ଦହିବରା ଖାଇ ୫୦ରୁ ଅଧିକ ଅସୁସ୍ଥ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ ): କାକଟପୁର ବ୍ଲକ ବାଙ୍ଗୁରୀଗାଁ ଅଞ୍ଚଳରେ ବିଷାକ୍ତ ଦହିବରା ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ମଙ୍ଗଳବାର ଅପରାହ୍ନ ରେ ଦହିବରା ଖାଇବା ପରେ ମଙ୍ଗଳବାର ବିଳମ୍ବିତ ରାତି ୨ଟାରୁ ଲୋକଙ୍କ ମଧ୍ୟରେ ଝାଡା, ବାନ୍ତି, ପେଟ ଯନ୍ତ୍ରଣା ଓ ଜ୍ୱର ଲକ୍ଷଣ ଦେଖାଦେଇଥିଲା। ବୁଧବାର ସନ୍ଧ୍ୟା ସୁଦ୍ଧା ରୋଗୀ ସଂଖ୍ୟା ବଢି ଚାଲିଛି। ପ୍ରାପ୍ତ ସୂଚନା ଅନୁଯାୟୀ,କାକଟପୁର ବ୍ଲକ ଅଧୀନ ମାଟିଆପଡା, ତରପଦା, ଶ୍ରୀଚନ୍ଦନପୁର, ଅଶିଜଙ୍ଘା, ଗଣିପୁର, ତେନ୍ତୁଳିଆ, ଗଡ ନୟରଛଡା, ବାଣିଆ, କଣିଆ ଆଦି ଗାଁରେ ମଙ୍ଗଳବାର ଅପରାହ୍ନ ରେ ଜଣେ ବୁଲା ଦହିବରା ବ୍ୟବସାୟୀ ଦହିବରା ବିକ୍ରି କରିଥିଲେ। ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଉକ୍ତ ବ୍ୟବସାୟୀ ଜଣକ ହେଉଛନ୍ତି ବାପି ଦାସ, କିନ୍ତୁ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ତାଙ୍କ ନିକଟରୁ ବହୁ ଲୋକ ଦହିବରା କିଣି ଖାଇଥିଲେ। ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଦହିବରାରେ ଛେନା ପାଣି ମିଶାଯାଇଥିଲା। ବାସି ଓ ପଚା ଛେନା ପାଣିକୁ ଦହି ସହ ମିଶାଇ ବିକ୍ରି କରାଯିବାରୁ ଏଭଳି ଫୁଡ୍ ପଏଜନିଂ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ୬ ବର୍ଷର ଶିଶୁଠାରୁ ୬୦ ବର୍ଷର ବୃଦ୍ଧ ପର୍ଯ୍ୟନ୍ତ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଅସୁସ୍ଥ ବ୍ୟକ୍ତିଙ୍କୁ ପ୍ରଥମେ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରୋଗୀ ସଂଖ୍ୟା ଅଧିକ ହେବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା ଅଭାବ ଦେଖାଦେଇଛି। ଅନେକ ରୋଗୀ ବାରଣ୍ଡା ଓ ତଳେ ପଡି ଚିକିତ୍ସିତ ହେଉଛନ୍ତି।
ଏ ସମ୍ପର୍କରେ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସମ୍ରଜିତ ମଲ୍ଲିକ କହିଛନ୍ତି, ମଙ୍ଗଳବାର ରାତି ୨ଟାରୁ କ୍ରମାଗତ ଭାବେ ରୋଗୀ ଆସୁଛନ୍ତି। ସମସ୍ତେ ବିଷାକ୍ତ ଦହିବରା ଖାଇଥିବା କହିଛନ୍ତି। ଏହା ଫୁଡ୍ ପଏଜନିଂ ଜନିତ ରୋଗ। ଆମେ ପ୍ରାଥମିକ ଚିକିତ୍ସା କରିବା ସହ ଗୁରୁତର ରୋଗୀଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର କରିଛୁ। ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀ ଆସିବା ଜାରି ରହିଛି। ଅନ୍ୟପକ୍ଷରେ ଖାଦ୍ୟ ନିରାପତ୍ତା ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିନା ଲାଇସେନ୍ସରେ ବୁଲା ବ୍ୟବସାୟୀମାନେ ବିଷାକ୍ତ ଖାଦ୍ୟ ବିକ୍ରି କରୁଥିଲେ ମଧ୍ୟ ବିଭାଗ ଚୁପ୍ ରହିଛି। ଘଟଣା ପରେ ଅଭିଯୁକ୍ତ ବ୍ୟବସାୟୀ ଫେରାର ବିଶେଷ ସୂତ୍ରରୁ ସୂଚନା ମିଳିଥିବା ବେଳେ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି।


