୧୯ ଏକର ଜମିରେ ଶିଳ୍ପ ପାର୍କ ପାଇଁ ତତ୍ପରତା : ସର୍ଭେ ଓ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ
ଧାମନଗର ୧୬/୦୯/୨୬ ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ପଳିକିରି ମୌଜାରେ ଶିଳ୍ପ ବିକାଶର ନୂଆ ସମ୍ଭାବନା ତଥା ପ୍ରସ୍ତାବିତ ଶିଳ୍ପ ପାର୍କ ପାଇଁ ଜମି ସର୍ଭେ ଓ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଏବେ ଜୋରଦାର ଆରମ୍ଭ ହୋଇଛି। ପଳିକିରି ଛକ ସମ୍ମୁଖରେ ଥିବା ପ୍ରାୟ ୧୯ ଏକର ୯୪ ଡିସିମିଲ ସରକାରୀ ପତିତ ଜମିକୁ ନେଇ ଇଡ଼କୋ କମ୍ପାନୀ ପକ୍ଷରୁ ପ୍ରକ୍ରିୟା ତତ୍ପରତା ଦେଖାଦେଇଛି। ଜମିର ମାପଚୁପ ସହ ସୀମା ଚିହ୍ନଟ ପାଇଁ ଖୁଣ୍ଟ ପୋତାଯାଉଛି। ଇଡ଼କୋ ଯାଜପୁର ଶାଖାର ତତ୍ତ୍ୱାବଧାନରେ ଏକ ବେସରକାରୀ ସଂସ୍ଥା ସର୍ଭେ କରୁଥିବା ବେଳେ ଯାଜପୁର ଇଡ଼କୋ ଶାଖାର ସହକାରୀ ଯନ୍ତ୍ରୀ ଇଂ. ନିହାର ରଞ୍ଜନ ସିଅଳ କାର୍ଯ୍ୟର ତଦାରଖ କରୁଛନ୍ତି। ଗତ ଜୁନ୍ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ବର୍ଷା ଯୋଗୁଁ କାର୍ଯ୍ୟ କିଛିଟା ମନ୍ଥର ହୋଇଥିଲା। ଏବେ ପୁଣି ଏହାକୁ ଅଗ୍ରଗତି ନିମନ୍ତେ ଆଗେଇ ଆସିଛନ୍ତି। ପ୍ରସ୍ତାବିତ ଶିଳ୍ପ ପାର୍କ ପାଇଁ ସର୍ବନିମ୍ନ ୫୦ କୋଟି ଟଙ୍କା ବ୍ୟୟ ବରାଦର ଲକ୍ଷ୍ୟ ରହିଥିବା ସୂଚନା ଦିଆଯାଇଛି। ଜମି ସମ୍ପର୍କିତ ପ୍ରକ୍ରିୟା ଶେଷ ପରେ ପର୍ଯ୍ୟାୟକ୍ରମେ ପାଚେରି ନିର୍ମାଣ,ରାସ୍ତା,ବିଦ୍ୟୁତ୍ ଓ ପାନୀୟ ଜଳ ଭଳି ଭିତ୍ତିଭୂମି ବିକାଶ କରାଯିବାର ଯୋଜନା ରହିଛି। ଧାମନଗର ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ଏହି ପ୍ରକଳ୍ପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ତେବେ ଶିଳ୍ପ ପାର୍କରେ କେଉଁ ପ୍ରକାର ଶିଳ୍ପ ପ୍ରତିଷ୍ଠା ହେବ। ଏବଂ କେତେ ସଂସ୍ଥାକୁ ସୁଯୋଗ ମିଳିବ ଏବଂ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ ସେନେଇ ବିଭାଗୀର ସ୍ପଷ୍ଟ ସୂଚନାକୁ ଅପେକ୍ଷା କରାଯାଇଛି।


