ଲଗାଣ ବର୍ଷା ଓ ପବନରେ ରାସ୍ତାରେ ପଡ଼ିଲା ବରଗଛ: ୨ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ

ଛତ୍ରପୁର, (ଓ୍ବାଇଏନଏସ): ଲଗାଣ ବର୍ଷା ସାଙ୍ଗକୁ ପବନର ପ୍ରକୋପ ଯୋଗୁଁ ଛତ୍ରପୁର ଅଞ୍ଚଳରେ ବହୁ ଗଛ ଓ ଗଛର ଡାଳ ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ଦେଖାଯାଇଛି। ଏହି କ୍ରମରେ ଛତ୍ରପୁରଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ଏନ୍‌ଏଚ୍‌-୫୧୬   ଟାକିରିଆବ୍ରହ୍ମପୁର  ଗ୍ରାମ ନିକଟ ରାସ୍ତା ରେ ଏକ ବିରାଟକାୟ ବରଗଛ ଉପୁଡ଼ି ପଡ଼ିବାରୁ ପ୍ରାୟ ୨ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପବନର ବେଗ ବଢ଼ିବା ଯୋଗୁଁ ଏହି ବିରାଟକାୟ ବରଗଛଟି ରାସ୍ତା ଉପରେ ପଡ଼ିଯାଇଥିଲା। ଗଛଟି ରାସ୍ତା ଅବରୋଧ କରିବାରୁ ଛତ୍ରପୁରରୁ ଆର୍ଯ୍ୟପଲ୍ଲୀ, ଗୋପାଳପୁର, ଆଇଆର୍‌ଇ ସମେତ ବିଭିନ୍ନ ଅଞ୍ଚଳକୁ ଯାତାୟାତ କିଛି ସମୟ ପାଇଁ ବନ୍ଦ ରହିଥିଲା। ତେବେ ଗଛ ପଡ଼ିବା ସମୟରେ ନିକଟରେ ଥିବା କିଛି ଘର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଖବର ପାଇ ଛତ୍ରପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଗଛକୁ କାଟି ରାସ୍ତାରୁ ହଟାଇବା ସହ ରାସ୍ତା ସଫା କରିଥିଲେ। ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ରାସ୍ତାରୁ ଗଛ ହଟାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ସେହିପରି ଗତ ସୋମବାରଠାରୁ ଛତ୍ରପୁର ପୌରପରିଷଦ ଓ ବ୍ଲକ୍‌ ଅଞ୍ଚଳରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ଗତ କାଲିର ପବନ ଲାଗି ଅନେକ ଗଛ ଓ ଗଛର ଡାଳ ରାସ୍ତା ଉପରେ ପଡ଼ିଥିବା ଦେଖାଯାଇଛି। ପରବର୍ତ୍ତୀ ସମୟରେ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଏସବୁ ଗଛ ଓ ଡାଳ ହଟାଇ ରାସ୍ତା ସଫା କରାଯାଇଥିବା ଜଣାପଡ଼ିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ