ବିନା ଏନ୍ଓସିରେ ବଡଖୋଲିରେ ଚାଲିଛି ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ!
ଆସିକା (ୱାଇଏନ୍ଏସ୍): ଶିକ୍ଷାବିଭାଗର ସମସ୍ତ ନୀତିନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ବିନା ଏନ୍ଓସିରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବଡଖୋଲି ଗ୍ରାମରେ ଦୀର୍ଘ ବର୍ଷ ଧରି ଗୋଟିଏ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ପରିଚାଳିତ ହୋଇଆସୁଥିଲେ ମଧ୍ୟ ଏହାକୁ ବନ୍ଦ କରିବା ଦିଗରେ ପ୍ରଶାସନର ନୀରବତା ଓ ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଶିକ୍ଷାବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିଲା ଦେଖିବାକୁ ମିଳୁଛି । ଆସିକା ବ୍ଳକର ବଡଖୋଲି ଗ୍ରାମ ତଥା ଏହାର ଆଖପାଖ ଅଞ୍ଚଳର କୋମଳମତି ଶିଶୁମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଶିକ୍ଷାବେପାରୀଙ୍କ ମୁଣ୍ଡରେ କାହାର ଆଶିର୍ବାଦ ରହିଛି ତାହାର ଏକ ନିରପେକ୍ଷ ତଦନ୍ତ କଲେ ବହୁ ଗୁମର କଥା ପଦାରେ ପଡିବ ବୋଲି ସଚେତନ ନାଗରିକ ଓ ବୁଦ୍ଧିଜିବୀ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ କେତେକ ଅଞ୍ଚଳରେ ଆବଶ୍ୟକୀୟ ଭିତ୍ତିଭୂମୀ ନଥିବା କେତେକ ଘରୋଇ ଶିକ୍ଷାନୁଷ୍ଠାନକୁ ମଧ୍ୟ ଅତୀତରେ ଶିକ୍ଷାବିଭାଗ ପକ୍ଷରୁ ଏନ୍ଓସି ଓ ସିଓଆର୍ ପ୍ରଦାନ କରାଯାଇଥିବା କେତେକ ମହଲରେ ଚର୍ଚ୍ଚା ହେଉଛି । ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି ଗ୍ରାମ ପଞ୍ଚାୟତର ବଡଖୋଲି ଗ୍ରାମରେ ବିନା ସରକାରୀ ସ୍ୱୀକୃତିରେ ଏକ ବେସରକାରୀ ଓଡିଆ ମାଧ୍ୟମ ଘରୋଇ ଶିକ୍ଷାନୁଷ୍ଠାନ ପ୍ରାରମ୍ଭ ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବିନା ଦ୍ୱିଧାରେ ସରକାରୀ ନୀତିନିୟମକୁ ଦଳିଚକଟି କୋମଳମତି ଶିଶୁମାନଙ୍କ ଭବିଷ୍ୟତକୁ ଖେଳି ନାମ ଲେଖାଉଥିବା ଘଟଣାକୁ ସଚେତନ ନାଗରିକ ମହଲରେ ନାପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଧିକାଂଶ ଅଞ୍ଚଳରେ ବହୁ ଅଭିଭାବକମାନଙ୍କୁ କେତେକ ଶିକ୍ଷାବେପାରୀ ଭୁତେଇ ପାଠ ପଢୁଥିବା ପିଲାଙ୍କ ପାଇଁ ବିଭିନ୍ନ ବାବଦରେ ହଜାର ହଜାର ଟଙ୍କା ଫି ଆଦାୟ କରି ମାଲାମାଲ ହେଉଥିବା ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ବ୍ଳକର ବଡଖୋଲି ଗ୍ରାମରେ ବର୍ଷ ବର୍ଷ ଧରି ଅନାୟାସରେ ପରିଚାଳିତ ହେଉଥିବା ଏନ୍ଓସି ବିହୀନ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନର ପଛଘୁଞ୍ଚାର କାରଣକୁ ନେଇ ନାନା କଥା ଚର୍ଚ୍ଚା ହେଉଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳି ଶିକ୍ଷା ନାମରେ ବ୍ୟବସାୟ କରୁଥିବା ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଓ ବେନିୟମ ଭାବେ ଚାଲିଥିବା ଉକ୍ତ ବେସରକାରୀ ସ୍କୁଲ କେବେ ବନ୍ଦ ହେବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମୀ, ଲାଇବ୍ରେରୀ, ନିଜସ୍ୱ ଶ୍ରେଣୀଗୃହ, ସରକାରୀ ନିତୀନିୟମ ଅନୁଯାୟୀ ତାଲିମ୍ପ୍ରାପ୍ତ ଶିକ୍ଷକ, ଟଏଲେଟ୍, ର୍ୟାମ୍ପ, ଖେଳପଡିଆ, ସୋସାଇଟି ଆଇନରେ ପଞ୍ଜିକରଣ, ସ୍କୁଲ ନାମରେ ଜମି, ଛାତ୍ରଛାତ୍ରୀଙ୍କ ଅନୁପାତରେ ତାଲିମ୍ପ୍ରାପ୍ତ ଶିକ୍ଷକ ନିଯୁକ୍ତି, ସରକାରୀ ବିଦ୍ୟାଳୟ ଠାରୁ ୧ କି.ମି. ଭିତରେ ବିଦ୍ୟାଳୟ ନଥିବ, ଅଗ୍ନିନିରାପତ୍ତା ବ୍ୟବସ୍ଥା ଥିବ, ଗରିବ ଓ ଅବହେଳିତ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଉଥିଲେ ସଂପୃକ୍ତ ଘରୋଇ ବିଦ୍ୟାଳୟକୁ ଏନ୍ଓସି ଓ ସିଓଆର୍ ପ୍ରଦାନ କରିବାର ନିୟମ ରହିଛି । ଅତୀତରେ ଆବଶ୍ୟକୀୟ ଭିତ୍ତିଭୂମୀ ନଥାଇ ବହୁ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନକୁ ଶିକ୍ଷାବିଭାଗ ପକ୍ଷରୁ କେଉଁ ପରିସ୍ଥିତିରେ ସିଓଆର୍ ଏବଂ ଏନ୍ଓସି ଦିଆଯାଇଛି ତାହାର ଏକ ନିରପେକ୍ଷ ତଦନ୍ତ କଲେ ବହୁ ଗୁମର କଥା ପଦାରେ ପଡିବ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବହୁ ଅଭିଭାବକ ଘରୋଇ ସ୍କୁଲ ଗୁଡିକର ଏନ୍ଓସି ଅଛି କି ନାହିଁ, ସରକାରୀ ନୀତିନିୟମ ଅନୁଯାୟୀ ତାଲିମ୍ପ୍ରାପ୍ତ ଶିକ୍ଷକ ନିୟୋଜିତ ରହି ପାଠ ପଢାଉଛନ୍ତି କି ନାହିଁ ଏଭଳି କିଛି ନୀତିନିୟମକୁ ଅନୁସନ୍ଧାନ ନକରି ନିଜ ସନ୍ତାନସନ୍ତତିଙ୍କୁ ବିନା ଏନ୍ଓସିରେ ପରିଚାଳିତ କେତେକ ଘରୋଇ ସ୍କୁଲରେ ନାମ ଲେଖାଉଥିବା ଆଲୋଚିତ ହେଉଛି । ଶିକ୍ଷାକୁ ବ୍ୟବସାୟୀକରଣ କରି ଅଧିକ ଲାଭ ପାଇବା ଆଶାରେ ବିନା ଏନ୍ଓସିରେ ଏବଂ ବିନା ଭିତ୍ତିଭୂମୀରେ ପରିଚାଳିତ ହେଉଥିବା କେତେକ ବେସରକାରୀ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ବହୁ ଅଭିଭାବକଙ୍କ ସରଳତାର ସୁଯୋଗ ନେଇ ଲାଭବାନ ହେଉଥିବା ଚର୍ଚ୍ଚା ହେଉଛି । ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସକାଶେ ସରକାର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଠାରୁ ଆରମ୍ଭ କରି ପୋଷାକ, ମଧ୍ୟାହ୍ନ ଭୋଜନ, ଅଣ୍ଡା ସମେତ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଆସୁଛନ୍ତି । ଏହା ସତ୍ତ୍ୱେ ବହୁ ଅଭିଭାବକ ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଇନେଇ ବିନା ଏନ୍ଓସି ଏବଂ ବିନା ଭିତ୍ତିଭୂମୀରେ ପରିଚାଳିତ କେତେକ ଘରୋଇ ଶିକ୍ଷାନୁଷ୍ଠାନରେ ନିଜ ପୁତ୍ରକନ୍ୟାଙ୍କ ନାମ ଲେଖାଉଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ କେତେକ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ସରକାରୀ ନୀତିନିୟମ ଅନୁଯାୟୀ ଆବଶ୍ୟକୀୟ ଭିତ୍ତିଭୂମୀ ନଥାଇ କେଉଁ ପରିସ୍ଥିତିରେ ସିଓଆର୍ ଏବଂ ଏନ୍ଓସି ପାଇଛନ୍ତି ତା ସାଙ୍ଗକୁ ବିନା କାଗଜପତ୍ରରେ ବଡଖୋଲିରେ ଚାଲିଥିବା ବେସରକାରୀ ଶିକ୍ଷାନୁଷ୍ଠାନ ସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନିଆଯିବ । ଜିଲ୍ଲା ପ୍ରଶାସନ ତଥା ଶିକ୍ଷାବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ବ୍ଳକର ବଡଖୋଲି ଗ୍ରାମରେ ବିିନା ଏନ୍ଓସିରେ ଚାଲିଥିବା ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନର ସମସ୍ତ କାଗଜପତ୍ର ଯାଞ୍ଚ କରିବା ସାଙ୍ଗକୁ ଅତୀତରେ ଆବଶ୍ୟକୀୟ ଭିତ୍ତିଭୂମୀ ନଥାଇ କେଉଁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଶିକ୍ଷାବିଭାଗ ଠାରୁ ଏନ୍ଓସି ଓ ସିଓଆର୍ ପାଇଛନ୍ତି ତାହାର ବି ତଦନ୍ତ କରିବା ସାଂପ୍ରତିକ ପରିସ୍ଥିତିରେ ଜରୁରୀ ହୋଇପଡିଛି ବୋଲି ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


