ଓସିଏ ନିର୍ବାଚନ ମାମଲା: ୨୫ ସୁଦ୍ଧା ସମସ୍ତ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,(ଓ୍ବାଇଏନଏସ): ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ନିର୍ବାଚନ ସମ୍ପର୍କି ମାମଲାରେ ସମସ୍ତ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓସିଏର ବିଭିନ୍ନ ପଦପଦବି ପାଇଁ ନିର୍ବାଚନ ହେଉ ନ ଥିବାରୁ ପୂର୍ବତନ ବିଧାୟକ ତଥା ରଣଜୀ ଖେଳାଳି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ ତାରିଖକୁ ଧାର୍ଯ୍ୟ କରାଯାଇଛି । ଶୁଣାଣି ସମୟରେ ପ୍ରତିପକ୍ଷ ଓସିଏ ଯୁଗ୍ମ ସମ୍ପାଦକଙ୍କ ପକ୍ଷରୁ ଏକ ଅନ୍ତରୀଣ ପିଟିସନ୍ ଦାଖଲ କରାଯାଇ ସୁପ୍ରିମ୍‌କୋର୍ଟଙ୍କ ଏକ ରାୟ ନେଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିବା ବିସିସିଆଇ ବନାମ ବିହାର କ୍ରିକେଟ ଆସୋସିଏସନ ମାମଲାରେ ଗତ ୮ ତାରିଖରେ ହୋଇଥିବା ଶୁଣାଣିରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଜାତୀୟ କ୍ରୀଡ଼ା ପରିଚାଳନା ଆଇନ ୨୦୨୫ର ପ୍ରାବଧାନ ଗୁଡ଼ିକୁ କାହିଁକି ଲାଗୁ କରାଯାଉ ନାହିଁ ଏବଂ ନିର୍ବାଚିତ ବା ନିଯୁକ୍ତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଏହି ଆଇନ ଅନୁଯାୟୀ କାହିଁକି କାର୍ଯ୍ୟକାରୀ ହେବନାହିଁ ସେନେଇ ବିସିସିଆଇ ଏବଂ ସମସ୍ତ ରାଜ୍ୟ କ୍ରିକେଟ୍ ସଂଘ ଗୁଡ଼ିକୁ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ହାଇକୋର୍ଟରେ ଚାଲିଥିବା ଏହି ମାମଲାର ଶୁଣାଣି ଉପରେ ରହିତାଦେଶ ଜାରି କରାଯାଉ ବୋଲି ଯୁଗ୍ମ ସମ୍ପାଦକଙ୍କ ତରଫରୁ ଦର୍ଶାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ