କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ: କଳିଙ୍ଗା ଘାଟିରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ
କନ୍ଧମାଳ (ଓ୍ବାଇଏନଏସ): ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କା ଥିବାରୁ କଳିଙ୍ଗା ଘାଟି ଦେଇ ଯାତାୟାତ ଉପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଆଦେଶନାମା ସଂଖ୍ୟା ୯୮୮/Emg. ତାରିଖ: ୨୪/୦୯/୨୦୨୬ ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି ହୋଇଛି। ପ୍ରବଳ ବର୍ଷା ସତର୍କତା: ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ (SRC) ସୂଚନା ଅନୁସାରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗାର୍ଡ ୱାଲ୍ ନଷ୍ଟ ଓ ଭୂସ୍ଖଳନ ଭୟ: କଳିଙ୍ଗା ଘାଟିର ଅନ୍ଧାରିକୋଟ ନିକଟରେ ଥିବା ସୁରକ୍ଷା ପ୍ରାଚୀର (ଗାର୍ଡ ୱାଲ୍) ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି, ଯାହା ଫଳରେ ସେଠାରେ ଭୂସ୍ଖଳନ ହେବାର ଆଶଙ୍କା ଦେଖାଦେଇଛି। ପ୍ରବେଶ ଉପରେ କଟକଣା: ଯେକୌଣସି ଅପ୍ରୀତିକର ପରିସ୍ଥିତି ଏବଂ ବିପଦକୁ ଏଡ଼ାଇବା ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟାତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କାର୍ଯ୍ୟ ବନ୍ଦ ଓ ସୁରକ୍ଷା ବ୍ୟବସ୍ଥା: ଏହି ରାସ୍ତା ଉପରେ ନଜର ରଖିବାକୁ ପୋଲିସ ମୁତୟନ କରିବା ସହ ଘାଟିରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଏବଂ ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କୁ ଏହି ସମୟରେ କଳିଙ୍ଗା ଘାଟି ରାସ୍ତା ବ୍ୟବହାର ନ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।


