ଛାତ୍ରଛାତ୍ରୀଙ୍କ କ୍ୟାରିୟର ପ୍ରସ୍ତୁତି କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍’ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ପ୍ରସ୍ତୁତି, ଯୋଗାଯୋଗ ଦକ୍ଷତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଲକ୍ଷ୍ୟରେ “କ୍ୟାରିୟର ରେଡିନେସ, ରିଜ୍ୟୁମ୍ ବିଲ୍ଡିଂ, ସାକ୍ଷାତକାର ଦକ୍ଷତା ଏବଂ ବ୍ୟକ୍ତିତ୍ୱର ବିକାଶ” ଶୀର୍ଷକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଇ.ସି.ସି. ସଦସ୍ୟା ପ୍ରଫେସର ପୂର୍ଣ୍ଣମାସୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପାଠ୍ୟକ୍ରମ ଜ୍ଞାନ ସହିତ ବୃତ୍ତିଗତ ଦକ୍ଷତା, ଆତ୍ମବିଶ୍ୱାସ ଏବଂ ଯୋଗାଯୋଗ କ୍ଷମତା ବିକଶିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଡ. ପୂର୍ବାଶା ପ୍ରିୟଦର୍ଶିନୀ ଅତିଥି ପରିଚୟ ପ୍ରଦାନ କରିବା ସହ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି ଉଚ୍ଚଶିକ୍ଷା ଓ ବୃତ୍ତିଗତ ଜୀବନ ଆରମ୍ଭ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ୟାରିୟର ପ୍ରସ୍ତୁତି, ଆତ୍ମବିକାଶ ଏବଂ ପ୍ରଭାବଶାଳୀ ଯୋଗାଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରସ୍ଥିତ ଶିକ୍ଷା ‘ଓ’ ଅନୁସନ୍ଧାନ (ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ) ଅନ୍ତର୍ଗତ ଆଇ.ଟି.ଇ.ଆର. ର ମାନବିକ ଓ ମୌଳିକ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜ୍ୟୋତ୍ସ୍ନାମୟୀ ମହାରଣା ଯୋଗଦେଇ ରିଜ୍ୟୁମ୍ ପ୍ରସ୍ତୁତି, ସାକ୍ଷାତକାର ଦକ୍ଷତା ଏବଂ ବ୍ୟକ୍ତିତ୍ୱ ବିକାଶର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସେ ଏକ ପ୍ରଭାବଶାଳୀ ରିଜ୍ୟୁମ୍ ପ୍ରସ୍ତୁତ କରିବା, ଆତ୍ମବିଶ୍ୱାସର ସହିତ ସାକ୍ଷାତକାରର ସମ୍ମୁଖୀନ ହେବା, ଯୋଗାଯୋଗ ଶୈଳୀରେ ଉନ୍ନତି ଆଣିବା, ବୃତ୍ତିଗତ ଶିଷ୍ଟାଚାର ବଜାୟ ରଖିବା ଏବଂ କର୍ମକ୍ଷେତ୍ରରେ ନିଜକୁ ସଠିକ୍ ଭାବେ ଉପସ୍ଥାପନ କରିବା ସମ୍ପର୍କରେ ବ୍ୟବହାରିକ ପରାମର୍ଶ ପ୍ରଦାନ କରିଥିଲେ। ଏହା ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି କ୍ୟାରିୟର ଯୋଜନା, ରିଜ୍ୟୁମ୍ ନିର୍ମାଣ, ସାକ୍ଷାତକାର କୌଶଳ ଏବଂ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏହି ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀମାନେ ବ୍ୟବହାରିକ ଜ୍ଞାନ ପାଇବା ସହ ନିଜର ଅନ୍ତର୍ନିହିତ ଦକ୍ଷତାକୁ ଚିହ୍ନି ତାହାର ବିକାଶ କରିବାକୁ ଉତ୍ସାହିତ ହୋଇଥିଲେ। ଶେଷରେ ଶକ୍ତିଶ୍ରୀ ସାଥୀ ସୁଶ୍ରୀ ବୈଶାଖୀ ପ୍ରିୟଦର୍ଶିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେ କଲେଜ କର୍ତ୍ତୃପକ୍ଷ, ଆମନ୍ତ୍ରିତ ବକ୍ତା, ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ବହୁମୂଲ୍ୟ ସହଯୋଗ ଓ ଅଂଶଗ୍ରହଣ ପାଇଁ କୃତଜ୍ଞତା ଜଣାଇଥିଲେ। ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ, ସଶକ୍ତୀକରଣ ଏବଂ ଭବିଷ୍ୟତ କ୍ୟାରିୟର ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ନିରନ୍ତର ପ୍ରୟାସର ଅଂଶବିଶେଷ ଭାବରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।


