ବିନା ବୈଧ କାଗଜ ପତ୍ରରେ ଆସିକାରେ ଚାଲିଛି ଶହଶହ ଗାଡି !
ଆସିକା(ୱାଇଏନ୍ଏସ୍): ପରିବହନ ବିଭାଗର ଦୂରଦୃଷ୍ଟିର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଶହଶହ ଛୋଟବଡ ଗାଡି ମୋଟର ବିନା ବୈଧ କାଗଜ ପତ୍ରରେ ଚାଲିଥିବା ଅଭିଯୋଗ ହେଉଛି। ବିନା ବୈଧ କାଗଜ ପତ୍ରରେ ଶହଶହ ଗାଡି ଅବାଧରେ ରାସ୍ତାରେ ଗଡୁଥିଲେ ମଧ୍ୟ ସେଗୁଡିକର ସମସ୍ତ କାଗଜ ପତ୍ର ଯାଞ୍ଚ କରିବା ଦିଗରେ ପରିବହନ ବିଭାଗର ନୀରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ବିନା ବୈଧ କାଗଜ ପତ୍ରରେ ଚଳାଚଳ କରୁଥିବା ଗାଡି ଯଦି କୌଣସି ସ୍ଥାନରେ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଗସ୍ତ ହୁଏ ତେବେ ସେତେବେଳେ ଦୁର୍ଘଟଣାରେ ପୀଡିତ ଓ ପୀଡିତଙ୍କ ପରିବାର କ୍ଷତିପୂରଣ ପାଇବାରେ ନାନା ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ବିନା ବୈଧ କାଗଜପତ୍ର ଯଥା- ରୋଡଟ୍ୟାକ୍ସ୍, ବୀମା, ଫିଟ୍ନେସ୍, ପଲ୍ୟୁସନ୍ ଇତ୍ୟାଦି ନଥିବା ଗାଡି ଗୁଡିକର ଯାଞ୍ଚ ନିୟମିତ କରାଯାଉନଥିବା ବେଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସ୍କୁଲ ପିଲାଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଥିବା ଅଧିକାଂଶ ଟାଟାଏସି ଗାଡି ଠାରୁ ଆରମ୍ଭ କରି କେତେକ ବାଲି, ଗୋଡି, ଇଟା ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ବହୁ ଟ୍ରାକ୍ଟର ଏବଂ ଛୋଟବଡ ବାଇକ ଗୁଡିକ ଏହାର ଫାଇଦା ଉଠାଇ ବିନା ବୈଧ କାଗଜପତ୍ରରେ ଚଳପ୍ରଚଳ କରୁଥିବା ଅଭିଯୋଗ ହେଉଛି। ପରିବହନ ବିଭାଗ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଅଞ୍ଚଳରେ ବିନା ବୈଧ କାଗଜପତ୍ରରେ ଚଳାଚଳ କରୁଥିବା ଗାଡି ମୋଟର ଗୁଡିକ ବିରୋଧରେ ଆଇନ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି।


