର ସମାଧାନ ସହ ବନ୍ୟା ପ୍ରଭାବିତ ସମସ୍ତ ଗାଁର କ୍ଷୟକ୍ଷତି ଆକଳନ କରି ଯୋଗ୍ୟ ପରିବାରଙ୍କୁ ତୁରନ୍ତ ପଲିଥିନ ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ମଧ୍ୟ କରିଥିଲେ l


