କାଦୁଅରେ ଫସିଥିବା କାରକୁ ଉଦ୍ଧାର କଲା ବନ ବିଭାଗ
ମାଲକାନଗିରି,(ମନୋଜ କୁମାର ସାହା):ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ରାସ୍ତା କାଦୁଅରେ ପରିଣତ ହୋଇଥିବା ବେଳେ ବିପଦରେ ପଡ଼ିଥିବା ଜଣେ ଯାତ୍ରୀଙ୍କୁ ସହାୟତା କରି ମାନବିକତାର ପରିଚୟ ଦେଇଛି ବାଲିମେଳା ବନ ବିଭାଗ ଟିମ। ବାଲିମେଳା ବନ ବିଭାଗର ଫରେଷ୍ଟର ପିଙ୍କି ରାଓ ନିଜ ଟିମ ସହ ନାକାମାମୁଡ଼ି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ କାଦୁଅରେ ଏକ କାର ଫସି ରହିଥିବା ଦେଖିଥିଲେ। ଟନେଲକ୍ୟାମ୍ପରୁ ନାକାମାମୁଡ଼ି ଛକ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ଚାଲିଥିବାରୁ ରାସ୍ତା ଦୀର୍ଘଦିନ ଧରି ଖୋଳା ଅବସ୍ଥାରେ ରହିଛି। ଲଗାଣ ବର୍ଷା ଯୋଗୁଁ ଏହା କାଦୁଅରେ ପରିଣତ ହୋଇଥିବାରୁ ଗାଡ଼ିଟି ଫସିଯାଇଥିଲା।ଘଟଣା ଦେଖି ବନ ବିଭାଗ ଟିମ ତୁରନ୍ତ ପୋକଲେନ୍ ମେସିନ୍ ମଗାଇ କାରଟିକୁ କାଦୁଅରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଅଧିକ ବିପଦ ଆଶଙ୍କାରେ ଉକ୍ତ ରାସ୍ତାରେ ଯାତାୟାତକୁ ବନ ବିଭାଗ ପକ୍ଷରୁ ବନ୍ଦ କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ଫରେଷ୍ଟର ପିଙ୍କି ରାଓଙ୍କ ସହ ସ୍ଥାନୀୟ ଫରେଷ୍ଟ ଗାର୍ଡ ଓ ପାରାଷ୍ଟାଫ ସାମିଲ ଥିଲେ। ବିପଦ ସମୟରେ ତୁରନ୍ତ ସହାୟତାର ହାତ ବଢ଼ାଇଥିବା ବନ ବିଭାଗ ଟିମର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।


