ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ବାର୍ଷିକ ସାଧାରଣ ସଭା
ଆସିକା (ୱାଇଏନ୍ଏସ୍) :ସମାଜର ଦୁର୍ବଳ ଓ ଅବହେଳିତ ବର୍ଗଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ କ୍ଷେତ୍ରରେ ସମବାୟ ବ୍ୟାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବୁଧବାର ସ୍ଥାନୀୟ ବାଣୀବିହାର ସ୍ଥିତ ସାବିତ୍ରୀ କଲ୍ୟାଣ ମଣ୍ଡପ ପରିସରରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ୧୦୧ତମ ବାର୍ଷିକ ସାଧାରଣ ସଭାରେ ବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ମଙ୍ଗୁଳୁଧର ସାହୁ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭରତ ଚନ୍ଦ୍ର ସାହୁ ମତବ୍ୟକ୍ତ କରିଥିବା ଜଣାପଡିଛି । କୃଷିର ବିକାଶ ଓ କୃଷକର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ଲାଗି ୧୯୧୮ ମସିହାରେ ସ୍ଥାପିତ ହୋଇଥିବା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ୧୦୧ତମ ବାର୍ଷିକ ସାଧାରଣ ସଭା ସାବିତ୍ରୀ କଲ୍ୟାଣ ମଣ୍ଡପ ପରିସରରେ ସଭାପତି ମଙ୍ଗୁଳୁଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭରତ ଚନ୍ଦ୍ର ସାହୁ ସଂପାଦକୀୟ ବିବରଣୀ ପଠନ କରିବା ସହ ବ୍ୟାଙ୍କର ଆର୍ଥୀକ ଅଭିବୃଦ୍ଧି ଉପରେ ନିଜର ବକ୍ତବ୍ୟ ରଖିବା ସହ କୃଷିର ଉନ୍ନତି ଓ କୃଷକର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଏହି ପୁରାତନ ସମବାୟ ସଂସ୍ଥା ଅଧିକ ପ୍ରାଧାନ୍ୟ ଦେଇଆସୁଥିବା ବେଳେ ସରକାରଙ୍କ ନିଷ୍ପତି ଅନୁଯାୟୀ ଗତ ୨୦୨୨ ମସିହା ଏପ୍ରିଲ ପହିଲାରୁ ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଦିଆଯାଉଥିଲା ବେଳେ ୨ ପ୍ରତିଶତ ସୁଧ ହାରରେ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ପ୍ରଦାନର ବ୍ୟବସ୍ଥା କରାଯାଉଥିଲା ବେଳେ ବଳରାମ ଯୋଜନାରେ ଯୁଗ୍ମ ମିଳିତ ଗୋଷ୍ଠୀଙ୍କୁ ଭାଗଚାଷୀ ରୂପେ ଋଣ ପ୍ରଦାନ କରାଯିବା ସାଙ୍ଗକୁ ସରକାରଙ୍କ ବଳିଆ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କୁ ଋଣ ପ୍ରଦାନ କରାଯାଉଛି ଏବଂ ଗ୍ରାହକମାନଙ୍କୁ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ଓ ଏଇପିଏସ୍ ବ୍ୟବସ୍ଥା ସୁବିଧା ଯୋଗାଇ ଦିଆଯାଉଥିଲା ବେଳେ କୃଷକବନ୍ଧୁମାନଙ୍କୁ ପ୍ରଚଳିତ କିଶାନ କ୍ରେଡିଟ୍ କାର୍ଡ ଯୋଜନାରେ ମଧ୍ୟ ଏକ ବିରାଟ ସମୟୋପଯୋଗୀ ପରିବର୍ତ୍ତନ ଅଣାଯିବା ସହ କିଶାନ୍ କ୍ରେଡିଟ୍ କାର୍ଡ ଋଣୀ ମାନଙ୍କୁ ପିଏଆଇଏସ୍ଏସ୍ ଯୋଜନାରେ ବୀମାଭୁକ୍ତ କରାଯିବା ସାଙ୍ଗକୁ ବ୍ୟାଙ୍କର ସମସ୍ତ ଜମାକାରୀଙ୍କ ଜମାଖାତାକୁ ଡିଆଇସିଜିସି ସହିତ ବୀମାଭୁକ୍ତ କରାଯାଇଛି । ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଭାରତର ସମସ୍ତ ବ୍ୟାଙ୍କମାନଙ୍କର ମନି ଟ୍ରାନ୍ସଫର୍ରେ ଅଗ୍ରଣୀ ଭୂମିକା ନେଇଥିବା ଏନ୍ପିସିଆଇ ସଂସ୍ଥାର ସଭ୍ୟ ଭାବେ ପରିଗଣିତ ହୋଇଥିଲା ବେଳେ ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ରୂପେ ଡେବିଟ୍ କାର୍ଡ ମାଧ୍ୟମରେ ଭାରତବର୍ଷରେ ଥିବା ବ୍ୟାଙ୍କମାନଙ୍କର ସମସ୍ତ ଏଟିଏମ୍ରୁ ଟଙ୍କା ଉଠାଣ ବ୍ୟବସ୍ଥାର ସୁବିଧା ମଧ୍ୟ କରାଯାଇଛି । ତେଣୁ ଏହି ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଯେପରି ଅତୁଟ ରହିବ ତାହାକୁ ଦୃଷ୍ଟିରେ ରଖି ସମବାୟ କ୍ଷେତ୍ରକୁ ଆହୁରି କ୍ରିୟାଶୀଳ ଓ ଚଳଚଞ୍ଚଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ କେନ୍ଦ୍ରବ୍ୟାଙ୍କର ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସଭାପତି ମଙ୍ଗୁଳୁଧର ସାହୁ ଉଦ୍ବୋଧନ ଦେଇ ୧୯୧୮ ମସିହାରୁ ଦୀର୍ଘ ୧୦୧ବର୍ଷ ଧରି ଏହି ବ୍ୟାଙ୍କ ନିରବିଚ୍ଛିନ୍ନ ଭାବେ ସମବାୟର ଆଦର୍ଶ ଓ ଚିନ୍ତାଧାରାକୁ ଆୟୁଧ କରି ବ୍ୟାଙ୍କ ପରିସରଭୁକ୍ତ ଅଞ୍ଚଳରେ ବସବାସ କରୁଥିବା କୃଷକ, କୃଷି ଶ୍ରମିକ, ଗ୍ରାମ୍ୟ କାରିଗର, ବୁଣାକାର, ବ୍ୟବସାୟୀ, ହରିଜନ, ଆଦିବାସୀ, ବେକାର ଯୁବକ ଓ ମହିଳା ମାନଙ୍କର ଆର୍ଥୀକ ମାନଦଣ୍ଡ ବିକାଶରେ ତଥା ସ୍ୱାବଲମ୍ବନଶୀଳ କରିବାରେ ପ୍ରୟାସ ଜାରି ରଖିଛି । ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ପରିବର୍ଦ୍ଧିତ ଅର୍ଥନୀତି ଅନୁସାରେ ବ୍ୟାଙ୍କ ବିଭିନ୍ନ ସେବା ସମବାୟ ସମିତି ଜରିଆରେ କୃଷିଋଣ ଯୋଗାଇ ଦେଇ ଆସୁଛି । ବ୍ୟାଙ୍କ ଓ ସମିତି ମାନଙ୍କୁ ସ୍ୱାବଲମ୍ବନଶୀଳ କରିବାକୁ ହେଲେ ବ୍ୟବସାୟର ଉନ୍ନତି, ମନ୍ଦଋଣ ଆଦାୟ, ପରିଚାଳନା ଖର୍ଚ୍ଚ କମାଇବା ଅପରିହାର୍ଯ୍ୟ । ଏହା ବ୍ୟାଙ୍କ ତଥା ସମସ୍ତ ସମବାୟ ସମିତି ପରିଚାଳନା ପରିଷଦର ନେତୃତ୍ୱ, ଦିଗ୍ଦର୍ଶନ ଓ କର୍ମଚାରୀ ମାନଙ୍କ ଦକ୍ଷତା ଓ ନିଷ୍ଠାପରତା ଉପରେ ନିର୍ଭର କରେ । ଗତ୨୦୨୫- ୨୦୨୬ ରବି ଋତୁରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ମୋଟ ୨୬୨କୋଟି ୮୫ଲକ୍ଷ ୩୨ ହଜାର ଟଙ୍କା ଶସ୍ୟଋଣ ଯୋଗାଣ କରିଥିଲା ବେଳେ ୨୦୨୫-୨୦୨୬ ଖରିଫ୍ ଋତୁରେ ୨୯୪କୋଟି ୧୮ଲକ୍ଷ ୪୧ହଜାର ଟଙ୍କା ଶସ୍ୟ ଋଣଲଗାଣ କରି ଉଲ୍ଲେଖନୀୟ ସଫଳତା ହାସଲ କରାସାରିଛି । ଚାଷୀ ପରିବାରବର୍ଗଙ୍କୁ ଆର୍ଥୀକ କ୍ଷେତ୍ରରେ ସ୍ୱାବଲମ୍ବନଶୀଳ କରିବା ହେଉଛି ଏହି ବ୍ୟାଙ୍କର ଲକ୍ଷ୍ୟ । ସମବାୟ ନୀତି ଓ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଅତୀତର ସଫଳତାକୁ ଆତ୍ମସମୀକ୍ଷା କରିବା ସହ ଭବିଷ୍ୟତର ବାସ୍ତବ ଯୋଜନା ପାଇଁ ପଥ ପ୍ରସ୍ତୁତ କରି ଏହି ପୁରାତନ ଅନୁଷ୍ଠାନର ପ୍ରଗତିର ରଥକୁ ଆଗେଇ ନେବାକୁ ସଭାପତି ଶ୍ରୀ ମଙ୍ଗୁଳୁଧର ସାହୁ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭରତ ଚନ୍ଦ୍ର ସାହୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ଏହି ୧୦୧ତମ ବାର୍ଷିକ ସାଧାରଣ ସଭାରେ ବ୍ୟାଙ୍କର ନିଜସ୍ୱ ପାଣ୍ଠି, ଜମା ସଂଗ୍ରହ, ଋଣ ସଂଗ୍ରହ, ଋଣ ଲଗାଣ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହି ସାଧାରଣ ସଭାରେ ବ୍ୟାଙ୍କ ପରିସରଭୁକ୍ତ ବିଭିନ୍ନ ସମିତିର କର୍ମକର୍ତ୍ତା, ସମବାୟ ବିଭାଗର ବରିଷ୍ଠ ପଦାଧିକାରୀ, ଯୋଗ୍ୟ ବିବେଚିତ ସଭ୍ୟ ଯୋଗ ଦେଇ ଚାଷୀ ସମାଜର ସାମାଜିକ ଓ ଅର୍ଥନୈତିକ ବିକାଶରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହ ଆସିକା ସର୍କଲର ସହକାରୀ ନିବନ୍ଧକ ବିଜୟ କୁମାର ସାହୁ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା ଓ ନିର୍ଦ୍ଦେଶକ ଇଂ ସଚ୍ଚିଦାନନ୍ଦ ରାଉତ ଏବଂ ରିଙ୍କି ପୋଲାଇ, ସମବାୟବିତ୍ କାମେଶ୍ୱର ଗୌଡ, ବାବୁରାଜ ଭୂୟାଁ, ଅମୂଲ୍ୟ କୁମାର ଦାସ, ଆସିକା ସମବାୟ ଚିନିଶିଳ୍ପ ଲିଃର ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ ଏବଂ ରତ୍ନାକର ସାହୁ, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା ପରିଷଦର ଉପ-ସଭାନେତ୍ରୀ ଜ୍ୟୋତିପ୍ରଭା ବାରିକ, ପରିଚାଳନା ପରିଷଦର ସଦସ୍ୟ ଜ୍ୟେସ୍ôନା ଗୌଡ, ନାରସୁ ପ୍ରଧାନ, ଗଙ୍ଗାଧର ପାତ୍ର, ବିପିନ ବିହାରୀ ସ୍ୱାଇଁ, ବସନ୍ତ କୁମାର ସ୍ୱାଇଁ, କେଳା ନାୟକ, ସୁମନ୍ତ କୁମାର ବିଷୋୟୀ, ତନୁଲତା ବିଷୋୟୀ, ନନ୍ଦିନୀ ଭୁୟାଁ, ରଞ୍ଜନ କୁମାର ସାହୁ, ହୃଷିକେଶ ମେହେଣାଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଓ ସମବାୟବିତ୍ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ୧୦୧ତମ ବାର୍ଷିକ ସାଧାରଣ ସଭାକୁ ସୁପରିଚାଳନା କରିବା ଦିଗରେ କେନ୍ଦ୍ର ବ୍ୟାଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ମମତା ପରିଡା, ଗିତାଞ୍ଜଳୀ ବେହେରା, ଶ୍ରୀକାନ୍ତ ଚରଣ ସ୍ୱାଇଁ, ଚାନ୍ଦିନୀ ସ୍ୱାଇଁ, ବିଜୟ କୁମାର ପଣ୍ଡା, ଅବିନାଶ ବିଶ୍ୱଜିତ୍, କେ.ବିଶ୍ୱଜିତ୍, ଆଶିଷ୍ କୁମାର ସାହୁ, ଭବାନୀ ଶଙ୍କର ଷଡଙ୍ଗୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ସୁମନ୍ତ କୁମାର କରଙ୍କ ସମେତ ବହୁ କର୍ମଚାରୀ ଓ ଆଉଟ୍ସୋର୍ସିଂ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


