ଭିରୁଡାରେ ଅବକାରୀ ଚଢାଉ: ୨୧୨୩ ଲିଟର ମଦ ଜବତ

କଟକ (ଓ୍ବାଇଏନଏସ): ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଦେଶୀ ମଦ ର କୂଟୀର ଶିଳ୍ପ ପାଲଟିଥିବା ଆଠଗଡ, ତିଗିରିଆ ଓ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ନିର୍ଦ୍ଧିଷ୍ଟ କେତେକ ଗ୍ରାମରେ କ୍ରମାଗତ ଅବକାରୀ ଚଢାଉ ଜାରି ରହିଛି । ଏହି କ୍ରମରେ ରବିବାର ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ଅଞ୍ଚଳରେ ଆଠଗଡ, ବାଙ୍କୀ ଓ ନରସିଂହପୁର ଅବକାରୀ ଥାନା ପକ୍ଷରୁ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ କରାଯାଇଛି । ଆଠଗଡ ଅବକାରୀ ଉପଅଧିକ୍ଷକ ସିଏଚ ତିରୁପତି ଓ ନିରୀକ୍ଷକ ରବି ନାରାୟଣ ପ୍ରଧାନଙ୍କ ନେତୃତ୍ବରେ ଭିରୁଡା, ଗରପଡା, ପାଇକସାହି, ହରିଡାପଶି, ବାଲିପୁଟ ଗ୍ରାମ ଓ ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇ ଶତାଧିକ ପ୍ଲାଷ୍ଟିକ ଜାରକିନରେ ଲୁଚାଇ ରଖାଯାଇଥିବା ସଦ୍ଯ ପ୍ରସ୍ତୁତ ୨୧୨୩ ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୧୦୬୦୫ ଲିଟର ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ଚଢାଉ ପୂର୍ବରୁ ଚୋରା ମଦ ମାଫିଆ ଫେରାର ହୋଇଯାଇଥିବାରୁ କାହାରିକୁ ଗିରଫ କରାଯାନଥିଲେ ମଧ୍ଯ ଏ ସଂକ୍ରାନ୍ତରେ ୪ ଟି ମାମଲା ରୁଜୁ କରାଯାଇଛି । ଏହି ଚଢାଉରେ ଆଠଗଡ ଉପନିରୀକ୍ଷକ ତରୁଣ କୁମାର ପାତ୍ର, ବାଙ୍କୀ ଉପନିରୀକ୍ଷକ ବାପି ସାହୁ ଓ ନରସିଂହପୁର ଉପନିରୀକ୍ଷକ ରାଜକିଶୋର ନାୟକଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ