ଅସ୍ତରଙ୍ଗ ବଜାରରେ ଡ୍ରଗ୍ସ ବିଭାଗର ସରପ୍ରାଇଜ୍ ଔଷଧ ଦୋକାନରେ ରେଡ୍
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଗାଁ ଗହଳିରେ ଔଷଧ ନାଁରେ କ’ଣ ବିକ୍ରି ହେଉଛି? ଆପଣ ବିଶ୍ୱାସରେ ଖାଉଥିବା ଟାବଲେଟ୍ ଅସଲି ତ? ଏହି ସନ୍ଦେହକୁ ଦୂର କରିବାକୁ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ଡ୍ରଗ୍ସ ନିୟନ୍ତ୍ରଣ ବିଭାଗ ଏବେ ଆକ୍ସନ ମୋଡରେ। ଗତ ସପ୍ତାହରେ ବେଳଙ୍ଗ ଅଞ୍ଚଳରେ ଚଢାଉ ପରେ ବୁଧବାର ଅପରାହ୍ନରେ ଅସ୍ତରଙ୍ଗ ବ୍ଲକର ଆଳସାହି, ନଗର ଓ ମୁଖ୍ୟ ବଜାରରେ ଏକକାଳୀନ ଚଢାଉ ହୋଇଛି।ଏହି ରେଡ୍ର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ଜୋନ୍ ସହକାରୀ ଔଷଧ ନିୟନ୍ତ୍ରକ ଡ଼. ସୁଦର୍ଶନ ବିଶ୍ୱାଳ। ତାଙ୍କ ସହ ପୁରୀ ଜିଲ୍ଲା ଔଷଧ ନିରୀକ୍ଷକ ଡ଼. ଜ୍ଞାନଦା ଶୁଭଲକ୍ଷ୍ମୀ ନନ୍ଦ ଓ ଅଧିକାରୀ ହିତେଶ କୁମାର ବେହେରାଙ୍କ ତିନି ଜଣିଆ ଟିମ୍ ପ୍ରାୟ ଦୁଇ ଘଣ୍ଟା ଧରି ପ୍ରତ୍ୟେକ ଦୋକାନର କୋଣ ଅନୁକୋଣ ଯାଞ୍ଚ କରିଥିଲେ। ଖବର ପାଇ ଅନେକ ଦୋକାନ ଆଗରୁ ସଟର ପକାଇ ଦେଇଥିବା ଚର୍ଚ୍ଚା ହେଉଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଅସ୍ତରଙ୍ଗ ଅଞ୍ଚଳରେ ଅନେକ ମେଡିକାଲ ଷ୍ଟୋର ବିନା ଫାର୍ମାସିଷ୍ଟରେ ଚାଲୁଛି। ରୋଗୀ ଜ୍ୱର ହେଲେ ଆଣ୍ଟିବାୟୋଟିକ୍ ଦିଆଯାଉଛି, ତାହା ମଧ୍ୟ ବିନା ପ୍ରେସକ୍ରିପସନରେ। ଏମଆରପି ଠାରୁ ଅଧିକ ଦାମ, ବିଲ୍ ନ ଦେବା ଓ ଏକ୍ସପାୟାରୀ ଔଷଧ ବିକ୍ରି ଭଳି ସଙ୍ଗୀନ ଅଭିଯୋଗ ବିଭାଗ ପାଖରେ ପହଞ୍ଚିଥିଲା। ଏହାକୁ ଗୁରୁତର ଭାବେ ନେଇ ବିଭାଗ ଏହି ଚଢାଉ କରିଛି। ଯାଞ୍ଚ ସମୟରେ ଡ୍ରଗ୍ସ ଲାଇସେନ୍ସ, ବୈଧତା, ଫାର୍ମାସିଷ୍ଟଙ୍କ ଉପସ୍ଥିତି, ହୋଲସେଲ ବିଲ୍, ଷ୍ଟକ୍ ରେଜିଷ୍ଟର, ତାପମାତ୍ରା ନିୟନ୍ତ୍ରଣ ଯାଞ୍ଚ ହୋଇଥିଲା। ସନ୍ଦେହଜନକ ଔଷଧର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇଛି।ଡ଼. ବିଶ୍ୱାଳ କହିଛନ୍ତି, “ଗ୍ରାମାଞ୍ଚଳରେ ଗୁଣାତ୍ମକ ଔଷଧ ଯୋଗାଇବା ଲକ୍ଷ୍ୟ। ନମୁନା ଫେଲ୍ ହେଲେ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ଅନୁଯାୟୀ ଲାଇସେନ୍ସ ବାତିଲ ସମେତ କଡା କାର୍ଯ୍ୟାନୁଷ୍ଠାନ ହେବ। ଏହି ଯାଞ୍ଚ ପୁରୀ ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ ଜାରି ରହିବ।” ଏହି ଚଢାଉକୁ ସାଧାରଣ ଲୋକେ ସ୍ୱାଗତ କରିଛନ୍ତି, ହେଲେ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ଭୟ ବଢିଛି।


