ମଣିଷର ତିନିଟି ଆଖି


ହେମନ୍ତ କୁମାର ଗନ୍ତାୟତ

ଏହି ଅନନ୍ତ ସୃଷ୍ଟିରେ ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଏବଂ ସୁନ୍ଦର କୃତି ହେଉଛି ‘ମାନବ ଶରୀର’। ସନାତନ ଧର୍ମର ଶାସ୍ତ୍ର ଅନୁଯାୟୀ, ଜୀବଟିଏ ଚଉରାଶି ଲକ୍ଷ ଯୋନି ବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ରୂପରେ ଜନ୍ମଗ୍ରହଣ କଲାପରେ, ଅଶେଷ ପୁଣ୍ୟ ବଳରେ ସେ ଥରେ ମାତ୍ର ମନୁଷ୍ୟ ଜନ୍ମ ପାଇଥାଏ। ତେଣୁ ଭଗବଦ୍ପାଦ ଶ୍ରୀଶଙ୍କରାଚାର୍ଯ୍ୟ ବିବେକ ଚୂଡାମଣି ଗ୍ରନ୍ଥରେ ଲେଖିଛନ୍ତି – ” ଜନ୍ତୁନାମ୍ ନରଜନ୍ମ ଦୁର୍ଲ୍ଲଭମ୍” । ଅନ୍ୟ ସମସ୍ତ ପ୍ରାଣୀଙ୍କ ତୁଳନାରେ ମନୁଷ୍ୟକୁ ଭଗବାନ ଦୁଇଟି ଅମୂଲ୍ୟ ନିଧି ଦେଇଛନ୍ତି, ଯଥା: ଜ୍ଞାନ ଓ ଭକ୍ତି । ଆମେ ଜାଣିଛେ, ପଶୁପକ୍ଷୀମାନେ କେବଳ ଆହାର , ନିଦ୍ରା, ଭୟ ଓ ମୈଥୁନ ମଧ୍ୟରେ ସୀମିତ ରହୁଥିବା ବେଳେ, ମନୁଷ୍ୟ ନିଜର ଜ୍ଞାନଚକ୍ଷୁ ଏବଂ ଭକ୍ତି ବା ପ୍ରେମ ଚକ୍ଷୁ ବଳରେ ଭଲ-ମନ୍ଦର ବିଚାର କରିବା ସହ ଭଗବଦ୍ ସାକ୍ଷାତ୍ କାର କରିପାରେ। ସାଧାରଣତଃ ମଣିଷର ପଞ୍ଚ ଜ୍ଞାନେନ୍ଦ୍ରୀୟ ମଧ୍ୟରୁ ଚକ୍ଷୁରିନ୍ଦ୍ରୀୟ ଅନ୍ୟତମ। ଯାହାକୁ ସାମାନ୍ୟ ଭାବେ ଚର୍ମଚକ୍ଷୁ କୁହାଯାଏ। କିନ୍ତୁ ଅଦୃଶ୍ୟରେ ଉପରୋକ୍ତ ଅନ୍ୟ ଦୁଇଟି ଚକ୍ଷୁ ରହିଛି ଯଥା:- ଜ୍ଞାନ ଚକ୍ଷୁ ଓ ଭକ୍ତି ଚକ୍ଷୁ।
ସନାତନ ଦର୍ଶନ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ମଣିଷ ଦେଖିବାର କ୍ଷମତାକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା: ଚର୍ମ ଚକ୍ଷୁ, ଜ୍ଞାନ ଚକ୍ଷୁ ଏବଂ ଭକ୍ତି ଚକ୍ଷୁ। ଏହି ତିନୋଟି ଚକ୍ଷୁ ଭିତରୁ ଚର୍ମ ଚକ୍ଷୁ ଦ୍ଵାରା ଆମେ ବାହ୍ୟ ଜଗତକୁ ଦେଖିପାରୁ। ଏହା ପ୍ରକୃତି ଦ୍ୱାରା ଆମକୁ ମିଳିଥିବା ଏକ ସୁନ୍ଦର ଉପହାର। ଏଥି ଯୋଗୁଁ ଆମେ ରୂପ, ରଙ୍ଗ, ଆଲୋକ, ଅନ୍ଧାର, ଵୃକ୍ଷଲତା ଓ ସଂସାରର ସମସ୍ତ ଭୌତିକ ବସ୍ତୁକୁ ଦେଖିପାରୁ। କିନ୍ତୁ ଏ ଚର୍ମ ଚକ୍ଷୁ ଏକ ସୀମା ମଧ୍ୟରେ ବନ୍ଧା। ଏହା କେବଳ ସେତିକି ଦେଖିପାରେ ଯାହା ତା’ର ପରିଧି ଭିତରେ ଥାଏ। ପରନ୍ତୁ ଦୃଷ୍ଟି ଆଢୁଆଳରେ ଥିବା ବସ୍ତୁ ଗୁଡିକୁ ଦେଖିପାରେ ନାହିଁ କିମ୍ବା ମଣିଷର ଆଭ୍ୟନ୍ତର କଥାକୁ ଜାଣିପାରେ ନାହିଁ। ବେଳେ ବେଳେ ଏହି ଆଖି ଯାହା ପ୍ରତ୍ୟକ୍ଷରେ ଦେଖେ ତାହା ସେହା ହୋଇନଥାଏ। ଉଦାହରଣ ସ୍ୱରୂପ, ମରୁଭୂମିରେ ମରୀଚିକା ଦେଖି ଜଳ ବୋଲି ଭାବିବା କିମ୍ବା ଅନ୍ଧାରରେ ଦଉଡ଼ିକୁ ଦେଖି ସାପ ବୋଲିଭାବି ଭୟ କରିବା। ଯାହାକୁ ଅଦ୍ଵୈତ ବେଦାନ୍ତ ମତରେ “ରଜ୍ବୌ ସର୍ପାଧ୍ୟାସଃ” ବୋଲି କୁହାଯାଏ। ନିଜର ଅଜ୍ଞାନତା ଯୋଗୁଁ ବା ଚର୍ମ ଚକ୍ଷୁର ଭ୍ରମ ଯୋଗୁଁ ଏଭଳକି ଘଟିଥାଏ। ଯେତେ ପର୍ଯ୍ୟନ୍ତ ଐଶ୍ୱରୀୟ ଶକ୍ତି କିମ୍ବା ଭଗବତ୍ କୃପା ଏ ମଣିଷକୁ ପ୍ରାପ୍ତ ହୁଏ ନାହିଁ, ସେତେ ପର୍ଯ୍ୟନ୍ତ ପ୍ରକୃତ ସତ୍ୟକୁ ଅନୁଭବ କରିବା ଅସମ୍ଭବ। ତେଣୁ ଶ୍ରୀମଦ୍‌ ଭଗବଦ୍‌ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ, “ନ ତୁ ମାଂ ଶକ୍ୟସେ ଦ୍ରଷ୍ଟୁମନେନୈବ ସ୍ବଚକ୍ଷୁଷା”। ଅର୍ଥାତ୍ ହେ ଅର୍ଜ୍ଜୁନ! ତୁମେ ତୁମର ଏହି ଚର୍ମ ଚକ୍ଷୁରେ ମୋର ପ୍ରକୃତ ରୂପ (ବିଶ୍ୱରୂପ)କୁ ଦେଖିପାରିବ ନାହିଁ।
ଜ୍ଞାନ ଚକ୍ଷୁ ଏକ ସାଧାରଣ ଚକ୍ଷୁ ନୁହେଁ । ଯେତେବେଳେ ମଣିଷ ସତ୍ ଶାସ୍ତ୍ର ଏବଂ ସଦଗୁରୁଙ୍କର ସାନିଧ୍ୟରେ ରହି , ବୁଦ୍ଧି, ବିବେକ ଏବଂ ଶିକ୍ଷା ସାହାଯ୍ୟରେ ସତ୍ୟକୁ ବୁଝିବାକୁ ଚେଷ୍ଟା କରେ, ସେତେବେଳେ ଏହି ଜ୍ଞାନ ଚକ୍ଷୁ ଜାଗ୍ରତ ହୋଇଥାଏ। ଯାହାଫଳରେ ସେ ବସ୍ତୁ ବା ଘଟଣା ପଛରେ ଥିବା ପ୍ରକୃତ କାରଣକୁ ଜାଣିପାରେ। ଦୃଷ୍ଟାନ୍ତ ସ୍ୱରୂପ ଜଣେ ବୈଜ୍ଞାନିକ, ଜଣେ ଡାକ୍ତର ବା ଜଣେ ଦାର୍ଶନିକ ନିଜ ଜ୍ଞାନ ଚକ୍ଷୁ ବଳରେ ସେହି ସେହି ବିଷୟଗୁଡ଼ିକୁ ଦେଖିପାରନ୍ତି। କିନ୍ତୁ ତାହା ସାଧାରଣ ଲୋକଙ୍କ ଖାଲି ଆଖିକୁ ଦେଖାଯାଏ ନାହିଁ। ତେଣୁ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ଲେଖିଛନ୍ତି:- ମୁଁ ଯେବେ ହୁଅଇ ସଦୟ, ତା ହୃଦେ ହୁଏ ଜ୍ଞାନୋଦୟ।। ଏହି ତାତ୍ତ୍ୱିକ ବାଣୀ ମଧ୍ୟମାରେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ପରମ ଭକ୍ତ ତଥା ସଖା ଉଦ୍ଧବଙ୍କୁ ତତ୍ତ୍ଵ ଜ୍ଞାନର ଉପଦେଶ ଛଳରେ କହିଛନ୍ତି ଯେ, ଏ ସଂସାରର ମାୟା ଜାଲରୁ ମୁକ୍ତି ପାଇବା ଏବଂ ପରମ ଜ୍ଞାନ ଲାଭ କରିବା କେବଳ ଭଗବତ୍ କୃପା ବା ସଦୟ ହେବା ଦ୍ଵାରା ହିଁ ସମ୍ଭବ ହୋଇଥାଏ। ଅତଃ ଶାସ୍ତ୍ରରେ କୁହାଯାଇଛି “ନାସ୍ତି ଜ୍ଞାନତ୍ ପରଂ ଚକ୍ଷୁଃ”।
ଉପରୋକ୍ତ ତିନୋଟି ଚକ୍ଷୁ ଭିତରୁ ସର୍ବଶ୍ରେଷ୍ଠ ହେଉଛି ପ୍ରେମ ବା ଭକ୍ତିର ଚକ୍ଷୁ। ଏହା ବୁଦ୍ଧି ବା ତର୍କର ଆଖି ନୁହେଁ, ବରଂ ଏହା ହେଉଛି ଏକ କୋମଳ ହୃଦୟର ପାବନ ଆଖି। ଯେତେବେଳେ ମଣିଷ ମନରେ ଭଗବାନଙ୍କ ପ୍ରତି ଅଗାଧ ପ୍ରେମ ଏବଂ ସମର୍ପଣ ଭାବ ଆସିଯାଏ, ସେତେବେଳେ ହୃଦୟ କନ୍ଦରରେ ଏହି ଭକ୍ତି ଚକ୍ଷୁର ଉନ୍ମେଷ ହୁଏ। ଜ୍ଞାନ ଚକ୍ଷୁ ଯେଉଁଠି ଅଟକିଯାଏ, ଭକ୍ତି ଚକ୍ଷୁ ସେଠାରୁ ହିଁ ଆଗକୁ ଗତି କରେ। ଏହି ଆଖିରେ ସନ୍ଦେହ ନଥାଏ, ଥାଏ କେବଳ ବିଶ୍ୱାସ ହିଁ ବିଶ୍ୱାସ। ଯାହା ସାହାଯ୍ୟରେ ଜଣେ ଭକ୍ତ ପଥର ମୂର୍ତ୍ତି ମଧ୍ୟରେ ବି ସାକ୍ଷାତ ଭଗବାନଙ୍କୁ ଦେଖିପାରେ। ଯେପରି ରାମକୃଷ୍ଣ ପରମହଂସ ମାଆଙ୍କ ବିଗ୍ରହରେ ସୌମ୍ୟ ଜୀବନ୍ତ ରୂପକୁ ଦେଖି ପାରୁଥିଲେ, ଶୁଣି ପାରୁଥିଲେ ଏବଂ କଥା ମଧ୍ୟ ହେଉଥିଲେ। ଏପରି ଅନେକ ଦୃଷ୍ଟାନ୍ତ ରହିଛି:- ଭକ୍ତ ପ୍ରହ୍ଲାଦ ସ୍ତମ୍ଭ ଭିତରେ ନୃସିଂହ ଭଗବାନଙ୍କୁ ଦେଖିବା କିମ୍ବା ଭକ୍ତ ସାଲବେଗ, ଦାସିଆ ବାଉରୀ, ବନ୍ଧୁ ମହାନ୍ତି ଓ ଭକ୍ତ ବଳରାମ ଦାସ ଭଗବାନ ଜଗନ୍ନାଥଙ୍କୁ ନିଜ ଭକ୍ତି ଚକ୍ଷୁ ଦ୍ଵାରା ଦେଖି ଅନୁଭବ କରି ପାରୁଥିଲେ। ତେଣୁ ବ୍ରହ୍ମସଂହିତାରେ କୁହାଯାଇଛି:-
ପ୍ରେମାଞ୍ଜନଚ୍ଛୁରିତଭକ୍ତିବିଲୋଚନେନ
ସନ୍ତଃ ସଦୈବ ହୃଦୟେଷୁ ବିଲୋକୟନ୍ତି।
ଯଂ ଶ୍ୟାମସୁନ୍ଦରମଚିନ୍ତ୍ୟଗୁଣସ୍ବରୂପଂ
ଗୋବିନ୍ଦମାଦିପୁରୁଷଂ ତମହଂ ଭଜାମି॥
ଅର୍ଥାତ୍ : ଯେଉଁ ଭକ୍ତମାନଙ୍କ ଆଖିରେ ପ୍ରେମ ରୂପକ ଅଞ୍ଜନ (କଳା) ଲାଗିଥାଏ, ସେମାନେ ନିଜର ସେହି ଭକ୍ତି ଚକ୍ଷୁ ଦ୍ୱାରା ସଦାସର୍ବଦା ନିଜ ହୃଦୟ ଭିତରେ ସେହି ଅଚିନ୍ତ୍ୟ ଗୁଣସମ୍ପନ୍ନ ଶ୍ୟାମସୁନ୍ଦର ଭଗବାନଙ୍କୁ ଦେଖିପାରନ୍ତି।
ସଂକ୍ଷେପରେ କହିବାକୁ ଗଲେ, ମାନବ ଜୀବନର ସାର୍ଥକତା ପାଇଁ ତିନୋଟି ଯାକ ଆଖିର ଆବଶ୍ୟକତା ରହିଛି। ଏହି ନୟନ ଗୁଡିକ ଏକ ଏକ ସୋପାନ ପରି ଅଟନ୍ତି। ମଣିଷକୁ ସଂସାରରେ ବଞ୍ଚି ରହିବା ଏବଂ କର୍ମ କରିବା ପାଇଁ ଚର୍ମ ଚକ୍ଷୁ ନିତ୍ୟାନ୍ତ ଆବଶ୍ୟକ। ସେଭଳି ଜଗତରେ ଭଲ-ମନ୍ଦ ଜାଣିବା ଏବଂ ମୋହମାୟାରୁ ଦୂରେଇ ରହିବା ପାଇଁ ଜ୍ଞାନ ଚକ୍ଷୁ ପଥ ଦେଖାଇ ଥାଏ ଏବଂ ଶେଷରେ ଜୀବନର ପରମ ଲକ୍ଷ୍ୟ ଅର୍ଥାତ୍ ମୋକ୍ଷ ବା ଭଗବାନଙ୍କୁ ପାଇବା ପାଇଁ ଭକ୍ତି ଚକ୍ଷୁ ଅପରିହାର୍ଯ୍ୟ। ଯାହାର ଦୃଷ୍ଟାନ୍ତ ଅଦ୍ଵୈତ ବେଦାନ୍ତର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀଶଙ୍କରାଚାର୍ଯ୍ୟ ବିବେକ ଚୂଡାମଣିରେ ଲେଖିଛନ୍ତି “ଭକ୍ତିରେବ ଗରିଅଶୀ” ଏବଂ ନିଜକୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରି କହିଛନ୍ତି : “ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ”।

ବରିଷ୍ଠ ଦର୍ଶନ ଅଧ୍ୟାପକ
ସଂସ୍କୃତ ମହାବିଦ୍ୟାଳୟ
କବିସୂର୍ଯ୍ୟ ନଗର, ଗଞ୍ଜାମ
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ