“କେବଳ ‘ଫି’ ଛାଡ ନୁହେଁ, ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା ଦରକାର”

ବରୀ,(ଚୈତନ୍ୟ ଜେନା) : ୟୁନିଭରର୍ସଲ ପ୍ରାଉଟିଷ୍ଟ ଷ୍ଟୁଡେଣ୍ଟସ ଫେଡେରେସନର ପ୍ରତିଷ୍ଠା ଦିବସରେ   ବରୀ ସ୍ଥିତ ଐତିହାସିକ ମାତୃ ମଙ୍ଗଳ କେନ୍ଦ୍ର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିକ୍ଷା ବ୍ୟବସ୍ଥାର ମୂଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି| ୧୫ ସେପ୍ଟେମ୍ବର ୟୁନିଭରର୍ସଲ ପ୍ରାଉଟିଷ୍ଟ ଷ୍ଟୁଡେଣ୍ଟସ ଫେଡେରେସନ (ୟୁପିଏସଏଫ)ର ପ୍ରତିଷ୍ଠା ଦିବସ। ଏହି ସଂଗଠନ ପ୍ରତିଷ୍ଠା ଦିନରୁ “କୌଣସି ପ୍ରକାର ଭେଦଭାବ ବିନା ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ  ନିଃଶୁଳ୍କ ଶିକ୍ଷା” ଦାବି କରିଆସୁଛି। ଆମେ ଓଡ଼ିଶା ସରକାରଙ୍କ ନିଃଶୁଳ୍କ ନାମଲେଖା ଓ ଟ୍ୟୁସନ ଫି ଛାଡ଼ ଘୋଷଣାକୁ ସ୍ୱାଗତ କରୁଛୁ। କିନ୍ତୁ ଏହାକୁ “ ନିଃଶୁଳ୍କ ଶିକ୍ଷା” ବୋଲି ପ୍ରଚାର କରିବା କେବଳ ଏକ ଆଂଶିକ ଓ ଆଖିରେ ଧୂଳି ଦେବା ଭଳି ପଦକ୍ଷେପ, କାରଣ ଏହା ଶିକ୍ଷା ବ୍ୟବସ୍ଥାର ମୂଳ ସମସ୍ୟାକୁ ସମାଧାନ କରୁନାହିଁ। ଜଣେ ଛାତ୍ର ଆଜି ନାମଲେଖା ବ୍ୟତୀତ ପୁସ୍ତକ, ୟୁନିଫର୍ମ, ହଷ୍ଟେଲ, ଭୋଜନ, ପରିବହନ, ଡିଜିଟାଲ ସୁବିଧା, ପରୀକ୍ଷା ଫି ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରୁଛନ୍ତି। ତେଣୁ “କେବଳ ‘ଫି’ ଛାଡ ନୁହେଁ, ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା ଦରକାର” ମହାନ ଋଷି ଦାର୍ଶନିକ ପ୍ରଭାତ ରଞ୍ଜନ ସରକାରଙ୍କ ପ୍ରଣୀତ ବିକଳ୍ପ ସାମାଜିକ -ଅର୍ଥନୈତିକ ଦର୍ଶନ ‘ପ୍ରଗତିଶୀଳ ଉପଯୋଗ ତତ୍ତ୍ୱ (ପ୍ରାଉଟ) ଅନୁଯାୟୀ ଶିକ୍ଷା ହେଉଛି ମଣିଷର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଏହି ତ୍ରିମୁଖୀ ବିକାଶର ଏକମାତ୍ର ମାଧ୍ୟମ। ଶିକ୍ଷାର ଉଦ୍ଦେଶ୍ୟ କେବଳ ଡିଗ୍ରୀ କିମ୍ବା ଚାକିରି ନୁହେଁ; ବରଂ ଆଦର୍ଶ ମଣିଷ ଓ ଆଦର୍ଶ ସମାଜ ଗଢ଼ିବା। ୟୁପିଏସଏଫ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦତ୍ତ ଦାବି ପତ୍ର ରେ ସାତଟି ପ୍ରମୁଖ ଦାବି : ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା—ନାମଲେଖା, ପୁସ୍ତକ, ୟୁନିଫର୍ମ, ହଷ୍ଟେଲ, ଭୋଜନ ଓ ସମସ୍ତ ଆବଶ୍ୟକ ସୁବିଧା ସହ। ଜାତି, ଧର୍ମ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତି ନିର୍ବିଶେଷରେ ସମାନ ସୁଯୋଗ। ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ଆଧାରିତ ଶିକ୍ଷା। ସ୍ଥାନୀୟ ସମ୍ପଦ, କୃଷି, କାରିଗରୀ ଓ ସ୍ୱାବଲମ୍ବନ ଭିତ୍ତିକ ଶିକ୍ଷା।ଶିକ୍ଷାବିତଙ୍କ ସ୍ୱୟଂଶାସିତ ବୋର୍ଡ ଦ୍ୱାରା ଶିକ୍ଷା ପରିଚାଳନା। ମାତୃଭାଷାକୁ ଶିକ୍ଷାର ମାଧ୍ୟମ ଓ ବିଶ୍ୱଭାଷା କୁ ଗୁରୁତ୍ୱ।
ଶିକ୍ଷାନୁଷ୍ଠାନରୁ ରାଜନୀତିର ସମ୍ପୂର୍ଣ୍ଣ ହସ୍ତକ୍ଷେପ ବନ୍ଦ।“ବିଦ୍ୟା ମନ୍ଦିରରୁ ରାଜନୀତିର ଜୋତା ବାହାରେ ରହିବା ଦରକାର। ଆଜି ଆମର ଆହ୍ୱାନ ଶିକ୍ଷାବିଦ୍, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସଚେତନ ନାଗରିକମାନେ ଏହି ଐତିହାସିକ ଶିକ୍ଷା ସଂସ୍କାର ଆନ୍ଦୋଳନରେ ସାମିଲ ହୁଅନ୍ତୁ। ଆଜିର ସାମ୍ବାଦିକ ସମ୍ମିଳନୀ ରେ ସଂଗଠନ ର ଉପଦେଷ୍ଟା ଇଂ କାହ୍ନୁ ଚରଣ ବେହୁରା ବିସ୍ତୃତ ବକ୍ତବ୍ୟ ରଖିଥିବା ବେଳେ ୟୁ.ପି. ଏସ.ଏଫ ର ରାଜ୍ୟ କୋର କମିଟି ର ତପନ ପ୍ରଧାନ, ରଶ୍ମିତା ଯତି, ଅର୍ଚନା ସାମଲ ଏବଂ ସ୍ଥାନୀୟ ଛାତ୍ରୀ ପ୍ରତିନିଧି ପ୍ରଜ୍ଞା ପାରମିତା ମଲିକ, ଶୁଭ୍ରା ପଣ୍ଡା, ଜୀନାରାଣୀ ମଲିକ, ମାମାଲି ମଲିକ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ପ୍ରାଉଟିଷ୍ଟ ତାରାକାନ୍ତ ଆଚାର୍ଯ୍ୟ, ମୋହନ ଚରଣ ଜେନା ପ୍ରଭୃତି ସକ୍ରିୟ ସହଯୋଗ କରିଥିଲେ l ବରୀ ଅଞ୍ଚଳର ଯୁବ ସମାଜ ସେବୀ ପ୍ରଶାନ୍ତ ପଢିହାରୀ, ସୁଧୀର ବିଶ୍ୱାଳ, ଜୟରାମ ନାୟକ ପ୍ରମୁଖ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ