କଂଗ୍ରେସ୍ କର୍ମୀଙ୍କ ଡାକ୍ତରଖାନା ପରିଦର୍ଶନ
ଝାରପୋଖରିଆ,(ଭଗୀରଥ ମହାନ୍ତ) : ସାରସକଣା ବ୍ଲକ୍ ଅନ୍ତର୍ଗତ ସାରସକଣାସ୍ଥିତ ମୁଣ୍ଡାକଟା ଗ୍ରାମରେ ଘରେ ଥିବା ଏକ ଟେବୁଲ୍ ଫ୍ୟାନର ଲିକ୍ ହୋଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଚୁଲବୁଲ ଆସିଥିଲେ । ଫଳରେ ସେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ସାରସକଣା ଡାକ୍ତରଖାନାକୁ ନେଇଥିଲେ । ତେବେ ସାରସକଣା ଡାକ୍ତରଖାନାରେ ଡାକ୍ତର ନଥିବାରୁ ତୁମୁଳ କାଣ୍ଡ ମଧ୍ୟ ଘଟିଥିଲା। ଏହି ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇ ମଙ୍ଗଳବାର ସାରସକଣା ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ସାରସକଣା ଡାକ୍ତରଖାନା ପରିଦର୍ଶନ କରିଥିଲେ । ବ୍ଲକ କଂଗ୍ରେସ ସଭାପତି ତରୁଣ କୁମାର ଗିରିଙ୍କ ନେତୃତ୍ୱରେ ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ୍ ବିଧାୟକ ତଥା ପୂର୍ବତନ ସାଂସଦ ଇଂ. ରାମଚନ୍ଦ୍ର ହାଁସଦା , ସିନାଶିଷ ହୋତା , ବ୍ଲକ ସମ୍ପାଦକ ଦୀପକ କୁମାର ଦାସ , ଜିଲ୍ଲା ସମ୍ପାଦକ ମନରଞ୍ଜନ ନାୟକ , ବଳରାମ ମାଲ , ଏସ୍.ଟି. ସଭାପତି ବିରଞ୍ଚି ନାୟକ , ବେଣୁଧର ଘୋଷଙ୍କ ସମେତ ବହୁ କଂଗ୍ରେସ କର୍ମୀ ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ପ୍ରତିନିଧି ଦଳ ଉପସ୍ଥିତ ଡାକ୍ତରଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ତଥ୍ୟ ନେଇଥିଲେ । ଘଟଣାର ପରିସ୍ଥିତି ଓ ଶିଶୁ କନ୍ୟାଙ୍କ ଚିକିତ୍ସା ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ । ପରେ କଂଗ୍ରେସ ପ୍ରତିନିଧି ଦଳ ମୁଣ୍ଡାକଟା ଗ୍ରାମରେ ମୃତ ଚୁଲବୁଲଙ୍କ ଘରକୁ ଯାଇ ତାଙ୍କ ବାପା ରାଜା ବେହେରା ଓ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଶୋକ ସନ୍ତପ୍ତ ପରିବାର ସହ ଆଲୋଚନା କରିବା ସହ ଏହି ଦୁଃଖଦ ସମୟରେ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ଏହି ଅଭାବନୀୟ ଘଟଣା ପରେ ମୁଣ୍ଡାକଟା ଗ୍ରାମ ସମେତ ସାରସକଣା ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ଏଭଳି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଘରେ ବ୍ୟବହୃତ ବିଦ୍ୟୁତ୍ ଉପକରଣ , ତାର ଓ ସୁଇଚ୍ ଆଦି ନିୟମିତ ଯାଞ୍ଚ କରିବା ସହ ଛୋଟ ଶିଶୁ ମାନଙ୍କ ସୁରକ୍ଷା ପ୍ରତି ପରିବାର ଲୋକେ ଅଧିକ ସତର୍କ ରହିବା ଆବଶ୍ୟକତା ରହିଛି ।


