ସମିତି ପାଣ୍ଠି ହେରଫେର ଅଭିଯୋଗକୁ ଖଣ୍ଡନ କଲେ ସମ୍ପାଦକ
ହାଟଡିହି ,(ଓ୍ବାଇଏନଏସ) : ମରୈଗାଁ ସେବା ସମବାୟ ସମିତିର ଲକ୍ଷ ଲକ୍ଷ ଟଙ୍କାର ପାଣ୍ଠି ହେରଫେର ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପାଦକ ଶରତ କୁମାର ସେଠୀ। ସେ କହିଛନ୍ତି ଯେ ମୁଁ ପ୍ରମୋସନ ପାଇଁ ପରୀକ୍ଷା ଦେଇ ପଦୋନ୍ନତି ପାଇଁ ଚୟନ ହେବା ପରେ ମୋ ବିରୁଦ୍ଧରେ କିଛି ବ୍ୟକ୍ତି ଅପ ପ୍ରଚାର ଚଳାଇଛନ୍ତି। ମରୈଗାଁ ସେବା ସମିତିର ସମ୍ପାଦକ ଶରତ କୁମାର ସେଠୀଙ୍କ ନାମରେ ୨୩-୨୪ ବର୍ଷର ସମୀକ୍ଷା (ଅଡିଟ୍) ରିପୋର୍ଟରେ ବିଭିନ୍ନ ଉପାୟରେ ୯୫ ଲକ୍ଷ ୭୯ ହଜାର ୧୭୨ ଟଙ୍କା ହରିଲୁଟ୍ ହୋଇଥିବା ଦର୍ଶାଯାଇ ସରଚାଜ କରାଯାଇଛି। ତାଙ୍କ କହିବା କଥା ଯେ ଗତ ୨୦୧୩/୧୪ ବର୍ଷରେ ସମିତିର ଅଡିଟ ହୋଇଥିଲା। ସେତେବେଳେ ସମ୍ପାଦକଙ୍କ ନାମରେ ୭୨ ଲକ୍ଷ ୬୯ ୫୮୫ ଅଡିଟରେ ବାହାର କରାଯାଇ ମୋ ନାମରେ କ୍ରିମିନାଲ କେସ କରାଯାଇ ଥିଲା। ଯାହାକି ପରବର୍ତ୍ତୀ ସମୟରେ କୋର୍ଟରେ ମୋ ବିରୁଦ୍ଧରେ କୌଣସି ଦସ୍ତାବିଜ ଦେଖାଇ ନ ପାରିବାରୁ ୨୦୧୯ ମସିହାରେ ମୁଁ ନିର୍ଦୋଷରେ ଖଲାସ ହେଲି। ଏପରିକି ଅଡିଟ ରିପୋର୍ଟ ଆଧାରରେ ୧୩/୧୪ ମସିହାରୁ ଅଧିକ ଟଙ୍କା ଜମା କରିଥିବା ଯୋଗୁଁ ମୁଁ ସମିତିରୁ ୨୬ଲକ୍ଷ ୮୫୩୩୮ ଟଙ୍କା ପାଇବାକୁ ଅଛି। କେନ୍ଦୁଝରର ତତ୍କାଳୀନ ସମବାୟ ଉପ-ନିବନ୍ଧକଙ୍କ ସୁପାରିସ କ୍ରମେ ସମବାୟ ନିବନ୍ଧକଙ୍କ ପତ୍ର ସଂଖ୍ୟା ୧୬୯୦୩ ତା-୧୭/୯ /୨୦୨୬ ଅନୁଯାୟୀ ମୋତେ ‘ ସମବାୟ ନିରୀକ୍ଷକ’ ପଦବୀ ପାଇଁ ମନୋନୟନ କରାଯାଇଛି। କିନ୍ତୁ ଏବେ ସେହି ପୁରୁଣା ଅଡିଟ ରିପୋର୍ଟକୁ ଦେଖାଇ କିଛି ବ୍ୟକ୍ତି ମୋ ପଦୋନ୍ନତି କୁ ରୋକିବା ପାଇଁ ମୋ ବିରୁଦ୍ଧରେ ଅପପ୍ରଚାର ଚଳାଇଛନ୍ତି ବୋଲି ସମ୍ପାଦକ ଶରତ କୁମାର ସେଠୀ ମତବ୍ୟକ୍ତ କରିଛନ୍ତି ।


