ଶିଖର ପଂଚାୟତରେ ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ଘରେ ପଶିଲା ପାଣି
ନାଉଗାଁ (ଓ୍ବାଇଏନଏସ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର ପଂଚାୟତର ୧ନଂ ୱାର୍ଡ ଓ ୨୦ନଂ ୱାର୍ଡରେ ଜଳ ଜମି ରହିଥିଲା। ଏପରିକି ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଉକ୍ତ ୱାର୍ଡରେ ଥିବା ୭୦ରୁ ଉର୍ଦ୍ଧ୍ୱ ପରିବାରଙ୍କ ଘରେ ପାଣି ପଶି ଯାଇଥିଲା। ଫଳରେ ଏହି ୱାର୍ଡର ଲୋକମାନେ ଶୌଚାଳୟକୁ ଯାଇ ପାରୁ ନଥିଲେ। ଜଳ ନିଷ୍କାସନ ପାଇଁ ସେମାନେ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ତହସିଲଦାର ଅକ୍ଷୟ କୁମାର ବଡୁ, ଥାନାଧିକାରୀ ଦେବାଶୀଷ ପଣ୍ଡା, ଶିଖର ରାଜସ୍ୱ ନିରିକ୍ଷକ କିରଣ ସ୍ୱାଇଁ ଏବଂ ସୁପରଭାଇଜର ଆଦି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଜଳ ନିଷ୍କାସନ ପାଇଁ ବନ୍ଦୋବସ୍ତ କରିଥିଲେ। ଶିଖର ଗ୍ରାମର ବିଜୟ ସ୍ୱାଇଁଙ୍କ ଘର ନିକଟରେ ଥିବା ଏକ ନାଳିକୁ ସଫା କରିବା ସହିତ ପୂର୍ତ ବିଭାଗ ସହାୟତାରେ ହୋମ ପାଇପ ପକାଇ ପାଣି ନିଷ୍କାସନ କରାଯିବାର ସ୍ଥିର କରାଯାଇଥିଲା। ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ସମୟରେ ଉକ୍ତ ନାଳିରେ ହୋମ ପାଇପ ପଡି ପାଣି ଯେଉଁ ଆଡକୁ ଛାଡିବାର ବ୍ୟବସ୍ଥା କରାଯାଇଛି। ସେହି ପାଶ୍ୱର୍ରେ ଶିଖର, ନଳାଙ୍ଗ, ବୋଦଳ ଆଦି ଗ୍ରାମର ପ୍ରାୟ ୧୦୦ ଏକରରୁ ଉର୍ଦ୍ଧ୍ୱ ଚାଷ ଜମି ରହିଛି। ହେଲେ ଏହି ଚାଷ ଜମିରୁ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଯଦି ଉକ୍ତ ୨ ୱାର୍ଡର ଉଦବୃତ ଜଳ ନାଳି ଦେଇ ଛଡା ଯାଏ ତେବେ ଚାଷ ଜମି ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ଏହି ବାଟ ଦେଇ ଜଳ ନ ଛାଡିବାକୁ ସ୍ଥାନୀୟ ଚାଷୀ ପଂଚାନନ ପରିଡା, ବିଜୟ କୁମାର ବାରିକ, ଉମେଶ ବାରିକ, ଅନାଦି ବାରିକ, ରବିନ୍ଦ୍ର ବାରିକ ଆଦି ଶତାଧିକ ଚାଷୀ ବିରୋଧ କରିଥିଲେ। ତେଣୁ ଏହି ଚାଷ ଜମିରୁ କିପରି ଉଦବୃତ ଜଳ ନିଷ୍କାସନ ହେବ ସେ ବିଷୟରେ ପ୍ରଶାସନ ସହ କଥା ହୋଇ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ବଡୁ ପ୍ରତଶ୍ରୁତି ଦେବା ପରେ ୨ ୱାର୍ଡର ଜଳ ନିଷ୍କାସନ ହେବାର ବ୍ୟବସ୍ଥା କରାଯାଇଥିଲା। ସୂଚନାଯୋଗ୍ୟ ଯେ ଉକ୍ତ ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ ପାଇଁ ସ୍ଥାନୀୟ ଚାଷୀମାନେ ୨୦୧୧ ମସିହାରେ ତତ୍କାଳିନ ବିଧାୟକ ବିଷ୍ଣୁ ଦାସ, ୨୦୧୫ରେ ଚିରଞ୍ଜୀବ ବିଶ୍ୱାଳ,୨୦୧୯ରେ ପ୍ରଶାନ୍ତ ମୁଦୁଲି ଓ ୨୦୨୪ରେ ବର୍ତମାନର ବିଧାୟକ ଅମରେନ୍ଦ୍ର ଦାସଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହେଉ ନଥିବା ଚାଷୀମାନେ ମତବ୍ୟକ୍ତ କରିଛନ୍ତି। ଏପରିକି ଲଗାଣ ବର୍ଷା କିମ୍ବା ଲଘୁଚାପ ଜନିତ ବର୍ଷା ହେବା ଦ୍ୱାରା ଏହି ଚାଷ ଜମିରେ ଚାଷ ହେଉଥିବା ବେଳେ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ଚାଷୀମାନେ ମତବ୍ୟକ୍ତ କରିଛନ୍ତି। ତେଣୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।


