ବିରାଟ ଲୀଳାକ୍ଷେତ୍ରରେ ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ
ବାରିପଦା,(ୱାଇଏନଏସ):କପ୍ତିପଦା ବ୍ଲକ ଅନ୍ତର୍ଗତ ବିରାଟ ଲୀଳାକ୍ଷେତ୍ର, ନୁଦଡ଼ିହାଠାରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପର୍ବ ପାଳିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବର୍ଷର ବିଭିନ୍ନ ସମୟରେ ପାଳିତ ପର୍ବମାନଙ୍କ ମଧ୍ୟରୁ ଭାଦ୍ରବ ମାସ ଅମାବାସ୍ୟା ତିଥିରେ ପାଳିତ “ସପ୍ତପୁରୀ ଅମାବାସ୍ୟା ପର୍ବ” ଅନ୍ୟତମ । ଏଥିନିମନ୍ତେ ଭାଦ୍ରବ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଜଗନ୍ନାଥ ମନ୍ଦିରର ପୂଜାପଣ୍ଡା ତିନି ଆଜ୍ଞାମାଳ ନେଇ ମା’ ଚଣ୍ଡିଙ୍କ ଘଂଟ, ଘଂଟା, ଭେରୀ, ତୁରୀ ଓ ସଂକୀର୍ତନମଣ୍ଡଳୀଙ୍କ ଗହଣରେ ଯାତ୍ରା କରିଥିଲେ । ମା’ ଚଣ୍ଡୀଙ୍କ ପୀଠରୁ ଆଜ୍ଞାମାଳ ନେଇ ଶ୍ରୀ ମନ୍ଦିରକୁ ସିଂହଦ୍ୱାରମଧ୍ୟ ଦେଇ ପ୍ରବେଶ କରି ମା’ଙ୍କ ଆଜ୍ଞାମାଳ ସହିତ ଅମୁଣିଆ ତାଡ଼କୁ ନେଇ ଜଗନ୍ନାଥ ମନ୍ଦିରର କୂର୍ମ ବେଢ଼ାରେ ସାତଥର ପରିକ୍ରମା କରିଥିଲେ । ଏହାପରେ ରୋଷଘରେ ପ୍ରବେଶ କରି ରୋଷଘରର ଦେବୀ ମା’ ଦକ୍ଷିଣକାଳୀଙ୍କ ନିକଟରେ ସମର୍ପଣ କରିଥିଲେ । ଆମାବାସ୍ୟା ତିଥିରେ ମହାପ୍ରଭୁଙ୍କ ସମସ୍ତ ରିତିନୀତି ଯଥାଯଥ ଭାବରେ ପାଳନ କରାଯାଇ ସନ୍ଧ୍ୟା ଧୂପ ପରେ ଅମୁଣିଆ ତାଡ଼ରୁ ପ୍ରସ୍ତୁତ ସପ୍ତପୁରୀ ପିଠା ଶ୍ରୀଜୀଉଙ୍କ ନିକଟରେ ସମର୍ପଣ କରୁଥିଲେ । ଉପସ୍ଥିତ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ସ୍ୱାଦିଷ୍ଟ ପିଷ୍ଟକ ସେବନ କରି ମହାପ୍ରଭୁଙ୍କ ସପ୍ତପୁରୀ ଅମାବାସ୍ୟାର ମହାତ୍ମ୍ୟ ଜାଣିବା ସହିତ ଅପ୍ୟାୟିତ ହୋଇଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସପ୍ତପୁରୀ ଅମାବାସ୍ୟା ପର୍ବ ପାଳନର ମହାତ୍ମ୍ୟ ସଂପର୍କରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ‘ଭାବବନ୍ଧନ’ ଆଧ୍ୟାତ୍ମିକ ବାର୍ଷିକ ମୁଖପତ୍ରର ମୁଖ୍ୟ ସଂପାଦକ ପ୍ରାକ୍ତନ ପ୍ରାଧ୍ୟାପକ ଭୋଳାନାଥ ସାହୁ ଉପସ୍ଥାପନ କରିଥିଲେ । ଏଥିରେ ମନ୍ଦିର ଟ୍ରଷ୍ଟର ସଭାପତି ସର୍ବେଶ୍ୱର ରାଉତ, ଉପଦେଷ୍ଠା ସୁଧାଂଶୁ କୁମାର ଦାଶ, ସହସଂପାଦକ ରବିନାରାୟଣ ନାୟକ , ସୁଦର୍ଶନ ରାଉତ, ବିଦ୍ୟାଧର ସାହୁ ,ରଘୁନାଥ ନାୟକ, ପ୍ରାର୍ଥନା ନାୟକ ଉର୍ମିଳା ନାୟକ ଓ ଅନ୍ୟସମସ୍ତଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ । ପର୍ବ ପାଳନ ମାଧ୍ୟମରେ ଜନଜୀବନକୁ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷଣ କରିବା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଆଭିମୁଖ୍ୟ ଚରିତାର୍ଥ ହେଉ ।


