ଶାଳନିଆଁ ଡାକ୍ତରଖାନାରେ ଡାକ୍ତର ନଥିବାକୁ ନେଇ ଉତ୍ତେଜନା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଡାକ୍ତର ନଥିବାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ନଥିବାରୁ ଏଠାରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳିପାରୁନି। ମାତ୍ର ୪/୫ ଜଣ ଡାକ୍ତରଙ୍କ ଦ୍ୱାରା ପାଳିରେ ଚାଲିଛି ଏହି ଡାକ୍ତରଖାନା। ଏହା ଉପରେ ହାଟଡିହି ବ୍ଲକର ୭ଟି ପଞ୍ଚାୟତର ଲୋକ ନିର୍ଭର କରୁଥିବା ବେଳେ ଆବଶ୍ୟକ ଡାକ୍ତର ନଥିବାରୁ ଅଧିକାଂଶ ସମୟ ରେ ରୋଗୀମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଆଜି ସକାଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କେହି ଡାକ୍ତର ନଥିବାରୁ ରୋଗୀ ମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସହିତ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ରୋଗୀମାନେ ଆସି ଟିକେଟ କରି ଡାକ୍ତରଙ୍କୁ ରୋଗ ଦେଖାଇବାକୁ ଥିବାବେଳେ କେହି ଡାକ୍ତର ନଥିବାରୁ ରୋଗୀମାନେ ବହୁ ସମୟ ଧରି ଅପେକ୍ଷା କରି କରି ନିରାଶ ରେ ଫେରିଥିଲେ। ସେହିପରି ଜଣେ ମହିଳା ରୋଗୀଙ୍କ ବ୍ଲଡ଼ ପ୍ରେସର ମାପିବାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରେ ଅବଶ୍ୟ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ପହଞ୍ଚି ସୃଷ୍ଟି ହୋଇଥିବା ବିବାଦର ସମାଧାନ କରାଇଛନ୍ତି। ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଭାତ ନାୟକଙ୍କ କହିବା କଥା ଯେ ଆବଶ୍ୟକ ଡାକ୍ତର ନାହାନ୍ତି। ଜଣେ ଡାକ୍ତର ଚବିଶ ଘଣ୍ଟିଆ ଡ୍ୟୁଟି କରୁଛନ୍ତି। ଯେଉଁ ଡାକ୍ତର ଥିଲେ ସେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପଡିବାରୁ ଘରକୁ ପଳାଇ ଥିଲେ। ଯେଉଁଥିପାଇଁ ସମସ୍ୟା ସୃଷ୍ଟି ହେଲା ବୋଲି କହିଛନ୍ତି। କିନ୍ତୁ ସାଧାରଣ ରୋଗୀଙ୍କ କହିବା କଥା ଯେ ଏଠାରେ ଯେଉଁ ୨୪ ଘଣ୍ଟିଆ ଡାକ୍ତର ଅଛନ୍ତି ତାଙ୍କର ବୟସାଧିକ କାରଣରୁ ଠିକ ଭାବେ ରୋଗୀ ସେବା କରି ପାରୁ ନାହାନ୍ତି, ଏପରିକି ରୋଗୀମାନେ ତାଙ୍କ ପାଖକୁ ଯାଉ ନାହାନ୍ତି। ରହିବା ଯାହା ନ ରହିବା ତାହା। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦୃଷ୍ଟିଦେଇ ଅଧିକ ଡାକ୍ତର ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ